ଶନିବାର ସନ୍ଧ୍ୟାରେ ବିଜୁ ଜନତା ଦଳ ତରଫରୁ ରାଜ୍ୟସଭା ସାଂସଦଙ୍କ ପାଇଁ ଯେତେବେଳେ ହ୍ୱିପ ଜାରି କରାଯାଉଥିଲା, ସେତେବେଳେ ହୁଏତ ବହୁତ ଖୁବ କମ ରାଜନୈତିକ ବିଶେଷଜ୍ଞ ଆକଳନ ଲଗାଇଥିବେ ଯେ, ସଂସଦର ଉଚ୍ଚ ସଦନରେ ଦଳ ଚାଷୀ ବିଲକୁ ବିରୋଧ କରି ନିଜ ମତ ରଖିବ । ଯଦିଓ ଦିନକ ଆଗରୁ ସିବିଆଇ ରେଡକୁ ନେଇ ରାଜନୀତିରେ ହଲଚଲ ଆରମ୍ଭ ହୋଇଥିଲା, ତଥାପି ନିଜ କାର୍ଡକୁ ବିଜେଡି ସୁପ୍ରିମୋ କିଛି ଏଭଳି ଢଙ୍ଗରେ ଖେଳିଲେ ଯେ ରାଜନୀତିର ଚାଣକ୍ୟ ମଧ୍ୟ ଏହାକୁ ପଢିପାରିନଥିଲେ ।

Advertisment

ସମର୍ଥନ-ବିରୋଧର ରାଜନୀତି!
ନବୀନଙ୍କ ରାଜନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ସରପ୍ରାଇଜ ଏଲିମେଂଟ । ଅର୍ଥାତ୍ ଏଭଳି ଗୋଟିଏ ଗୋଟିଏ ନିଷ୍ପତ୍ତି ବିଜେଡିର ପ୍ରାଣକେନ୍ଦ୍ର ନବୀନ ନିବାସ ଭିତରୁ ବାହାରିବ ଯାହା ରାଜନୈତିକ ପଣ୍ଡିତଙ୍କ ତମାମ ଆକଳନକୁ ଭୁଲ ପ୍ରମାଣିତ କରିବ । ମୋଦିଙ୍କ ଦ୍ୱିତୀୟ ପାଳିରେ ପ୍ରାୟ ସମସ୍ତ ପ୍ରସଙ୍ଗରେ ବିଜେଡି ସମର୍ଥନ ପାଉଥିବା ଏନଡିଏକୁ କିନ୍ତୁ ଏଥର ନବୀନ ଚେକ୍ ଦେଇଥିଲେ । ନୀତିଶଙ୍କ ଦୁଇ ଥର ଫୋନ ପାଇବା ପରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା । ସିଏଏ ଓ ଧାରା ୩୭୦ ପ୍ରସଙ୍ଗରେ ମଧ୍ୟ ନବୀନ ମୋଦିଙ୍କ ସହ ଠିଆ ହୋଇଥିଲେ, ହେଲେ ଏଥର ଏମିତି କଣ ହୋଇଗଲା?

ବିରୋଧ ପଛର କାରଣ କଣ?
ହୁଏତ ଏହାକୁ ସଂପୂର୍ଣ୍ଣ ଅମୁଳକ କୁହାଯାଇପାରିବନି, ସିବିଆଇ ରେଡ ପାଇଁ ରାଜ୍ୟ ରାଜଧାନୀରୁ ଦେଶର ରାଜଧାନୀକୁ ଏକ ବାର୍ତ୍ତା ଦିଆଗଲା । ୨୦୧୯ ନିର୍ବାଚନ ପରଠାରୁ ନା ବିଜେପି ବିଜେଡିର ଲକ୍ଷ୍ମଣରେଖା ଅତିକ୍ରମ କରୁଥିଲା ନା ବିଜେଡି ବିଜେପିର । ସମସ୍ତେ ନିଜ ନିଜର ସୀମାକୁ ଜଗି ଢେର ସତର୍କତାର ସହ କାମ କଲାବେଳେ ପରସ୍ପରକୁ ପ୍ରଶଂସା କରିବାକୁ ପଛାଉନଥିଲେ । ହେଲେ ଅତର୍କିତ ସିବିଆଇ ପଶି ଆସିବାକୁ ବିଜେଡିର କ୍ଷମତାକେନ୍ଦ୍ର ନବୀନ ନିବାସ ସହଜରେ ଗ୍ରହଣ କରିପାରିଲା ନାହିଁ ।

