ଯେବେ ପାଟକୁରାରେ ଚାଲିଥିଲା ଭୋଟ ଗଣତି, କ’ଣ କରୁଥିଲେ ବିଜେଡି ସୁପ୍ରିମୋ ? ଦେଖନ୍ତୁ ନବୀନଙ୍କ ଆଉ ଏକ ଭାଇରାଲ ଫିଟନେସ୍ ଭିଡ଼ିଓ ।

963

କନକ ବ୍ୟୁରୋ : ନବୀନଙ୍କ ଫିଟନେସ୍ ଫଣ୍ଡା ପାର୍ଟ-୨ । ଗୋଟିଏ ପଟେ ପାଟକୁରାରେ ବିଜେଡି ବିଜୟ ବାନା ଉଡାଉଥିବା ବେଳେ ଅନ୍ୟପଟେ ନବୀନଙ୍କୁ ଦେଖିବାକୁ ମିଳିଥିଲା ନିଆରା ଅନ୍ଦାଜରେ । ପାଟକୁରାରେ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଭୋଟ ଗଣତି ଚାଲିଥିବା ବେଳେ ନବୀନ ନିବାସରେ ରାଉଣ୍ଡ ପରେ ରାଉଣ୍ଡ ମାରି ଚାଲିଥିଲେ ବିଜେଡି ସୁପ୍ରିମୋ । ଧଳା ଟ୍ରାଉଜର ସାଙ୍ଗକୁ ଧଳା ଟି-ସାର୍ଟ ପିନ୍ଧି ନବୀନ ଦୌଡିଥିବାର ଭିଡିଓ ଭାଇରାଲ ହୋଇଛି ।

୮ ସେକେଣ୍ଡର ଏହି ଭିଡିଓରେ ନବୀନ ବେଶ ଫୂର୍ତ୍ତି ଥିବା ଦେଖିବାକୁ ମିଳିଛି । ଏହାଛଡା ଏହି ସମୟରେ ପାଟକୁରା ଭୋଟ ଗଣତିର ଖବର ପାଇଁ ନବୀନ ନିବାସରେ କନକ ନ୍ୟୁଜ୍ ଲାଗିଥିବାର ଦେଖିବାକୁ ମିଳିଛି । ନବୀନଙ୍କର ଏହା ପ୍ରଥମ ଫିଟନେସ୍ ଭିଡିଓ ନୁହେଁ ଯାହା ଭାଇରାଲ ହୋଇଛି । ଚଳିତ ନିର୍ବାଚନ ପୂର୍ବରୁ ମଧ୍ୟ ବିଜେଡି ସୁପ୍ରିମୋଙ୍କର ଏଭଳି ଏକ ବ୍ୟାୟାମ ଭିଡିଓ ଭାଇରାଲ ହୋଇଥିଲା ।

ଯେଉଁଥିରେ କଳା ଟିସାର୍ଟ ଓ ଟ୍ରାଉଜରରେ ନଜର ଆସିଥିଲେ ନବୀନ । ଆଉ ନିଜକୁ ଫିଟ୍ ରଖିବା ପାଇଁ ପ୍ରାତଃ ଭ୍ରମଣ ଠାରୁ ଆରମ୍ଭ କରି ନବୀନ ଜିମରେ ଝାଳ ବୁହାଉଥିବାର ଦେଖିବାକୁ ମିଳିଥିଲା। ଏପରିକି ନିଜ ସକାଳ ବ୍ୟାୟାମରେ ସୂର୍ଯ୍ୟ ନମସ୍କାର କରିବା ସହ ଜଗିଂ କରୁଥିବାର ନଜର ଆସିଥିଲେ ନବୀନ । ଆଉ ଏହି ନୂଆ ଅନ୍ଦାଜରେ ମଧ୍ୟ ନବୀନଙ୍କୁ ବେଶ ଆକ୍ଟିଭ ମୁଡରେ ଦେଖିବାକୁ ମିଳିଥିଲା ।

ନିର୍ବାଚନ ପୂର୍ବରୁ ଫିଟନେସ୍ ଭିଡ଼ିଓ ମାଧ୍ୟମରେ ନବୀନ ନିଜକୁ ଫିଟ୍ ଥିବା ଦର୍ଶାଇଥିଲେ । ଓଡ଼ିଶାବାସୀଙ୍କ ପାଇଁ ସେ ଲଢିବାକୁ ପ୍ରସ୍ତୁତ ଥିବା କହିଥିଲେ ନବୀନ । ଏପରିକି ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅପପ୍ରଚାର କରାଯାଉଥିବା ଅଭିଯୋଗ ଆଣିଥିଲେ ବିଜେଡି ସୁପ୍ରିମୋ । ଦଳରେ ଥାଇ ବୈଜୟନ୍ତ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା କହିଥିଲେ ନବୀନ । ସେତେବେଳେ ନବୀନଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ବଡଧରଣର ହଟଚମଟ ସୃଷ୍ଟି କରିଥିଲା ।

ଏସବୁ ବାଦ୍ ମଧ୍ୟ ନିର୍ବାଚନ ସମୟରେ ମଧ୍ୟ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଅପପ୍ରଚାର କରାଯାଇଥିଲା । ଏହାସତ୍ତେ୍ୱ ବିଜେଡି ପ୍ରାର୍ଥୀଙ୍କ ପାଇଁ ପୂରା ରାଜ୍ୟରେ ମାରାଥନ ପ୍ରଚାର କରି ଅପପ୍ରଚାରକାରୀଙ୍କୁ କଡା ଜବାବ ଦେଇଥିଲେ ନବୀନ । ଆଉ ଏସବୁ ଭିତରେ ନିର୍ବାଚନ ଶେଷ ହୋଇଛି ଓ ବିଜେଡି ବହୁମତ ସହ ସରକାର ଗଠନ କରିଛି । ତେବେ ପୁଣିଥରେ ନବୀନଙ୍କ ଭାଇରାଲ ଫିଟନେସ ଭିଡ଼ିଓ ଦର୍ଶାଇଛି ଯେ, ନବୀନ ଏବେ ମଧ୍ୟ ଫିଟ୍ ରହିଛନ୍ତି ।