‘ମୋ ସ୍କୁଲ’ କାର୍ଯ୍ୟକ୍ରମକୁ ପୂରିଲା ୪ବର୍ଷ । କଫି ଟେବୁଲ୍‌ ବୁକ୍‌ ‘ବ୍ୟାକ୍‌ ଟୁ ସ୍କୁଲ’ ଉନ୍ମୋଚିତ

66

କନକ ବ୍ୟୁରୋ : ଶିଶୁ ଦିବସରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମକୁ ୪ ବର୍ଷ ପୂରିଥିବା ବେଳେ ଏହି ଅବସରରେ ଏକ କଫି ଟେବୁଲ ବୁକ୍କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପୁରାତନ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବେସିତ ‘ବ୍ୟାକ୍ ଟୁ ସ୍କୁଲ’ ନାମକ ସ୍ୱତନ୍ତ୍ର ପୁସ୍ତିକାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗଚୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ଆଗାମୀ ଦିନରେ ମୋ ସ୍କୁଲ କାର୍ଯ୍ୟକ୍ରମ ସମସ୍ତ ବିଦ୍ୟାଳୟରେ ପହଁଚିବ । ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସରକାରୀ ସ୍କୁଲଗୁଡିକ ଯେପରି ବିଶ୍ୱସ୍ତରୀୟ ହୋଇପାରିବ, ସେ ଦିଗରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଶିଶୁ ଦିବସ ଅବସରରେ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଶିକ୍ଷା ଭିତ୍ତିଭୂମିର ପରିବର୍ତନ ପିଲାଙ୍କ ମନରେ ଅନେକ ପ୍ରେରଣା ଓ ଉତ୍ସାହ ଭରି ଦେଇଛି । ସ୍କୁଲ ସମୟ ପିଲାଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ । ଏହି ସମୟରେ ପିଲାଙ୍କୁ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ଦାୟିତ୍ବ । ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡ଼ା, ସଙ୍ଗୀତ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଜ୍ଞାନକୌଶଳ ବିଷୟରେ ଜାଣନ୍ତୁ । ଜୀବନର ସବୁ ଆହ୍ବାନକୁ ସାମ୍ନା କରି ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।

ଉକ୍ତ ୪ଟି ଜିଲ୍ଲାର ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସମ୍ପର୍କରେ ନିଜର ମନ କଥା କହିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରେମାନନ୍ଦ ନାୟକ, ବିଧାୟକ ପ୍ରଦୀପ ଅମାତ, ବ୍ୟୋମକେଶ ରାୟ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ ପରିଚାଳନା କରିଥିଲେ । ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ । ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସମ୍ପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।