ଲୋକସଭାରେ ଏହି ସମାନ ବିଲ ଉପରେ ଆଲୋଚନା ବେଳେ ବିଜେଡି ବିରୋଧ କରିବ ବୋଲି କହିନଥିଲା, ଦଳୀୟ ସାଂସଦଙ୍କ ପାଇଁ ହ୍ୱିପ ଜାରି ହୋଇନଥିଲା । ହେଲେ ରାଜ୍ୟସଭା ପାଇଁ ହ୍ୱିପ ଜାରି ହେଲା ଆଉ ଦଳ ତରଫରୁ ବାର୍ତ୍ତା ଦିଆଗଲା, ବିଜେଡି ଏହି ବିଲକୁ ବିରୋଧ କରୁଛି । ସିବିଆଇ ଆସି ସଂପର୍କର ସେତୁରେ ଫାଟ ତିଆରି କଲା । ଯାହା ପଂଚାୟତ, ପୈାର ଆଉ ସ୍ୱାଭାବିକ ଭାବେ ସାଧାରଣ ନିର୍ବାଚନର ରୋଡମ୍ୟାପକୁ ଆଖି ଆଗରେ ରଖି ବି ହୋଇଥାଇପାରେ ।

ଚାଷୀ ବିରୋଧୀ କିଏ?
ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କଲାବେଳେ ଭିନ୍ନ ମତର ଯଥେଷ୍ଟ ପ୍ରଭାବ ରହିବ । ହେଲେ ରାଜ୍ୟରେ ଯେଉଁ ଭୋଟ ବ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିଥାଏ ତାକୁ ଏତେ ସହଜରେ ହାତଛଡା କରିବାକୁ ଶାସକ ଦଳ ଚାହିଁବନି । ଆଉ ଖାସ ସେଥିପାଇଁ ଏଭଳି ରଣନୀତି ଆପଣା ଯାଇଥିବା ଚର୍ଚ୍ଚା ହେଉଛି । ବିଜେପି ସରକାର ଚାଷୀ ବିରୋଧୀ କହି ଏକ ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ ମଧ୍ୟ ଆରମ୍ଭ ହୋଇ ସାରିଲାଣି । କାରଣ ନବୀନ ମଧ୍ୟ ବେଶ ଭଲ ଭାବେ ଜାଣିଛନ୍ତି ୨୦୧୯ରେ କାଳିଆ ଯୋଜନା କିଭଳି ଦଳକୁ ପୁଣି ବିପୁଳ ବିଜୟ ଆଣୀ ଦେଇଥିଲା । ହେଲେ ଏହି ବିଜୟକୁ କିନ୍ତୁ ଫିକା ପକାଇ ଦେଇଥିଲା ପଶ୍ଚିମ ଓଡିଶା ଗଣିତ ।

ପଶ୍ଚିମ ଓଡିଶାକୁ ଟାର୍ଗେଟ
ରାଜ୍ୟର ଅର୍ଦ୍ଧାଧିକ ଚାଷୀ ପଶ୍ଚିମ ଓଡିଶାରୁ । ସମୟକୁ ସୁଯୋଗରେ ପରିଣତ କରି ଯଦି ଏହି ସମୟରେ ବିଜେଡି ପଶ୍ଚିମ ଓଡିଶାରେ ମୋଦୀ ସରକାରଙ୍କ ଛବି ମଳିନ କରିବାକୁ ସକ୍ଷମ ହୁଏ ତେବେ ବିଜେଡିର ୨୦୧୯ର ଗ୍ଲାନି ମଧ୍ୟ କିଛି ମାତ୍ରାରେ ଦୂର ହୋଇପାରିବ । ଆଉ ଦଳୀୟ ସଂଗଠନକୁ ମଧ୍ୟ ଏକ ମୁଦ୍ଦା ମିଳିଯିବ, ଲୋକଙ୍କ ନିକଟରେ ପହଁଚି ରାଜ୍ୟ ସରକାରଙ୍କ ପାଇଁ ବାତାବରଣ ସୃଷ୍ଟି କରିବାକୁ ।

ଏହା କାହିଁକି ଜରୁରୀ?
୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ପଶ୍ଚିମ ଓଡିଶାରେ ବେଶ ଭଲ ପ୍ରଦର୍ଶନ କରିଥିଲା । ପଶ୍ଚିମ ଓଡିଶାର ରାଜନୀତିକୁ ନେଇ ବିଜେଡି ଭିତରେ ଏତେ ଛନକା ପଶିଯାଇଥିଲା ଯେ, ହିଂଜିଳି ସହ ନବୀନ ବିଜେପୁରରୁ ଲଢିବାକୁ ନିଷ୍ପତ୍ତି ନେଲେ । ଯାହାର ପ୍ରଭାବ ବିଧାନସଭା ନିର୍ବାଚନରେ ଦେଖୀବାକୁ ମିଳିଥିଲା । ହେଲେ ଏହି ଅଂଚଳର ସମସ୍ତ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବାଜି ମାରିନେଇଥିଲେ । ଯାହା ଦଳର ବିଜୟ ଅଭିଯାନ ଉପରେ ଏକ କଳାଚିହ୍ନ ଭଳି ରହିଯାଇଥିଲା ।

କଣ ରହିପାରେ ଦଳର ଯୋଜନା?
ଦଳୀୟ ମହଲର ଚର୍ଚ୍ଚା ଅନୁସାରେ, ଏବେ ବିଜେପି ସରକାରଙ୍କ ମନମୁଖୀ ନିଷ୍ପତ୍ତି ଯୋଗୁଁ ଚାଷୀ କିଭଳି ବିପର୍ଯ୍ୟୟ ଓ ସମସ୍ୟାର ସାମ୍ନା କରିବେ ତାକୁ ଲୋକଙ୍କ ନିକଟରେ ପହଁଚାଇବାକୁ ଉଦ୍ୟମ ଆରମ୍ଭ ହେବ । ଖାସ କରି ମୋଦି ସରକାରଙ୍କୁ ଚାଷୀ ବିରୋଧୀ ବୋଲି ଉପସ୍ଥାପନ କଲେ ବିଜେଡିର ଦୁଇଟି ଲକ୍ଷ୍ୟ ସାଧିତ ହୋଇପାରିବ । କାଳିଆ ଯୋଜନାକୁ ନେଇ ଅସନ୍ତୋଷ ରହିଛି ତାହା ପ୍ରଶମିତ ହୋଇପାରିବ ଆଉ ଲୋକଙ୍କ ନିକଟକୁ ପହଁଚିବାକୁ ଏକ ମୁଦ୍ଦା ମିଳିଯିବ । କାରଣ ଦଳ ମଧ୍ୟ ବେଶ ଭଲ ଭାବେ ଜାଣିଛି ମହାନଦୀ ଆଉ ଲୋକଙ୍କୁ ପ୍ରଭାବିତ କରୁନି । ମହାନଦୀକୁ ଯେତେ ବ୍ୟବହାର କରିବା କଥା ଦଳ କରିଦେଲା ।

କାଳିଆ, ବଳରାମ...
୨୦୧୯ ନିର୍ବାଚନ ଆଗରୁ କାଳିଆ ଯୋଜନା ଲାଗୁ କରି ଏକ ବଡ ଧରଣର ଭୋଟ ବ୍ୟାଙ୍କ ହାସଲ କରାଯାଇ ପାରିଥିଲା । କାଳିଆ ଯୋଜନାକୁ ନେଇ ନବୀନଙ୍କ ବୟାନ ଆଉ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ତୁଳନାରେ ଏହା କେତେ ପ୍ରଭାବୀ ତାକୁ ଘରେ ଘରେ ପହଁଚାଇବାକୁ ଉଦ୍ୟମ କରାଗଲା । ଯାହା ଦଳକୁ ୧୦୦ରୁ ଅଧିକ ସିଟ ଲଗାତର ତୃତୀୟ ଥର ପାଇଁ ଜିତିବାରେ ସହାୟକ କଲା । ଆଉ ଏବେ ସେହି ଚାଷୀ ପ୍ରସଙ୍ଗକୁ ଭିନ୍ନ ଏକ ଢଙ୍ଗରେ ପ୍ରୟୋଗ କରି ପଂଚାୟତ ନିବ୭ାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ଅନୁମାନ କରାଯାଉଛି । କଥା କେବଳ କାଳିଆରେ ସୀମିତ ନାହିଁ, ଏବେ ବଳରାମ ଜରିଆରେ ମଧ୍ୟ ଚାଷୀଙ୍କ କଥା ବୁଝିବାକୁ ସରକାର ଘୋଷଣା କରିସାରିଛନ୍ତି ।

ଆଗକୁ କଣ ହୋଇପାରେ...
ସିବିଆଇ ତଦନ୍ତର ଯେଉଁ ପୃଷ୍ଠାରୁ ରାଜନୀତି ତୀବ୍ର ହୋଇଥିଲା ହୁଏତ ସେହି ସମାନ କଥା ଦେଖିବାକୁ ମିଳିପାରେ । ଚିଟଫଣ୍ଡ ତଦନ୍ତରେ ହୁଏତ ସିବିଆଇ ଆହୁରି ଆକ୍ରମଣାତ୍ମକ ହୋଇପାରେ । ରାଜ୍ୟ ସରକାର କିଛି ପୁରୁଣା ଫାଇଲ ଖୋଲିପାରନ୍ତି । ଯାହା ଆହୁରି ସ୍ପଷ୍ଟ ହେବ ଯେବେ ଖାଲି ପଡିଥିବା ଦୁଇଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ପରେ । ଦୁଇ ଦଳ କିଭଳି ପରସ୍ପର ପ୍ରତି ଆଚରଣ ରଖୁଛନ୍ତି, ତାହା ନିର୍ଦ୍ଧାରଣ କରିବ ଆଗକୁ ନରମ ଗରମର ଏହି ରାଜନୀତି କେଉଁ ମୋଡ ନେବ ।