ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । କଥାରେ ନୁହେଁ କାମରେ କରି ଦେଖାଇଛନ୍ତି ନବୀନ, ଦାମୀ ଚିକିତ୍ସା ପାଇଁ ଗରିବଙ୍କ ସାହା ଭରସା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ।

143

କନକ ବ୍ୟୁରୋ : ଟଙ୍କା ନଥିଲେ ବି ଆଉ ଚିକିତ୍ସା ପାଇଁ ହଲପଟା ହେବାକୁ ପଡିବ ନାହିଁ, କାହା ପାଖରେ ହାତ ପତାଇବାକୁ ପଡିବ ନାହିଁ । କେବଳ ଗୋଟିଏ କାର୍ଡ ଦେଖାଇଲେ ମାଗଣାରେ ଚିକିତ୍ସା ସୁବିଧା ମିଳିବ । ସରକାରୀ ହସ୍ପିଟାଲରୁ ଆରମ୍ଭ କରି ବେସରକାରୀ ହସ୍ପିଟାଲ, ବିନା ଟଙ୍କାରେ ଚିକିତ୍ସା ସୁବିଧା ପାଇବେ କୋଟି କୋଟି ଲୋକ । କାରଣ ରାଜ୍ୟର ୯୬ ଲକ୍ଷ ପରିବାର ପାଖରେ ପହଞ୍ଚିବ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଞ୍ଜିବନୀ କୁହାଯାଉଥିବା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ । ଟଙ୍କିକିଆ ଚାଉଳ, ଆହାର ଭଳି ନବୀନଙ୍କ ଜନକଲ୍ୟାଣକାରୀ ଯୋଜନା ଭିତରୁ ଅନ୍ୟତମ ଯୋଜନା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ।

ନବୀନ ନିଜ ଶାସନ କାଳରେ ଅନେକ ଲୋକାଭିମୁଖୀ ଓ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି । ଆଉ ନବୀନଙ୍କ ଏହି ଯୋଜନାକୁ ପରବର୍ତ୍ତୀ ସମୟରେ ପୂରା ଦେଶ ଆପଣାଇଛି । ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ନବୀନଙ୍କର ଅନ୍ୟ ଯୋଜନା ଅପେକ୍ଷା ବେଶ ଲୋକପ୍ରିୟ ଓ ଆବଶ୍ୟକୀୟ ମଧ୍ୟ । କାରଣ କ୍ଷମତାର ଡୋରି ଧରିବା ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ରକୁ ନବୀନ ନିଜ ଆଖିରେ ଦେଖିଥିଲେ । କେମିତି ଅର୍ଥ ଅଭାବରୁ ଗରିବ ଲୋକଟିଏ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛି, କିଭଳି ନିଜ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ବାର ଦୁଆରେ ହାତ ପତାଉଛି, ଆଉ କିଏ ଉନ୍ନତ ଚିକିତ୍ସା ଅଭାବରୁ ଆଖି ବୁଜୁଛି । ସାଧାରଣ ଲୋକଙ୍କ ଏଭଳି ଦାରୁଣ ଦୁଃଖକୁ ଦୂର କରିବାକୁ ନବୀନ ଆଣିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । କେବଳ ଗୋଟିଏ ଲକ୍ଷ୍ୟ ଥିଲା, ଗରିବ ଲୋକ ଆଉ ଅର୍ଥ ଅଭାବରୁ ହନ୍ତସନ୍ତ ହେବେନି, ନାମୀଦାମୀ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇବେ ଆଉ ତାହା ବି ପୂରା ମାଗଣା ।

ନବୀନଙ୍କ ଗୋଟିଏ ଘୋଷଣା ସ୍ୱାସ୍ଥ୍ୟକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା । ଏହି ଯୋଜନା କେବଳ ଗରିବଙ୍କ ପାଇଁ ଆଶାର କିରଣ ହୋଇ ଉଭା ହୋଇନଥିଲା ବରଂ ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଥିଲା । ଆଉ ନବୀନଙ୍କ ଏହି ନିଷ୍ପତ୍ତିକୁ ସେତେବେଳେ ଚାରିଆଡୁ ପ୍ରଂଶସା କରାଯାଇଥିଲା । ନବୀନ ଯୋଜନା ଆଣିଲେ, ସାଧାରଣ ଲୋକ ମାଗଣା ଚିକିତ୍ସା ପାଇଲେ । ତେବେ ଏହି ଘୋଷଣାର ୩ ବର୍ଷ ପରେ ନବୀନ ପୁଣିଥରେ ଏହି ଯୋଜନାକୁ ନୂଆ ରୂପ ଦେଲେ । ଯୋଜନାକୁ ଆହୁରି ସ୍ମାର୍ଟ ଓ କ୍ରୀୟାଶୀଳ କରିବାକୁ ୨୦୨୧ ଅଗଷ୍ଟ ୧୫ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡର ଘୋଷଣା କଲେ ନବୀନ । ପୂରା ଯୋଜନାକୁ ସ୍ୱାର୍ଟ ଉପାୟରେ ଗୋଟିଏ କାର୍ଡ ଭିତରେ ସୀମିତ କରି କିଭଳି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ତାହାର ରୂପରେଖ ପ୍ରସ୍ତୁତ କଲେ । ଯାହାଦ୍ୱାରା ମାଗଣା ଚିକିତ୍ସା ପାଇଁ ଆଉ କାଗଜପତ୍ରର ଆବଶ୍ୟକତା ପଡିବ ନାହିଁ, କେବଳ କାର୍ଡଟିଏ ଦେଖାଇଲେ ଦେଶର ୨୦୦ଟି ହସ୍ପିଟାଲରେ ମାଗଣା ଚିକିତ୍ସା ମିଳିବ । ଆଉ ଏଭଳି ସ୍ମାର୍ଟ ହେଲଥ କାର୍ଡ ଯୋଗାଇଦେଇ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସ୍ୱାସ୍ଥ୍ୟକ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି । ଏବେସୁଦ୍ଧା ରାଜ୍ୟର ୫ ଜିଲ୍ଲାର ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ଯୋଗାଇ ଦିଆଯାଇଥିବା ବେଳେ ଖୁବଶୀଘ୍ର ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ଏହି କାର୍ଡ ମିଳିବ । ଯାହାଦ୍ୱାରା ପରିବାର ପିଛା ୫ ଲକ୍ଷ ଓ ମହିଳା ବାର୍ଷିକ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇପାରିବେ ।

ନବୀନଙ୍କ ଏହି ନିଷ୍ପତ୍ତି କେବଳ ଗରିବ, ଖଟିଖିଆ, ଦିନ ମଜୁରିଆ ଓ ସାଧାରଣ ଲୋକଙ୍କ ଚିନ୍ତା ଦୂର କରିନାହିଁ ବରଂ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ନିରାପତ୍ତାକୁ ଆହୁରି ସୁଦୃଢ କରିଛି । କାରଣ ନବୀନଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଏକଥା ବାରମ୍ବାର ଦୋହରାଇ ଆସିଛନ୍ତି ନବୀନ ।ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାକୁ ଏଭଳି ଏକ ସ୍ଥାନରେ ପହଞ୍ଚାଇବା ଦିଗରେ ନବୀନଙ୍କ ଭୂମିକା ବେଶ ପ୍ରଂଶସନୀୟ । ନବୀନଙ୍କ ଏଭଳି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିକାଶରେ ଏକ ନୂଆ ଯୁଗର ପୁନାଦି ପକାଇଛି ।