ଏପ୍ରିଲ ୩ରୁ ଏପ୍ରିଲ ୨୭ ! ଦକ୍ଷିଣରୁ ଉତ୍ତର, ମାରାଥନ ପ୍ରଚାର ପାଇଁ ମୈଦାନକୁ ଓହ୍ଳାଇବେ ନବୀନ

363

କନକ ବ୍ୟୁରୋ : ଏପ୍ରିଲ ୩ରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ପୂର୍ବରୁ ନୟାଗଡରେ ପ୍ରଚାର ମୈଦାନକୁ ଓହ୍ଲାଇ ବିରୋଧୀଙ୍କୁ ରଣହୁଙ୍କାର ଦେଇସାରିଛନ୍ତି ନବୀନ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ସିଧାସଳଖ ପ୍ରଚାର ମୈଦାନ ମୁହାଁ ଦଳପତି । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ନବୀନ ଏପ୍ରିଲ ୩ରୁ ନିଜେ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାରୁ ମାରାଥନ କ୍ୟାମ୍ପେନ ଆରମ୍ଭ କରିବେ ।

ବିଜେଡିର ବିଜୟ ବାନା ଉଡାଇବା ପାଇଁ ଦକ୍ଷିଣରୁ ନବୀନ ଆରମ୍ଭ କରିବେ ମାରାଥନ ପ୍ରଚାର । ଦକ୍ଷିଣରୁ ଆରମ୍ଭ ହେବାକୁ ଥିବା ନବୀନଙ୍କ ଏହି କ୍ୟାମ୍ପେନ ଏପ୍ରିଲ ୨୭ରେ ଉତ୍ତର ଓଡିଶାରେ ଶେଷ ହେବ । ଏହି ସମୟସୀମା ମଧ୍ୟରେ ପୂରା ଓଡିଶା ବୁଲିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ଏପ୍ରିଲ ୩ରେ ବ୍ରହ୍ମପୁରରୁ ନବୀନ ଏକ ବଡ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଥିବା ବେଳେ ଏହାପରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିବ ବିଜେଡି । ପରେ ଦଳୀୟ ସଭାରେ ଯୋଗ ଦେଇ କର୍ମୀଙ୍କୁ ବିଜୟୀ ପାଇଁ ମନ୍ତ୍ର ଦେବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ବ୍ରହ୍ମପୁରର ପ୍ରତ୍ୟେକ ଅଞ୍ଚଳକୁ ବୁଲିବା ସହ ରୋଡ ସୋ’ରେ ଲୋକଙ୍କ ସହ ସିଧାସଳଖ ଯୋଡି ହେବାକୁ ଯୋଜନା କରିଛି ବିଜେଡି ।

ବ୍ରହ୍ମପୁରରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ଏପ୍ରିଲ ୧୧ରେ ଭୋଟଗ୍ରହଣ ହେବ । ବିଜେଡି ସୁପ୍ରିମୋ ନିଜ ହୋମଗ୍ରାଉଣ୍ଡରୁ ମାରାଥନ କ୍ୟାମ୍ପେନ ଆରମ୍ଭ କରିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ । ପୂର୍ବରୁ କୋରାପୁଟ ଆସନ ବିଜେଡି ହାତରେ ଥିବାରୁ ଚଳିତଥର ଏହାକୁ ହାତଛଡା କରିବାକୁ ଚାହୁଁନାହିଁ ଦଳ । ତେଣୁ ନୂଆ ଷ୍ଟ୍ରାଟେଜି ନେଇ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ।

କୋରାପୁଟରେ ପ୍ରଚାର ଶେଷ ହେବା ପରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବରଙ୍ଗପୁରରେ ପ୍ରଚାର କରିପାରନ୍ତି ନବୀନ । ରୋଡ ସୋ’ ଓ ରାଲି ସହ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟ ମାଗିବେ ନବୀନ । ଖାସକରି ଏହି ପ୍ରଚାର ସମୟରେ ଭୋଟରଙ୍କୁ ସହ ସିଧାସଳଖ ସର୍ମ୍ପକ ସ୍ଥାପନ ପାଇଁ ହାଇଟେକ ପ୍ରଚାର କରିପାରନ୍ତି ନବୀନ । ସ୍ୱତନ୍ତ୍ର ବସ ଓ ହୋଲୋଗ୍ରାମ ଜ୍ଞାନକୌଶଳ ମାଧ୍ୟମରେ ନବରଙ୍ଗପୁରର ସମସ୍ତ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଦଳ । ଷ୍ଟାର ପ୍ରଚାରକ ଭାବେ ନବୀନ କର୍ମୀଙ୍କ ମନରେ ଜୋଶ ଭରିବା ସହ ଏହି ୨ଟି ନିର୍ବାଚନମଣ୍ଡଳୀରେ ରାତ୍ରୀ ଯାପନ କରିପାରନ୍ତି ବୋଲି ଶୁଣାଯାଉଛି । ଯାହା ବିଜେଡି ପ୍ରାର୍ଥୀଙ୍କୁ ବେଶ ସୁହାଇବ ବୋଲି ଚର୍ଚ୍ଚା ହେଉଛି । କାରଣ ନବରଙ୍ଗପୁରରେ ଚଳିତ ଥର ତ୍ରିମୁଖୀ ଲଢେଇ ହେବ ବୋଲି ଆକଳନ କରାଯାଉଥିବା ବେଳେ ଏଠାରେ ପୁଣିଥରେ ବିଜେଡି ବିଜୟ ବାନା ଉଡାଇବାକୁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହିଁ ।