ମଇଦାନରେ ତିନି ଦଳର ମୁଖିଆ: ଭୁବନେଶ୍ୱରରେ ନବୀନଙ୍କ ରୋଡ ସୋ, ବରଗଡ ଓ ସୁନ୍ଦରଗଡରେ ଜନସଭା କରି ବର୍ଷିଲେ ଜେପି ନଡ୍ଡା

75

କନକ ବ୍ୟୁରୋ: ଶୀର୍ଷ ନେତାଙ୍କ ଶକ୍ତି ପ୍ରଦର୍ଶନ । ମୈଦାନରେରେ ଆଜି ୩ ପ୍ରମୁଖ ଦଳର ସଭାପତି ଭିନ୍ନ ଭିନ୍ନ ଢଙ୍ଗାରେ ନଜର ଆସିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ କରିଥିବା ବେଳେ ବିଜେପି ଅଧ୍ୟକ୍ଷ, ଭୁବନେଶ୍ୱରରେ ରୋଡ୍-ସୋ ପରେ ପଦ୍ମପୁର ସୁନ୍ଦରଗଡ଼ରେ ନିର୍ବାଚନୀ ସଭା କରିଛନ୍ତି । ଆଉ ଏହାରି ଭିତରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ।

ନିର୍ବାଚନର ଉଷ୍ମତା ଏବଂ ଜୟ-ପରାଜୟର ପ୍ରତିଯୋଗିତା କେତେ ଗମ୍ଭୀର ହୋଇସାରିଛି, ଏହି ଚିତ୍ର ହିଁ ବୟାନ କରୁଛି । ସବୁଠୁ ଶିଖରରେ ଥିବା ରାଜନୈତିକ ଗୁଡ଼ିକର ନେତାଙ୍କୁ ମୈଦାନରେ ଦେଖିବାକୁ ମିଳିଛି । ଦଳ ପାଇଁ ଏବଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ କିଏ ରୋଡ୍ ସୋ କରିଛନ୍ତି, ତ’ ଆଉ କିଏ ନିର୍ବାଚନୀ ସଭା କରିଛନ୍ତି ।

ନବୀନ ପଟ୍ଟନାୟକ                   ଜେପି ନଡ୍ଡା                   ମଲ୍ଲିକାର୍ଜୁନ ଖଡ଼ଗେ
ବିଜେଡି ସୁପ୍ରିମୋ              ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ            କଂଗ୍ରେସ ଅଧ୍ୟକ୍ଷ

ଆକର୍ଷଣୀୟ ଢଙ୍ଗରେ, ହାତ ହଲାଇ, ଅଭିବାଦନ ଗ୍ରହଣ କରି ବିଶାଳ ରୋଡ୍ ସୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇଟେକ୍ ବସ୍ରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରୋଡ୍ ସୋ କରୁଥିଲେ, ହଜାର ହଜାର ନବୀନଙ୍କ ସମର୍ଥକ ଓ ପ୍ରଶଂସକ ଅପେକ୍ଷା କରି ରହିଥିଲେ । ୟୁନିଟ୍-୬ ଗଙ୍ଗନଗର ଛକରୁ ବାହାରି ଗୋଟିଏ ପରେ ଗୋଟିଏ ଠିକଣା ଅତିକ୍ରମ କରିଥିଲା ନବୀନଙ୍କ ରୋଡ୍ ସୋ । କେଉଁଠି ମୁଖ୍ୟମନ୍ତ୍ରୀ ଜନତାଙ୍କୁ ସମ୍ବୋଧନ କରୁଥିଲେ, ତ ଆଉ କେଉଁଠି ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭଳି ଭୁବନେଶ୍ୱରରେ ରୋଡ୍ ସୋ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବାରିକସାହିରୁ ରୋଡ ସୋ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ଯାଏଁ ଯାଇଛନ୍ତି । ହଜାର ହଜାର ସମର୍ଥକ ଓ କର୍ମୀଙ୍କ ମେଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟରଙ୍କ ପାଖରେ ପହଂଚିଥିଲେ ଜେପି, ନଡ୍ଡା । ଭୁବନେଶ୍ୱର ରୋଡ୍ସୋ ପରେ ପଦ୍ମପୁର ଓ ସୁନ୍ଦରଗଡ଼ରେ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ଓଡ଼ିଶାର ଶାସନ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ଫୁଲବାଣୀରେ ସଭା କରି ମୋଦୀ ସରକାରକୁ ଟାର୍ଗେଟ୍ କରିଛନ୍ତି । ମୋଦୀ ଗ୍ୟାରେଂଟି କେବଳ ନାମକୁ ମାତ୍ର ବୋଲି ସମାଲୋଚନା କରିଛନ୍ତି ଖଡ଼ଗେ । ତେଲ, ଗ୍ୟାସ ଓ ଔଷଧ ଦର ବୃଦ୍ଧି ପାଇବା ସହ ଧାନର ଏମଏସପି ଚାଷୀଙ୍କୁ ମିଳୁନି ବୋଲି ଅଭିଯୋଗ କରିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ।

ତେବେ ଶୀର୍ଷ ନେତାଙ୍କ ଏହି ଶକ୍ତି ପ୍ରଦର୍ଶନ, ଜନତାଙ୍କ ଉପରେ କି ପ୍ରଭାବ ପକାଉଛି, ତାହା ନିର୍ବାଚନ ସରିଲେ ଏବଂ ଫଳାଫଳ ସାମ୍ନାକୁ ଆସିଲେ ଜଣାପଡ଼ିବ ।