ବିପର୍ଯ୍ୟୟ ମୁକାବିଲା, ନବୀନଙ୍କ ଫର୍ମୁଲା । ବାତ୍ୟା- ବନ୍ୟା-କରୋନା, ମହାବିପତ୍ତିକୁ ମାତ୍ ଦେଇ ନବୀନ ସାଉଁଟିଛନ୍ତି ବିଶ୍ୱରୁ ବାଃ ବାଃ ।

65

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନାର ମୁକାବିଲା ରାଜ୍ୟ ସରକାରଙ୍କ ଆଗରେ ବଡ ଆହ୍ୱାନ ସୃଷ୍ଟି କରିଥିଲା । ହେଲେ ଆରମ୍ଭରୁ କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି । ସମସ୍ତ ସୂଚକାଙ୍କରେ ଜାତୀୟ ହାର ତୁଳନାରେ ଭଲ ରହିଛି । ବର୍ତମାନ ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି । କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିରେ ଉନ୍ନତି ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ଓ ଦୂରଦୃଷ୍ଟି ଯୋଗୁଁ ରାଜ୍ୟରେ କୋଭିଡ ପରିଚାଳନା ଦେଶ ତଥା ବିଶ୍ୱ ପାଇଁ ଉଦାହରଣ ପାଲଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ପ୍ରଶଂସା କରିଛି ।

କୋଭିଡ ପରିଚାଳନାରେ ଓଡିଶାକୁ ସଫଳତା
– ରାଜ୍ୟରେ କୋଭିଡ ମୃତ୍ୟୁ ହାର ୦.୪୧%
– ସାରା ଦେଶରେ ଏହି ହାର ରହିଛି ୧.୫୩%
– ରାଜ୍ୟରେ ରିକଭରି ରେଟ୍ ୯୦.୮୫%
– ଦେଶରେ ରିକଭରି ରେଟ୍ ୮୭.୦୫%

ସାରା ବିଶ୍ୱ ପାଇଁ ସଂକଟ ନେଇଆସିଥିବା କରୋନା ମହାମାରୀର ମୁକାବିଲା କରିବାକୁ ମୂଳରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ରାଜ୍ୟ ସରକାର । ଏପ୍ରିଲ ୨ ତାରିଖ ବେଳକୁ ରାଜ୍ୟରେ ଯେତେବେଳେ ମାତ୍ର ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ସେତେବେଳକୁ ୬୫୦ ହସ୍ପିଟାଲ ବେଡର ବ୍ୟବସ୍ଥା କରିସାରିଥିଲେ ସରକାର । ବର୍ତମାନ କୋଭିଡ ପରିଚାଳନା ପାଇଁ ସରକାରଙ୍କ ପଦକ୍ଷେପ
– ୬୨ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସ୍ଥାପନା କରିଛନ୍ତି
– ଏସବୁ ହସ୍ପିଟାଲରେ ରହିଛି ୮ ହଜାର ୨୪୫ ବେଡ୍
– ୧ ହଜାର ୪୨୬ ଆଇସିୟୁ କିମ୍ବା ଏଚଡିୟୁ ବେଡ୍ ଅଛି
– ମୋଟ୍ ୫୩୧ଟି ଭେଂଟିଲେଟର ମହଜୁଦ ରଖାଯାଇଛି

ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ବାଦ ସାରା ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା କୋଭିଡ କେୟାର ସେଣ୍ଟରରେ ୧୬ ହଜାର ୮୨୮ ବେଡର ବ୍ୟବସ୍ଥା କରାଯାଇଛି । ସବୁଠାରୁ ବଡକଥା ହେଉଛି କୋଭିଡ ପରୀକ୍ଷା ଓ ଆକ୍ରାନ୍ତଙ୍କ ଚିକିତ୍ସାକୁ ସଂପୂର୍ଣ୍ଣ ମାଗଣା କରିଛନ୍ତି ରାଜ୍ୟ ସରକାର । ଯାହା କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲର ବ୍ୟୟବହୁଳ ବିଲ ବୋଝରୁ ମୁକ୍ତି ଦେବା ସହ ମାନଶିକ ଆଶ୍ୱସ୍ତି ପ୍ରଦାନ କରୁଛି । ଘରୋଇ ହସ୍ପିଟାଲ ସହ ଭାଗିଦାରୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏଥିସହ କରୋନା ପରୀକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
କୋଭିଡ ପରୀକ୍ଷାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ
– ବର୍ତ୍ତମାନ ଦିନକୁ ୫୦ ହଜାରରୁ ଅଧିକ କୋଭିଡ ପରୀକ୍ଷା ହେଉଛି
– କୋଭିଡ ପରୀକ୍ଷାର ମଧ୍ୟ ଜାତୀୟ ହାରଠାରୁ ଅଧିକ ରହିଛି
– ପ୍ରତି ୧୦ ଲକ୍ଷରେ ଦୈନିକ ୮୪ ହଜାର ୩୨୬ ପରୀକ୍ଷା ହେଉଛି
– ଜାତୀୟ ସ୍ତରରେ ଏହି ହାର ରହିଛି ୬୬ ହଜାର ୭୩୩
– ହେଲେ ଜାତୀୟ ସ୍ତରରେ ସଂକ୍ରମଣ ହାର ୮.୦୭% ରହିଛି
– ଆମ ରାଜ୍ୟରେ କିନ୍ତୁ କରୋନା ସଂକ୍ରମଣ ହାର ୬.୭% ରହୁଛି

୧୩ ମାର୍ଚ୍ଚରେ କରୋନା ମହାମାରୀକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ମୁକାବିଲା ମୂଳକ ପଦକ୍ଷେପ ମାନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରାଦେଶରେ ଲକଡାଉନ ପୂର୍ବରୁ ୨୧ ମାର୍ଚ୍ଚରେ ତାଲାବନ୍ଦ ଘୋଷଣା କରି ସଂକ୍ରମଣକୁ ରୋକିବା ପାଇଁ ନେଇଥିଲେ ସତର୍କତା ମୂଳକ ପଦକ୍ଷେପ । ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସାହୟା ଘୋଷଣା ସହ ପରିବାର ସଦସ୍ୟଙ୍କୁ ଦରମା ଘୋଷଣା କରି କୋଭିଡ ଯୋଦ୍ଧାଙ୍କ ମନୋବଳକୁ ବଢାଇଥିଲେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ନେତୃତ୍ୱରେ ଅଗ୍ରଗଣ୍ୟ ରାଜ୍ୟ ଭାବେ ଜଟିଳା କରୋନା ରୋଗୀଙ୍କ ଚିତିତ୍ସା ପାଇଁ ପ୍ଲାଜମା ଥେରାପି ଆରମ୍ଭ କରିଥିଲା ଓଡିଶା । ଆଜି ରାଜ୍ୟରେ ୬ଟି ସ୍ୱତନ୍ତ୍ର ପ୍ଲାଜମା ହସ୍ପିଟାଲର ସ୍ଥାପନା କରାଯାଇ ପାରିଛି ।

ତେବେ କୋଭିଡ ପରିଚାଳନାରେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ତୁଳନାରେ ଭଲ ପ୍ରଦର୍ଶନ ସତ୍ୱେ ସତର୍କତା ଅବଲମ୍ବନରେ ଅବହେଳା କରିନାହାନ୍ତି ରାଜ୍ୟ ସରକାର । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତାର ସୂଚନା ଦେଉଛି ଯେ, କୋଭିଡ ସତର୍କତାରେ ଢିଲାପଣ ଆସିଲେ ପରିସ୍ଥିତି ଗମ୍ଭୀର ହୋଇପଡିବ ବୋଲି ସେ ଚେତାଇ ଦେଇଛନ୍ତି । ଆଗକୁ ପୂଜା ଋତୁ ସହ ଶୀତ ଋତୁ ଆସୁଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହିବାକୁ ତାଗିଦ କରିଛନ୍ତି । ସଚେତନତା କାର୍ଯ୍ୟକ୍ରମ ସହ କୋଭିଡ ନିୟମାବଳୀକୁ ଦୃଢ ଭାବରେ କାର୍ଯ୍ୟକାରୀ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ ।