ପାଳି ପରେ ପାଳି । ଦୁର୍ନୀତିଖୋରଙ୍କୁ ଛାଡନ୍ତନି, ଦାଗୀ ନେତାଙ୍କୁ ପାଖ ପୂରାନ୍ତିନି । ବଡ ବଡ ନିଷ୍ପତି ନେଇ ଆଞ୍ଚଳିକ ରାଜନୀତିର ବନିଛନ୍ତି ବେତାଜ ବାଦଶାହା ।

577

କନକ ବ୍ୟୁରୋ : ରାଜନୀତି ପଡ଼ିଆର ପୋଖତ ପ୍ଲେୟାର ନବୀନ ପଟ୍ଟନାୟକ। ନିଜର ୨୪ ବର୍ଷର ପଲିଟିକାଲ କ୍ୟାରିଅରରେ ୨୧ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ନବୀନ। ଆଉ ଆଜି ମୁଖ୍ୟମନ୍ତ୍ରୀ ଭାବେ ନିଜ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ କରିଛନ୍ତି ନବୀନ । ୨୦୦୦ ମସିହା ପ୍ରଥମ ବିଧାନସଭା ନିର୍ବାଚନରେ ନବୀନଙ୍କୁ ଯେତିକି ଜନ ସମର୍ଥନ ମିଳିଥିଲା, ତାହା ପ୍ରତି ନିର୍ବାଚନରେ ବୃଦ୍ଧି ହେବା ସହ ଏବେ ନବୀନଙ୍କ ନାଁରେ ଏକ ଭୋଟବ୍ୟାଙ୍କରେ ପରିଣତ ହୋଇଛି ।  ଦୂରଦୃଷ୍ଟି ଏବଂ ସ୍ୱଚ୍ଛ ଭାବମୂର୍ତୀ ତାଙ୍କୁ କରିଛି ଦେଶର ଏକ ନମ୍ବର ପ୍ରଶାସକ ଆଉ  ଆଦର୍ଶ ମୁଖ୍ୟମନ୍ତ୍ରୀ। ତେବେ ନବୀନଙ୍କ ଏମିତି କିଛି ବଡ଼ ବଡ଼ ନିଷ୍ପତ୍ତି ତାଙ୍କୁ ଦେଶର ଜଣେ ବିରଳ ରାଜନେତା ଭାବେ ଗଢ଼ି ତୋଳିଛି।

ନେତା ନମ୍ବର ୱାନଙ୍କ ନୂଆ ନୂଆ ନୀତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନକଲ୍ୟାଣକାରୀ ଯୋଜନାରେ ଓଡିଶାବାସୀଙ୍କ ସମସ୍ୟା ଦୂରକରିବାକୁ ସର୍ବଦା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରନ୍ତି। ଓଡ଼ିଶା ଏକ କୃଷିପ୍ରବଣ ରାଜ୍ୟ ହୋଇଥିବାରୁ ନବୀନ ପ୍ରଥମେ ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦିଅନ୍ତି। ସେଥିପାଇଁ ତ କାଳିଆ ଓ ବଳିଆ ଯୋଜନାରେ ଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରି ଚାଷିକୂଳଙ୍କ ମୁହଁରେ ହସ ଫୁଟାଇଛନ୍ତି ନବୀନ। ଖାଲି ଏତିକି ନୁହେଁ ମହିଳାଙ୍କୁ ସଶକ୍ତିକରଣ କରିବାକୁ ‘ମିଶନ ଶକ୍ତି’, ମହିଳାଙ୍କ ପାଇଁ ନିର୍ବାଚନରେ ୩୩% ଆସନ ସଂରକ୍ଷଣ, ମାଆ ମାନଙ୍କ ପାଇଁ ମମତା ଯୋଜନା ଭଳି ନବୀନଙ୍କ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟରେ ମାଷ୍ଟରଷ୍ଟ୍ରୋକ ଭାବେ ରହି ଆସିଛି। ଯାହା କି ଅନ୍ୟ ରାଜ୍ୟଗୁଡିକ ପାଇଁ ଏକ ଆଦର୍ଶ ଓ ଉଦାହରଣ ପାଲଟିଛି।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବି ବିଜୁ ସ୍ୱାସ୍ଥ୍ୟ ଯୋଜନା ଜରିଆରେ ନବୀନ ଆଣିଛନ୍ତି ବଡ଼ ବିପ୍ଳବ। ତାଙ୍କର ଏହି ନିଷ୍ପତ୍ତି ଯୋଗୁଁ ଆଜି ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାରକୁ ସ୍ୱାସ୍ଥ୍ୟବୀମାରେ ସାମିଲ କରାଇ ପାରିଛି। ରାଜ୍ୟରେ ମେଡିକାଲ କଲେଜର ଗଠନ ନବୀନଙ୍କ ପ୍ରତେକ ପାଳିରେ ବଢିବାରେ ଲାଗିଛି। ଓଡ଼ିଶାର ବଡ଼ ମେଡିକାଲ ଏସସିବିକୁ ଏମ୍ସ ପ୍ଲସରେ ପରିଣତ କରିବା ପାଇଁ ନବୀନ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବାକୁ ମୋ ସରକାର ଓ ଫାଇଭ-ଟି ଜରିଆରେ ବାରମ୍ବାର ତଦାରଖ ମଧ୍ୟ କରୁଛନ୍ତି।  ଯାହା ଆଗାମୀ ଦିନରେ ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରି ଆଗକୁ ଏକ ନୂଆ ବାଟ ବାହାର କରିବ। ଏବଂ ହସ୍ପିଟାଲରେ ଯେମିତି କେହି ସମସ୍ୟାରେ ସମ୍ମୁଖୀନ ନହେବେ ସେନେଇ ମଧ୍ୟ ମୋ ସରକାର ଜରିଆରେ ଅଧିକ ଗୁରୁତ୍ୱ ଦେଉଛନ୍ତି ନବୀନ।

ଦାଗୀ ନେତା-ଅଫିସରଙ୍କୁ ଦୁର୍ନୀତି ଦଣ୍ଡ

ନବୀନ ସରକାରର ସବୁଠୁ ବଡ ପଦକ୍ଷେପ ଥିଲା ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଶାସ୍ତି ଦେବା । କୌଣସି ବି ସରକାରୀ ଅଧିକାରୀଙ୍କ ଦୁର୍ନୀତିକୁ ବରଦାସ୍ତ କରିନାହାନ୍ତି ନବୀନ ସରକାର । ଗତ କିଛି ବର୍ଷ ମଧ୍ୟରେ କିଛି ଏପରି କାର୍ୟ୍ୟାନୁଷ୍ଠାନ ନବୀନ ସରକାର ଗ୍ରହଣ କରିଛନ୍ତି, ଯାହା ସୁଚାଉଛି ରାଜ୍ୟରେ କିପରି ଚାଲିଛି ଏକ ଦାୟିତ୍ୱବାନ ସ୍ୱଚ୍ଛ ସରକାର । ପଞ୍ଚମ ପାଳି ମଧ୍ୟରେ ପ୍ରାୟ ୧୫୦ ଅଧିକ ସରକାରୀ ଅଧିକାରୀଙ୍କୁ ମିଳିଛି ଦଣ୍ଡ ।ଏମାନଙ୍କ ମଧ୍ୟରେ ଅଛନ୍ତି ଆଇଏଏସ ଅଫିସର, ଆଇଏଫଏସ, ଡିଏଫଓ, ବିଡିଓ, ଏକଜିକ୍ୟୁଟିଭ ଇଞ୍ଜିନିୟର ।

ଲୋକଙ୍କ ବିଶ୍ୱାସକୁ ବଜାୟ ରଖିବା ପାଇଁ ପାଳି ପରେ ପାଳି ମୁଖ୍ୟମନ୍ତ୍ରୀ ଗାଦିର ଗାରିମା ବଢାଇଛନ୍ତି ନବୀନ। ତାଙ୍କ ବଡ଼ ବଡ଼ ନିଷ୍ପତ୍ତିରେ ସବୁଠୁ ଅଧିକ ଫୋକସ ୫-ଟି ଓ ମୋ ସରକାରକୁ ସେ ଦେଇଛନ୍ତି। ସେଥିପାଇଁ ମିଶନ ‘ମୋ ସରକାର’ରେ ଦାଗୀ ବାବୁଙ୍କୁ ମଧ୍ୟ ଚାକିରୀରୁ ବିଦା କରି ଦଣ୍ଡ ମଧ୍ୟ ଦେଇଛନ୍ତି ନବୀନ। ଯେଉଁ ଦଣ୍ଡ ତାଲିକାରେ ଅଛନ୍ତି ଭିଜିଲାନ୍ସ ଜାଲରେ ପଡିଥିବା ଆଇଏଏସ ବିଜୟକେତନ ଉପାଧ୍ୟାୟ, ଜଙ୍ଗଲ ବାବୁ ଅଭୟକାନ୍ତ ପାଠକଙ୍କ ଭଳି ଅନେକ ଛୋଟ ବଡ଼ ଅଫିସର। ପ୍ରଶାସନିକ କଳକୁ ଦୁର୍ନୀତି ମୁକ୍ତ କରିବା ପାଇଁ ସର୍ବଦା ଜିରୋ ଟଲରେନ୍ସ ବା ଶୂନ ସହନଶୀଳ ନୀତି ଅପଣାଇଛନ୍ତି ନବୀନ।

କେବଳ ଏତିକି ନୁହେଁ ଦାଗୀ ବାବୁଙ୍କ ଭଳି ନିଜ ଦଳର ହେଭିୱେଟ ନେତାଙ୍କ ନାଁରେ ବି ଦୁର୍ନୀତିର ଗନ୍ଧ ବାରିଲେ ତୁରନ୍ତ ଆକ୍ସନ ନେଇଛନ୍ତି ନବୀନ। ଦୁର୍ନୀତି ହେଉ କି ଜନବିରୋଧୀ କାର୍ୟ୍ୟ ପୂର୍ବରୁ ଅନେକ ନେତା, ମନ୍ତ୍ରୀ, ସାଂସଦ ଦଳରୁ ବିଦା ହେଇଥିବା ବେଳେ ନିକଟରେ ସେଥିରେ ଯୋଡି ହୋଇଛି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ। ଦୁର୍ନୀତିର ଟିକିଏ ବି ବାସ୍ନା ପାଇଲେ ସଂଗେ ସଂଗେ ନବୀନ ଆପଣାନ୍ତି ଜିରୋ ଟଲରେନ୍ସ ନୀତି।

କ୍ରୀଡା କ୍ଷେତ୍ରରେ ବି ପଛରେ ପଡିନି ଓଡ଼ିଶା

୨୧ ବର୍ଷର ଏହି ଯାତ୍ରାରେ ଦେଶର କ୍ରୀଡା ମାନଚିତ୍ରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ରାଜ୍ୟ ସରକାର । ଯେଉଁ ଚ୍ୟାଲେଞ୍ଜକୁ  ଅନ୍ୟ ରାଜ୍ୟ ଗ୍ରହଣ କରିପାରିଲେନି ତାକୁ ନବୀନ ୯୦ ଦିନ ଭିତରେ କରିଦେଖାଇଛନ୍ତି ।  ଏସିଆନ ଆଥଲେଟିକ୍ସ ଚାଂପିୟନସିପ୍ ଆୟୋଜନ ହେଉ କିମ୍ବା ହକି ବିଶ୍ୱକପ, ସଫଳତାର ସହ ଆୟୋଜନ କରି ସାରା ବିଶ୍ୱରେ ପ୍ରଶଂସିତ ହୋଇଛି ଓଡିଶା । ବ୍ୟାଡମିଂଟନ, ସୁଟିଂ ରେଂଜ ଭଳି ୬ଟି କ୍ରୀଡାରେ ବିଶ୍ୱସ୍ତରୀୟ ଏକାଡେମୀ ପ୍ରତିଷ୍ଠା କରି ଦେଶର କ୍ରୀଡା ରାଜଧାନୀ ଭାବେ ଓଡ଼ିଶା ପରିଚୟ ସୃଷ୍ଟି କରି ପାରିଛି । ଆଉ ନବୀନଙ୍କ ଏଭଳି ଅନେକ ବଡ଼ ବଡ଼ ନିଷ୍ପତ୍ତି ତାଙ୍କୁ ନିରଙ୍କୁଶ ଭାବେ ନେତା ନମ୍ବର ୱାନ କରିଛି।