କନକ ବ୍ୟୁରୋ : ଓଡିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଜାରି କରିଛନ୍ତି ମିଳିତ ବିବୃତି । ନବୀନ ଓ ଜଗନଙ୍କ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ, ଜଳ ସମ୍ପଦ ବିବାଦ, ଶକ୍ତି ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଛି । କିଭଳି ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ କରାଯିବ ସେନେଇ ଆଲୋଚନା କରିଛନ୍ତି ଦୁଇ ରାଜ୍ୟର ମୁଖ୍ୟ । ବିଶେଷ କରି କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଏହି ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ନେରେଡି ବ୍ୟାରେଜ୍, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ୍, ବହୁଡ଼ା ନଦୀ ପାଇଁ ଜଳ ନିଷ୍କାସନ ଆଦି ପ୍ରସଙ୍ଗରେ ଥିବା ବିବାଦକୁ ସମାଧାନ ପାଇଁ ଉଭୟ ରାଜ୍ୟ ମିଳିତ ଭାବେ ପଦକ୍ଷେପ ନେବାକୁ ସ୍ଥିର ହୋଇଥିଲେ ।
ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ, ଆନ୍ଧ୍ର ଓ ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥକୁ ନଜରରେ ରଖି, ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତି ହୋଇଛି । ବାଲିମେଳା ଓ ଅପର ସିଲେରୁରେ ଶକ୍ତି ସମ୍ପଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବୁଝମଣା ହୋଇଛି । ଏଥିସହ ଦୁଇ ରାଜ୍ୟ ନକ୍ସଲ ଦମନ ଓ ଗଞ୍ଜେଇ ଚାଷକୁ ରୋକିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପରସ୍ପର ପରସ୍ପରକୁ ସହଯୋଗ କରିବାକୁ ଏକମତ ହୋଇଛନ୍ତି । ଆମ୍ବେଦକର ବିଶ୍ୱବିଦ୍ୟାଳୟ, ଶ୍ରୀକାକୁଲମ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡିଆ ଓ ତେଲୁଗୁ ଭାଷାର ଚେୟାର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି । ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ କିଭଳି ଭଲ ସମ୍ପର୍କ ରହିବ ସେଥିପାଇଁ କାର୍ଯ୍ୟ କରିବେ ।
ପାରସ୍ପରିକ ସହଯୋଗ ଓ ସଂଘୀୟ ଢାଞ୍ଚାକୁ ସୁରକ୍ଷିତ ରଖିବା ଦିଗରେ ଦୁଇ ରାଜ୍ୟ ଆଗାମୀ ଦିନରେ କାମ କରିବେ। ଦୁଇ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟାଗୁଡ଼ିକୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ମିଳିତ ଭାବେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ସବୁ ସମସ୍ୟାର ସମାଧାନର ବାଟ ବାହାର କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/5da4g654a5g6daddddddddddddd-750x400-1.jpg)