ଯେବେ ହାତକୁ କୃଷି ବିଭାଗ ଆସିଛି, ମହାରଥୀଙ୍କ ଟେନସନ ବଢିଛି । ଚଷାପୁଅଙ୍କୁ ଶୁଝୁନି ଚାଷୀ ବିଭାଗ?

ମହିଳା ଭୋଟକୁ ଏକାଠି ରଖିବାକୁ ଦଳ ଗୋଟିଏ ପରେ ଗୋଟିଏ ଉଦ୍ୟମ କରୁଥିବା ବେଳେ ମହାରଥୀଙ୍କ ବେପରୁଆ ବୟାନ ସବୁ କିଛି ଭଣ୍ଡୁର କରି ଦେଉଥିଲା । ଆଉ ଏହାକୁ ମୁଖିଆ କିଭଳି ସମ୍ଭାଳନ୍ତେ କହିଲ?

158

ସବୁବେଳେ ନିଜକୁ ଚଷାପୁଅ ବୋଲାଉଥିବା ମହାରଥୀଙ୍କୁ କିନ୍ତୁ କୃଷି ବିଭାଗ ବିଲକୁଲ ଶୁଝୁନି । ଯେବେ ଯେବେ ଏହି ବିଭାଗ ମହାରଥୀଙ୍କ ନିକଟକୁ ଆସିଛି, ତାଙ୍କର ଟେନସନ ବଢିଛି । ହାଲକୁ ସେ ପିପିଲି ରାୟ ସଂକ୍ରାନ୍ତରେ ଦେଇଥିବା ବୟାନ ପୁଣି ତାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲାଇ ଦେଇଛି । ଏପରିକି ସେ ଦୁଃଖ ପ୍ରକାଶ କରିସାରିଥିଲେ ମଧ୍ୟ ମୁଖିଆଙ୍କୁ ଖୁସି କରିପାରିନାହାନ୍ତି । କୈାଣସି ବି ମୁହୁର୍ତ୍ତରେ ପଦବୀ ଚାଲି ଯାଇପାରେ ବୋଲି କୁହାଗଲାଣି ।

PRADIP MAHARATHYକୁହାଯାଉଛି ମହାରଥୀଙ୍କ ଉପରେ ମୁଖିଆ ଏତେ ରାଗି ଯାଇଛନ୍ତି ଯେ, ତାଙ୍କୁ ପାଖ ମାଡିବାକୁ ଦଉନାହାନ୍ତି । ନହେଲେ କାଳିଆ ଯୋଜନା ଯାହା କୃଷକଙ୍କ ପାଇଁ ସବୁଠାରୁ ବଡ ପଦକ୍ଷେପ ବୋଲି କୁହାଯାଉଛି, ତାର ଶୁଭାରମ୍ଭ ବେଳେ ମହାରଥୀ ଅନୁପସ୍ଥିତ ରହିଥାନ୍ତେ । ଡାଇଲଗରେ ସାରେ ପୋତି ଦେଇଥାନ୍ତେ ।

ହଉ ଛାଡନ୍ତୁ ଏବେ ଅସଲ କଥାକୁ ଆସିବା । କୃଷି ବିଭାଗ ଆଉ ଜାନୁଆରୀ ମାସ ଏହି ଦୁଇଟା ଦିଗ ମହାରଥୀଙ୍କୁ ବିଲକୁଲ ସାଥ୍ ଦେଉନି । ଜାନୁଆରୀ ଆସିଲା ମାନେ ମହାରଥୀଙ୍କ ଟେନସନ ବଢିଯାଉଛି । ନୂଆବର୍ଷରେ ନୂଆସଂକଳ୍ପ ନେଇ ସମସ୍ତେ ଆଗକୁ ବଢୁଥିବା ବେଳେ ମହାରଥୀଙ୍କର କିନ୍ତୁ ରକ୍ତଚାପ ଶୀର୍ଷକୁ ଚାଲିଯାଉଛି । କିଛି ଘଟଣାକ୍ରମ ଉପରେ ନଜର ପକାଇଲେ ଆପଣ ବୁଝିଯାଇ ପାରିବେ ।

