ଓଡିଶାରେ କାମ ଦେଲାନାହିଁ ମୋଦି ମ୍ୟାଜିକ୍ ! ପଞ୍ଚମ ଥର ପାଇଁ ପୁଣି ସରକାର କରିବେ ନବୀନ

ଯାହା ସାରା ଦେଶରେ କାମ କଲା, ତାହା ଓଡ଼ିଶାରେ ଫେଲ୍ ମାରିଲା

605

କନକ ବ୍ୟୁରୋ : ଯାହା ସାରା ଦେଶରେ କାମ କଲା, ତାହା ଓଡ଼ିଶାରେ ଫେଲ୍ ମାରିଲା। ନବୀନଙ୍କ ତେଜରେ ମୋଦି ହାୱା କାମ ଦେଲା ନାହିଁ । ବିଧାନସଭା ନିର୍ବାଚନକୁ ପୋଛିନେଲା ବିଜେଡି। ଚତୁର୍ଥ ପାଳିର ସଂଖ୍ୟା ପଞ୍ଚମ ପାଳିରେ ବଳବତ୍ତର ରଖିବାରେ ସକ୍ଷମ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୪୬ରୁ ୧୧୩ ଆସନ ଦଖଲ ବାଟ ଖୋଲିଛି ବିଜୁ ଜନତା ଦଳ। ଗତ ଥରଠାରୁ କମ୍ ହେଲେ ବି ଲୋକସଭାରେ ୨୧ରୁ ୧୨ ଆସନରେ ଦଳ ବାଜିମାତ୍ କରିବା ଆଶା ଉଜ୍ଜଳ। ନବୀନ ଅପରାଜିତ ପୁଣି ଥରେ ଏକଥା ପ୍ରମାଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଞ୍ଚଥର ଗସ୍ତ, ଅମିତ ଶାହ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ତୁହାକୁ ତୁହା ପ୍ରଚାରକୁ ନିଜେ ମୁଖ୍ୟମନ୍ତ୍ରୀ ଏକୁଟିଆ ପ୍ରତିହତ କରିବାରେ ସକ୍ଷମ ହୋଇଛନ୍ତି। କେବଳ ସେତିକି ନୁେହଁ, ବୈଜୟନ୍ତ ପଣ୍ଡା, ଡାକ୍ତର ଦାମୋଦର ରାଉତଙ୍କ ଭଳି ଯେଉଁ ନେତାମାନେ ନବୀନଙ୍କ ବିଜୟ ରଥକୁ ଅଟଳାଇବା ପାଇଁ ଚେଷ୍ଟା କରିଥିଲେ ସେମାନେ ସମସ୍ତେ ଅସଫଳ ହେଲେ ।

ଆସ୍କା ପ୍ରାର୍ଥୀ ପ୍ରମିଳା ବିଶୋୟୀଙ୍କୁ ନବୀନ ହାଣ୍ଡିଶାଳରୁ ସଂସଦକୁ ପଠାଇବାରେ ସକ୍ଷମ ହୋଇଛନ୍ତି। ସେହିଭଳି ସାତ ସାତ ସାତଟି ଲୋକସଭା ଆସନରେ ନବୀନ ପ୍ରଥମ ଥର ପାଇଁ ମହିଳା ପ୍ରାର୍ଥୀ (୩୩%)ଦେଇଥିଲେ । ଏ ମଧ୍ୟରୁ ୫ ଜଣଙ୍କୁ ସଫଳତା ମିଳିଛି। ତେବେ କଡା ମୁକାବିଲା ଭିତରେ କିଛି ଗୁରୁତ୍ବପୂର୍ଣ୍ଣ ଆସନରେ ଶକ୍ତ ଝଟକା ଲାଗିଛି। ନବୀନ ମନ୍ତ୍ରିମଣ୍ଡଳର କ୍ଷମତାଶାଳୀ ନେତା ତଥା ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ପରାସ୍ତ ହୋଇଛନ୍ତି । ବିଜେଡି ଯୁବ ନେତା ସଂଜୟ ଦାସବର୍ମାଙ୍କୁ ମଧ୍ୟ ପରାଜିତ ହେବାକୁ ପଡିଛି । ନବୀନଙ୍କ ଅନ୍ତରଙ୍ଗ ବନ୍ଧୁ ଅନଙ୍ଗ ଉଦୟ ସିଂହଦେଓଙ୍କ ଦୁଇ ପୁଅ ସାଂସଦ ପ୍ରାର୍ଥୀ କଳିକେଶ ସିଂହଦେଓ, ବିଧାୟକ ପ୍ରାର୍ଥୀ ଅର୍କକେଶରୀଙ୍କୁ ଭୋଟର ପସନ୍ଦ କରିନାହାନ୍ତି। ସେଭିଭଳି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସରୋଜିନୀ ହେମ୍ବ୍ରମ୍ ଜିତିପାରିନାହାନ୍ତି।

