ପଶ୍ଚିମ ଓଡିଶାର ୩୦ ଆସନ ଉପରେ ବିଜେଡିର ନଜର! ଝାରସୁଗୁଡାରେ ମିଶ୍ରଣ ପରେ ବଲାଙ୍ଗୀରରେ ନବୀନ ଯୁବକଙ୍କୁ ଦେବେ ମନ୍ତ୍ର

Advertisment
ପଶ୍ଚିମ ଓଡିଶାର ୩୦ ଆସନ ଉପରେ ବିଜେଡିର ନଜର! ଝାରସୁଗୁଡାରେ ମିଶ୍ରଣ ପରେ ବଲାଙ୍ଗୀରରେ ନବୀନ ଯୁବକଙ୍କୁ ଦେବେ ମନ୍ତ୍ର

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ନବୀନଙ୍କ ଫୋକସରେ ରହିଛି ପଶ୍ଚିମ ଓଡିଶା । ଖାସକରି କଂଗ୍ରେସର ଗଡ କୁହାଯାଉଥିବା ପଶ୍ଚିମ ଓଡିଶାରେ ଏଥର ଶଙ୍ଖନାଦ କରିବାକୁ ଫୁଲ ଦମରେ ଲାଗିଛି ବିଜେଡି । ପଶ୍ଚିମ ଓଡିଶାରେ ଯେପରି ବିଜେଡି କ୍ଲିନ ସ୍ୱିପ କରିପ ସେଥିପାଇଁ ଏବେଠୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିଜେଡିର ନିର୍ବାଚନୀ ମ୍ୟାନେଜମେଣ୍ଟ ଟିମ୍ । କଂଗ୍ରେସର ଗଡକୁ ଦଖଲ କରିବାକୁ ବାହାରିଥିବା ବିଜେଡି ପ୍ରଥମେ କଂଗ୍ରେସରୁ ଇସ୍ତଫା ଦେଇଥିବା ଝାରସୁଗୁଡା ବିଧାୟକ ନବ ଦାସକୁ ନିଜ ସପକ୍ଷକୁ ଆଣିବାରେ ସକ୍ଷମ ହୋଇଛି । ବିଧିବଦ୍ଧ ଭାବେ ନବ ବିଜେଡିରେ ସାମିଲ ହୋଇନଥିଲେ ମଧ୍ୟ ଆସନ୍ତାକାଲି ନବୀନଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିବେ ବୋଲି ଏକରକମ ସ୍ଥିର ହୋଇସାରିଛି । ଏପରିକି ଆସନ୍ତାକାଲି ନବୀନଙ୍କ ସମାବେଶରେ ଲକ୍ଷାଧିକ ଲୋକଙ୍କୁ ଏକାଠି କରି ନବ ନିଜର ଶକ୍ତି ପ୍ରଦର୍ଶନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତିରେ ଶେଷ ସ୍ପର୍ଶ ଦିଆସରିଛି । ଆଉ ଏହିଠାରୁ ହିଁ ଆରମ୍ଭ ହେବ ନବୀନଙ୍କ ମିଶନ ପଶ୍ଚିମ ଓଡିଶା ଅଭିଯାନ ।

ପଶ୍ଚିମ ଓଡିଶା ଭୋଟରଙ୍କ ଉପରେ ଏବେ ୩ ପ୍ରମୁଖ ଦଳଙ୍କ ନଜର । ଖାସକରି ମୋଦିଙ୍କ ବଲାଙ୍ଗୀର ସମାବେଶ ପରେ ୩ ପ୍ରମୁଖ ରାଜନୈତିକ ଦଳଙ୍କ ରାଡାରରେ ପଶ୍ଚିମ ଓଡିଶା ଭୋଟବ୍ୟାଙ୍କ । ଆଉ ଏହି ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ଏବେ କସରତ ଆରମ୍ଭ କରିଛି ବିଜେଡି । ପଶ୍ଚିମ ଓଡିଶାରେ ମୋଦିଙ୍କ କ୍ରେଜକୁ ଫିକା କରିବାକୁ ବଲାଙ୍ଗୀର ଠାରେ ହିଁ ଯୁବ ସମାବେଶ କାର୍ଯ୍ୟକ୍ରମର ଆୟୋଜନ କରିଛି ବିଜେଡି । ପାଖାପାଖି ୨୫ରୁ ୩୦ ହଜାର ଯୁବକ ଯୁବତୀଙ୍କୁ ଏହି ସମାବେଶରେ ସାମିଲ କରି ଯୁବ ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ଆଣିବାକୁ ଲକ୍ଷ୍ୟ ରଖିଛି ଦଳ ।

