ରାୟଗଡ଼ାରେ ନବୀନ କରିବେ ପ୍ରଚାର: ସୋନପୁରରେ ଶାହାଙ୍କ ଶକ୍ତି ପ୍ରଦର୍ଶନ

87

କନକ ବ୍ୟୁରୋ: ଆଉ କିଛି ଦିନରେ ଅପେକ୍ଷା । ଓଡିଶା ଦେଖିବ ୨୪ ନିର୍ବାଚନର ହାଇଭୋଲଟେଜ ପ୍ରଚାର । କାରଣ ବିଜେଡିରୁ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ଓ କଂଗ୍ରେସରୁ ଅମିତ ଶାହ ଏବଂ ରାହୁଲ ଗାନ୍ଧୀଙ୍କ ଭଳି ବଡ ଚେହେରା । ୨୫ରେ ବଲାଙ୍ଗୀର ଲୋକସଭା ଅଧିନରେ ଆସୁଥିବା ସୋନପୁର ବିଧାନସଭାରେ ଅମିତ ଶାହା ଏକ ବିଶାଳ ଜନସଭା କରିବେ । ସେହିପରି ସମାନ ଦିନରେ ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

ବଡ଼ ବଡ଼ ଚେହେରା, ତୁଙ୍ଗ ରାଜନେତା । ପ୍ରଚାର ମୈଦାନରେ ସେଇ ସବୁ ନେତା ନଜର ଆସିବେ, ଯାହାଙ୍କୁ ନେଇ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଚଳିତ ସପ୍ତାହରେ ଓଡ଼ିଶାରେ ପ୍ରଚାର ରାଜନୀତି ଆହୁରି ସରଗରମ ହେବାକୁ ଯାଉଛି, କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସର ସବୁଠୁ ବଡ଼ ଚେହେରା ସାଂସଦ ରାହୁଲ ଗାନ୍ଧୀ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ।

ନବୀନ ପଟ୍ଟନାୟକ           ଅମିତ ଶାହା                ରାହୁଲ ଗାନ୍ଧୀ
ମୁଖ୍ୟମନ୍ତ୍ରୀ                     କେନ୍ଦ୍ର ଗୃହମନ୍ତ୍ରୀ            କଂଗ୍ରେସ ସାଂସଦ

ହୁଏତ ସେହିଭଳି ଢଙ୍ଗରେ ପ୍ରଚାର ମୈଦାନରେ ନଜର ଆସି ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯେମିତି ୨୦୧୯ ସାଧାରଣ ନିର୍ବାଚନରେ ପ୍ରଚାର କରୁଥିଲେ । ଏମିତି କର୍ମୀ ସମ୍ମିଳନୀ ଏବଂ ଜନସଭାରେ ମଧ୍ୟ ସାମିଲ୍ ହୋଇପାରନ୍ତି ବିଜେଡି ସୁପ୍ରିମୋ । ୨୪ରୁ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ ନୀବନ ପଟ୍ଟନାୟକ । ଆଉ ୨୫ ତାରିଖରେ ରାୟଗଡ଼ାରେ ପ୍ରଚାର କରିବେ ନବୀନ ।

ଆସନ୍ତା ୨୫ ତାରିଖରେ ଓଡ଼ିଶା ଦେଖିବ ଦୁଇ ନେତାଙ୍କ ହେବିୱେଟ୍ କ୍ୟାମ୍ପେନ୍ । ବଲାଙ୍ଗୀର ଲୋକସଭା ଅଧିନରେ ଆସୁଥିବା ସୋନପୁର ବିଧାନସଭାରେ ଅମିତ ଶାହା ଏକ ବିଶାଳ ଜନସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବେ ଶାହା । ଆଉ କୋରାପୁଟ୍ ଲୋକସଭା ଅଧିନରେ ଆସୁଥିବା ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ତେଣୁ ଗୋଟିଏ ଦିନରେ ରାୟଗଡ଼ା ଓ ସୋନପୁରରେ ଦୁଇ ହେଭିୱେଟ୍ ନେତାଙ୍କ ପ୍ରଚାର ଦେଖିବାକୁ ମିଳିବ ।

ବିଜେଡି ଓ ବିଜେପିର ଏହି ପ୍ରଚାର ପ୍ରତିଯୋଗିତା ଭିତରେ ମୈଦାନକୁ ଓହ୍ଲାଇ ପାରନ୍ତି ସାଂସଦ ରାହୁଲ ଗାନ୍ଧୀ । ୨୮ ତାରିଖରେ ଓଡ଼ିଶାରେ ପ୍ରଚାର କରିପାରନ୍ତି ରାହୁଲ । ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀଙ୍କୁ ରାୟଗଡ଼ା ଓ ସାଲେପୁରରେ ପ୍ରଚାର କରିବା ପାଇଁ ପ୍ରସ୍ତାବ ଦେଇଛି ପ୍ରଦେଶ କଂଗ୍ରେସ କମିଟି ।

ଆଗକୁ ପ୍ରଚାର ଆହୁରୀ ତୀବ୍ର ହେବ । ବିଜେଡି ତା’ର ତାରକା ପ୍ରଚାରକଙ୍କୁ ଧରି ସାରା ଓଡିଶାରେ କ୍ୟାମ୍ପେନ୍ କରିବାକୁ ଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ କେନ୍ଦ୍ରସ୍ତରୀୟ ନେତାଙ୍କୁ ମୈଦାନକୁ ଓହ୍ଲାଇବାର ଯୋଜନା ରଖିଛନ୍ତି ।