ମୋଦି ହାୱାରେ ଆକାଶରେ ଉଡୁଥିବା ବିଜେପି ମଧ୍ୟ ଦୁଲ୍ କରି ପଡିଛି ମାଟିରେ। ପ୍ରଥମେ ମିସନ ୧୨୦ କଥା କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ନିର୍ବାଚନ ପରେ ବିଧାନସଭାରେ ୭୦ରୁ ଅଧିକ ଆସନ ଦଖଲ କରି ସରକାର ଗଠନର ସ୍ବପ୍ନ ଦେଖୁଥିଲା ଗେରୁଆ ଦଳ । ୩୦ ଡେଇଁପାରିଲାନି।  ନୀତିଶ ଗଙ୍ଗଦେବ ଓ ବସନ୍ତ ପଣ୍ଡା ସାଂସଦ ପ୍ରାର୍ଥୀ। ହେଲେ ବାକି ସମସ୍ତେ ହାରିଗଲେ,

ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ମଧ୍ୟ ପରାଜୟ ହୋଇଛନ୍ତି । ପରିସ୍ଥିତି ଏପରି ହେଲା ଯେ, କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ମଧ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି । ନୂଆଦିଲ୍ଲୀରୁ ଭୁବନେଶ୍ବର ଆସି ଓଡ଼ିଶାରେ ଭାଗ୍ୟ ପରୀକ୍ଷା ଲାଗି ପାଗ ଭିଡିଥିବା ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପରାଜୟ ମୁହଁକୁ ଠେଲି ହୋଇଯାଇଛନ୍ତି । ତେବେ ମନ୍ତ୍ରୀ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ ପ୍ରମୁଖ ନବୀନଙ୍କ ତେଜରେ ମଳିନ ନପଡି ନିଜ ନିର୍ବାଚନମଣ୍ଡଳୀରେ ପଦ୍ମ ଫୁଟାଇଛନ୍ତି।

ସେହିଭଳି ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଅସ୍ତିତ୍ୱ ଏକପ୍ରକାର ଦୋହଲିଯାଇଛି । ସ୍ଥିତି ଶୋଚନୀୟ। ଅଧିକାଂଶ ଆସନରେ ଦଳର ପ୍ରାର୍ଥୀ ଅମାନତ ହରାଇଛନ୍ତି। ବିଧାନସଭା ଆସନ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା (୯)କୁ ଖସିଆସିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇ ଦୁଇଟି ଆସନରୁ ଲଢୁଥିଲେ। ଉଭୟରେ ତାଙ୍କୁ ପରାଜୟ ବରଣ କରିବାକୁ ପଡିଛି।

କେବଳ ସେ ନୁହେଁ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା , ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂହଦେଓ ପ୍ରମୁଖ କେହି ବି ନିର୍ବାଚନୀ ମଇଦାନରେ ତିଷ୍ଠି ପାରିନାହାନ୍ତି। ବିରୋଧୀ ଦଳ ଉପନେତା ଚିରଞ୍ଜୀବୀ ବିଶ୍ବାଳ ପ୍ରମୁଖ ବିଧାନସଭା ଆସିବା ସ୍ବପ୍ନ ଧୂଳିସାତ୍ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ, ବିଜେଡିକୁ ବିଧାନସଭାରେ ପୂର୍ବାପେକ୍ଷା ଅଧିକ ସମର୍ଥନ ମିଳିଛି। ବିଜେଡ ୪୪.୭ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ପଞ୍ଚାୟତ ନିର୍ବାଚନର ସଫଳତାକୁ ଦୋହରାଇଛି । ଦଳ ସପକ୍ଷରେ ୩୨.୬% ଭୋଟର ମତ ଦେଇଛନ୍ତି । କଂଗ୍ରେସ ଭୋଟ ହାର ଭୟାନକ ଭାବେ କମି ୧୫.୯%ରେ ପହଞ୍ଚିଛି।