ନବୀନଙ୍କ ଫୋକସରେ କେନ୍ଦ୍ରାପଡା । ବିଶାଳ ରୋଡ ସୋ’ କରି ଅନୁଭବଙ୍କ ପାଇଁ ଭୋଟ ମାଗିଲେ, ନିର୍ବାଚନ ସଭାରୁ ବିଜେପି ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ ।

223

କନକ ବ୍ୟୁରୋ : ନବୀନଙ୍କ ନଜରରେ କେନ୍ଦ୍ରାପଡା । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରୁଥିବା ବେଳେ ଆଜି କେନ୍ଦ୍ରାପଡାରେ ବିଶାଳ ରୋଡ ସୋ କରିଛନ୍ତି । ଡେରାବିଶ, ଦୁହୁରିଆ, ତିନି ମୁହାଣୀ, କଲେଜ ଛକ ଓ କଜଳା ଛକ ଦେଇ ରୋଡ ସୋ କରିଥିଲେ ନବୀନ । ଏହାପରେ ବଳଦେବଜୀଉ ମନ୍ଦିର ଯାଇ ଦର୍ଶନ କରିଥିଲେ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ ଲୋକସଭା ଓ ୪୧ଟି ବିଧାନସଭା ଆସନ ପାଇଁ ଭୋଟ ପଡିବାକୁ ଥିବା ବେଳେ ଶେଷ ପର୍ଯ୍ୟାୟ ପ୍ରଚାରରେ ପ୍ରାର୍ଥୀ ଓ ନେତାମାନେ ପୁରା ଦମ୍ ଲଗାଇ ଦେଇଛନ୍ତି । କେନ୍ଦ୍ରାପଡାରେ ବିଜେଡିର ଅନୁଭବ ମହାନ୍ତି, କଂଗ୍ରେସ ଧରଣୀ ଧର ନାୟକ, ଓ ବିଜେପିର ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ଲଢେଇ ହେଉଛି । ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ରାତିରେ ରହିବା ସହ ଆସନ୍ତାକାଲି ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକାରେ ପ୍ରଚାର କରିବେ ।

ବିଜେପି ବିରୋଧରେ ଏପରି ଅଭିଯୋଗ କରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଡ଼ାରେ ଜନସଭାରେ ଯୋଗ ଦେଇ ସିଧା ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ନୁହେଁ ବିଜେପି ପାଇଁ ମୂଲ୍ୟବାନ ଓଡିଶାବାସୀଙ୍କ ଭୋଟ । ନିର୍ବାଚନ ବେଳେ ଭୋଟ ମାଗିବା ପାଇଁ ୧୦ ଥର ପ୍ରଧାନମନ୍ତ୍ରୀ ଆସିଲେଣି, ହେଲେ ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ବେବେ ତାଙ୍କର ଦେଖା ନଥିଲା ବୋଲି କହିଛନ୍ତି ନବୀନ ।

ଏହାଛଡା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ପୁଣିଥରେ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ନବୀନ । ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ବିଜେପି ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏରସମା ନିର୍ବାଚନୀ ସଭାରେ ଯୋଗ ଦେବା ପରେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ବିଶାଳ ରୋଡ ସୋ’ କରି ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି ନବୀନ । ଏହି ରୋଡସୋ’ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।