କନକ ବ୍ୟୁରୋ : ଜେଇଇ ଆଡଭାନ୍ସଡ ରେଜିଷ୍ଟ୍ରେସନ ଘୁଞ୍ଚାଇବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖି ଜେଇଇ ଆଡଭାନ୍ସଡ ରେଜିଷ୍ଟ୍ରେସନ ଘୁଞ୍ଚାଇବାକୁ ଦାବି କରିଛନ୍ତି । ବାତ୍ୟା ଫୋନିରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୋବାଇଲ ଓ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିବା ବେଳେ ରେଜିଷ୍ଟ୍ରେସନ ତାରିଖକୁ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଜେଇଇ ଆଡଭାନ୍ସଡ ରେଜିଷ୍ଟ୍ରେସନ ପାଇଁ ଗତ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଗତ ୩ ତାରିଖରେ ବାତ୍ୟା ଫୋନି ଓଡିଶାରେ ଯେଉଁ ବିଭୀଷିକା ରଚିଥିଲା ସେଥିରେ ମୋବାଇଲ ଓ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଛି । ତେଣୁ ଅନେକ ମେଧାବୀ ଛାତ୍ରଛାତ୍ରୀ ଏଯାଏଁ ନିଜର ନାଁ ରେଜିଷ୍ଟ୍ରେସନ କରିନାହାନ୍ତି । ତେଣୁ ଏଭଳି ସ୍ଥିତିରେ ଆହୁରି ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଆହୁରି ୧୦ ଦିନ ଘୁଞ୍ଚାଇ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ।
ଏହାପୂର୍ବରୁ ଓଡିଶାରେ ହେବାକୁ ଥିବା ନିଟ୍ ପରୀକ୍ଷାକୁ ମଧ୍ୟ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଘୁଞ୍ଚାଇ ଦିଆଯାଇଥିଲା । ଗତ ୫ ତାରିଖରେ ନିଟ୍ ପରୀକ୍ଷା ହେବାକୁ ଥିବା ବେଳେ ବାତ୍ୟା ଫୋନି ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୦ ତାରିଖରେ ଓଡିଶାରେ ନିଟ୍ ପରୀକ୍ଷା ହେବ ବୋଲି ଗତକାଲି ସ୍ପଷ୍ଟ ହୋଇଥିଲା । ତେଣୁ ଜେଇଇ ଆଡଭାନ୍ସଡ ରେଜିଷ୍ଟ୍ରେସନ ମଧ୍ୟ ଘୁଞ୍ଚାଇବାକୁ ନବୀନ ଦାବି କରିଛନ୍ତି । ନଚେତ ଅନେକ ମେଧାବୀ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନରୁ ବଞ୍ଚିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।