ଚନ୍ଦ୍ରବାବୁଙ୍କୁ ଚିଠି ଲେଖିଲେ ନବୀନ ! କହିଲେ, ତୁରନ୍ତ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ବନ୍ଦ କର

50

କନକ ବ୍ୟୁରୋ : ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ତୁରନ୍ତ ବନ୍ଦ କର । ଏନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଆନ୍ଧ୍ରପ୍ରଦେଶ ସରକାର ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନିତ୍ୱ କରି ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ଉଲ୍ଲଘଂନ କରୁଛନ୍ତି । ପୂର୍ବରୁ ଟ୍ରିବ୍ୟୁନାଲ ଆନ୍ଧ୍ର ସରକାରଙ୍କୁ ପୋଲାଭରମ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଏଥିରେ ଖିଲାପ କରୁଛନ୍ତି ନାଇଡୁ ସରକାର ।

BL21_STATES_POLAVA_3177146fକେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ୨୩.୦୬.୨୦୧୫ରେ ପୋଲାଭରମ ପ୍ରକଳ୍ପକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏ ସଂକ୍ରାନ୍ତରେ ୨୫.୦୪.୨୦୧୫ ମସିହାରେ ଆନ୍ଧ୍ର ସରକାର କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗକୁ ଏକ ଚିଠି ଲେଖି ସର୍ତ୍ତମୂଳକ ଭାବେ କାମ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏହି ସର୍ତ୍ତରେ ଖିଲାପ କରିଛନ୍ତି ଆନ୍ଧ୍ର ସରକାର । ସର୍ତ୍ତ ଅନୁଯାୟୀ, ପୋଲାଭରମକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଥିବା ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ କାମ ବନ୍ଦ ରଖିବ ଆନ୍ଧ୍ର ସରକାର । ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ବିନା କାର୍ଯ୍ୟ ଆରମ୍ଭ କରିପାରିବନି ଆନ୍ଧ୍ର ସରକାର ।

pollavaram 3ତେବେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଆନ୍ଧ୍ର ସରକାରଙ୍କୁ ଦେଇଥିବା ଡେଡଲାଇନ ଗୋଟିଏ ବର୍ଷ ଅର୍ଥାତ ୨୨.୦୬.୨୦୧୬ରେ ଶେଷ ହୋଇଥିଲା । ଏହାପରେ ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି ନେଇ ପ୍ରକଳ୍ପ କାମ ଆରମ୍ଭ କରିବା କଥା । କିନ୍ତୁ ଡେଡଲାଇନ ସରିଯିବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ବିନା ପ୍ରକଳ୍ପ କାର୍ଯ୍ୟକୁ ପୁଣିଥରେ ଆରମ୍ଭ କରିଥିଲେ ଆନ୍ଧ୍ର ସରକାର । ତେବେ ଆନ୍ଧ୍ର ସରକାରଙ୍କ ଏଭଳି ଚାଲାକିର ସମ୍ପୂର୍ଣ ତଥ୍ୟ ଓଡ଼ିଶା ସରକାରଙ୍କ ପାଖରେ ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଏହାଛଡା ଆନ୍ଧ୍ର ସରକାର ପୋଲାଭରମକୁ ନେଇ ଓଡିଶା ସହ ଲାଗି ରହିଥିବା ବିବାଦର ସମାଧାନ କରିବାକୁ ଉଦ୍ୟମ କରୁନାହାନ୍ତି ବୋଲି ଚିଠିରେ ନବୀନ କହିଛନ୍ତି । ଏହି ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ପୋଲାଭରମ ପ୍ରକଳ୍ପ ବନ୍ଦ କରିବାକୁ ନବୀନ କହିଛନ୍ତି ।

ପୋଲାଭରମକୁ ନେଇ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । ଆନ୍ଧ୍ର ପ୍ରଦେଶରେ ନିର୍ମାଣାଧୀନ ଏହି ବୃହତ ପ୍ରକଳ୍ପ ଓଡିଶାର ଏକ ବଡ କ୍ଷତି ଘଟାଇବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ, ଏହି ପ୍ରକଳ୍ପ ଦ୍ୱାରା ୧୫ଟି ରାଜସ୍ୱ ଗ୍ରାମ କ୍ଷତିଗ୍ରସ୍ତ ହେବା ସହ ୬୮୧୮ଟି ପରିବାର ବିସ୍ଥାପିତ ହେବେ । ପ୍ରାୟ ଦୁଇ ହଜାରରୁ ଅଧିକ ହେକ୍ଟର ଜମି ଜଳମଗ୍ନ ହେବ । ପ୍ରଶ୍ନ ଉଠୁଛି, ଏଭଳି କ୍ଷେତ୍ରରେ ଓଡିଶାର ସ୍ୱାର୍ଥ ପ୍ରତି କେନ୍ଦ୍ର ସରକାର କେମିତି ଆଖି ବୁଜି ଦେବେ?