publive-imageବଲାଙ୍ଗୀର ଓ ଝାରସୁଗୁଡା ଦୁଇଟି ସଭାରେ ନବୀନ ଯୋଗ ଦେବାକୁ ଯାଉଥିବା ବେଳେ ଝାରସୁଗୁଡା ସମାବେଶ ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଏହି ସମାବେଶରୁ ହିଁ ମିଶନ ପଶ୍ଚିମ ଓଡିଶା ଅଭିଯାନ ଆରମ୍ଭ କରିବେ ନବୀନ । ପଶ୍ଚିମ ଓଡିଶାର ୩୦ଟି ବିଧାନସଭା ଆସନ ଉପରେ ଏବେ ବିଜେଡିର ନଜର ରହିଛି । ଖାସକରି ବରଗଡ ଲୋକସଭା ଆସନରୁ ପଶ୍ଚିମ ଓଡିଶା ମିଶନ ଆରମ୍ଭ କରିବାକୁ ଯୋଜନା କରିଛି ବିଜେଡି । କାରଣ ଗତ ପଞ୍ଚାୟତ ନିର୍ବାଚନରେ ଏହିଠାରେ ଚିତପଟାଙ୍ଗ ମାରିଥିଲା ବିଜେଡି । କାମ କରିନଥିଲା ନବୀନଙ୍କ ଯାଦୁ । ଗୋଟିଏ ପଟେ ବରଗଡ ଜିଲ୍ଲାରେ ବିଜେପି ନିଜର ଦବଦବା ଜାହିର କରିଥିଲା ଆଉ ଅନ୍ୟପଟେ ନବଙ୍କ ଗଡ ଝାରସୁଗୁଡାରେ ବିଜେଡିକୁ ମାତ୍ ଦେଇଥିଲା କଂଗ୍ରେସ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ ଦୁଇଟି ନିର୍ବାଚନ କଥା ଯଦି ଦେଖିବା ତେବେ ସାରା ଓଡିଶାରେ ନବୀନଙ୍କ ଯାଦୁ ଦେଖିବାକୁ ମିଳିଥିବା ବେଳେ ଝାରସୁଗୁଡା, ବିଜେପୁର, ବ୍ରଜରାଜନଗର ଆସନରେ ବିଜେଡିକୁ ପରାଜୟ ମୁହଁ ଦେଖିବାକୁ ମିଳିଥିଲା । ଏହାଛଡା ୨୦୧୪ରେ ପଦ୍ମପୁର ଆସନ ମଧ୍ୟ ବିଜେଡି ଖାତାରୁ ଖସି ବିଜେପି ଖାତାକୁ ଯାଇଥିଲା । ଯାହା ଦର୍ଶାଉଥିଲା ବିଜେଡିର ସ୍ଥିିତି ଏଠାରେ ସମ୍ପୂର୍ଣ୍ଣ ଦୁର୍ବଳ ଥିଲା । ତେବେ ବିଜେପୁର ଉପନିବାର୍ଚନ ଜିତି ପଞ୍ଚାୟତ ନିବାର୍ଚନ ପରେ ଜବରଦସ୍ତ କମବ୍ୟାକ କରିଥିଲା ବିଜେଡି । ତେଣୁ ଏହି ବିଜୟଧାରାକୁ ଆଗକୁ ନେବାକୁ ଏବେ ମିଶନ ପଶ୍ଚିମ ଓଡିଶା ଅଭିଯାନ ଆରମ୍ଭ କରିଛି ବିଜେଡି ।

publive-imageଖାସକରି କଂଗ୍ରେସର ଗଡ କୁହାଯାଉଥିବା ଏହି ଅଞ୍ଚଳକୁ ସବୁଜ ଗଡରେ ପରିଣତ କରିବାକୁ ଯୋଜନା ଚଳାଇଛି ବିଜେଡି । ଆଉ ଏହାକୁ ପୂରଣ କରିବାକୁ ସବୁଜ କ୍ୟାମ୍ପରେ ଯୋଗ ଦେଇଛନ୍ତି ବିଜେପୁର ଉପନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ । ଏହାଛଡା ନବ ଦାସଙ୍କୁ ଦଳରେ ସାମିଲ କରିବା ସହ କଂଗ୍ରେସର ବଡ ଭୋଟବ୍ୟାଙ୍କକୁ ନିଜ ସପକ୍ଷରେ ଆଣିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଏହାଛଡା ପଶ୍ଚିମ ଓଡିଶାର ବିଜେପିର ଜଣେ ବିଧାୟକଙ୍କୁ ମଧ୍ୟ ରାଡାରରେ ରଖିଛି ବିଜେଡି । ଯଦି ସବୁକିଛି ଯୋଜନା ମୁତାବକ ଚାଲେ ତେବେ ପଶ୍ଚିମ ଓଡିଶାରେ ସୁପ୍ତ ହୋଇ ରହିଥିବା ବିଜେଡି ମଧ୍ୟରେ ନିର୍ବାଚନ ପୂର୍ବରୁ ଶତସିଂହର ବଳ ଆସିବ ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଯୋଜନା ମାଧ୍ୟମରେ ପଶ୍ଚିମ ଓଡିଶାକୁ ସବୁଜ ଗଡରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଜେଡି ସୁପ୍ରିମୋ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe