ମେଣ୍ଟ ନିଷ୍ପତ୍ତି ନବୀନ ନେବେ । ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ଆସନ ଜିତିବ, ମେଣ୍ଟ ଚର୍ଚ୍ଚା ଭିତରେ ବଡ ବୟାନ ରଖିଲେ ବିଜେଡି ବିଧାୟକ ନୃସିଂହ ସାହୁ ।

556

କନକ ବ୍ୟୁରୋ : ବିଜେଡି-ବିଜେପି ମଧ୍ୟରେ ମେଣ୍ଟକୁ ନେଇ ଟ୍ୱିଷ୍ଟ । ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରି ସ୍ପଷ୍ଟ କରିଥିଲେ ଯେ, ବିଜେପି ଏକାକୀ ନିର୍ବାଚନ ଲଢିବ । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ଅନ୍ୟପଟେ ଆଜି ବିଜେଡି ବିଧାୟକ ନୃସିଂହ ସାହୁ ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି । ନୃସିଂହ କହିଛନ୍ତି ମେଣ୍ଟ ବାବଦରେ ବିଭିନ୍ନ ଚର୍ଚ୍ଚା ହେଉଛି । ମେଣ୍ଟ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ଦଳ ତାହା ମାନିବ । ମେଣ୍ଟ ହେଲେ ବିଦ୍ରୋହୀ ବାହାରିଲା ଭଳି ଲାଗୁନି । ସିଟ କଟିବ କିନ୍ତୁ ବିଦ୍ରୋହୀ ହେବା ଭଳି ଲାଗୁନି । ଯେଉଁ ମାନେ ବିଜେଡ଼ି ପ୍ରତି ବିଶ୍ଵସ୍ତ ସେମାନେ ଦଳରେ ରହିବେ ।

ଏହାବାଦ୍ ନୃସିଂହ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡ଼ି ମେଣ୍ଟ କରିବା ପାଇଁ ଆଗ୍ରହୀ ହୋଇଛି ବା ରାଜି ହୋଇଛି । କେନ୍ଦ୍ର ସହ ଭଲ ବୁଝାମଣା ରହିଲେ ରାଜ୍ୟର ବିଭିନ୍ନ ସୁବିଧା ହେବ ବୋଲି ଆଶା ଅଛି । ଲାଭ ପାଇଁ ହିଁ ମେଣ୍ଟ ହୁଏ । ନୃସିଂହ ଏହାମଧ୍ୟ କହିଛନ୍ତି, ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ଆସନରେ ଜିତିବ । କିନ୍ତୁ ମେଣ୍ଟ ହେଲେ କେତେ ଆସନରେ ବିଜେଡି ଲଢିବ ସେନେଇ ମୁହଁ ଖୋଲିନାହାନ୍ତି ନୃସିଂହ । ଏହି ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେବେ ବୋଲି କହିଛନ୍ତି ନୃସିଂହ ।