pradeep maharathy୨୦୧୧ରେ ଯେତେବେଳେ କୃଷିମନ୍ତ୍ରୀ ଭାବେ ମହାରଥୀ ଦାୟିତ୍ୱ ନେଲେ ତାର ବର୍ଷକ ଭିତରେ ତାଙ୍କୁ ମନ୍ତ୍ରୀପଦ ଛାଡିବାକୁ ପଡିଥିଲା । ଜାନୁଆରୀ ମାସରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ମହାରଥୀ । ପିପିଲିରେ ଏକ ଦୁଷ୍କର୍ମ ପ୍ରସଙ୍ଗ ଆଉ ଅପରାଧୀଙ୍କୁ ମନ୍ତ୍ରୀ ସୁରକ୍ଷା ଦେଉଥିବା ଅଭିଯୋଗରେ ବିରୋଧୀଙ୍କ ଆନ୍ଦୋଳନ ମନ୍ତ୍ରୀଙ୍କ ଉପରେ ଚାପ ପକାଇଥିଲା । ଆଉ ଜାନୁଆରୀ ୨୦୧୨ରେ ନୈତିକତାକୁ ଆଧାର କରି ସେ ଇସ୍ତଫା ଦେଇଥିଲେ ।

ସେହିଭଳି ୨୦୧୫ରେ ସୋହେଲାରେ ବିଜୁ ଜନତା ଦଳ ଯେତେବେଳେ ଚାଷୀ ସମାବେଶ କରିଥିଲା, ସେଥିରେ ମଧ୍ୟ ବିଭାଗ ସମ୍ଭାଳୁଥିବା ମହାରଥୀଙ୍କ ଦେଖା ମିଳିନଥିଲା । କୁହାଗଲା, ଚାଷୀ ମୃତ୍ୟୁ ସଂକ୍ରାନ୍ତରେ ମନ୍ତ୍ରୀ ଦେଇଥିବା ବୟାନ ପାଇଁ ତାଙ୍କୁ ସମାବେଶରୁ ଦୂରେଇ ରଖାଗଲା । ନବୀନଙ୍କ ନିଷ୍ପତ୍ତି କ୍ରମେ ମହାରଥୀ ସୋହେଲା ସମାବେଶରେ ସାମିଲ ହୋଇନଥିଲେ ।

ଆଉ ଏବେ ପୁଣି ପିପିଲି ପ୍ରସଙ୍ଗ ଫେରିଛି, ଯେତେବେଳେ କୃଷି ବିଭାଗ ମହାରଥୀଙ୍କ ପାଖରେ ଅଛି ଆଉ ଜାନୁଆରୀ ମାସ ଚାଲିଛି । ପିପିଲି ଗଣ ଦୁଷ୍କର୍ମ ପ୍ରସଙ୍ଗରେ ରାୟ ଆସିବା ପରେ ମହାରଥୀ ଯେଉଁ ବୟାନ ଦେଇଥିଲେ. ତାକୁ ନେଇ ନବୀନ ଭୀଷଣ କ୍ଷୁବ୍ଧ । ଏପରିକି ଦିଲ୍ଲୀରେ କୃଷକ ସମାବେଶ ୮ ତାରିଖରେ ସରିବା ପରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିପାରନ୍ତି ବୋଲି ପାୱାର କରିଡରରୁ ଶୁଣିବାକୁ ମିଳିଲାଣି । ଶୁଣିବାକୁ ମିଳୁଛି, ମହାରଥୀ କୁଆଡେ ଦିଲ୍ଲୀ ଯାଇ ଏହି ସମାବେଶରେ ସାମିଲ ହେବେନି ବୋଲି ନିଷ୍ପତ୍ତି ନେଇଛନ୍ତି ।

କଥା ସେତିକିରେ ମଧ୍ୟ ଅଟକୁନି । ଶନିବାର ଅର୍ଥାତ୍ ୫ ତାରିଖରେ ଯେଉଁ ଏସଏଚଜି ସମାବେଶ କରିବାକୁ ବିଜେଡି ନିର୍ଣ୍ଣୟ କରିଛି, ସେଥିରେ ମହାରଥୀ ସାମିଲ ହେବେ କି ନାହିଁ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି । ମହିଳାଙ୍କ ଦୁଇଟି ସ୍ୱାମୀ ନେଇ ଯେଉଁ ବୟାନ ମହାରଥୀ ରଖିଥିଲେ, ତାକୁ ନେଇ ମଧ୍ୟ ମୁଖିଆ ଅସନ୍ତୁଷ୍ଟ ଥିଲେ । ମହିଳା ଭୋଟକୁ ଏକାଠି ରଖିବାକୁ ଦଳ ଗୋଟିଏ ପରେ ଗୋଟିଏ ଉଦ୍ୟମ କରୁଥିବା ବେଳେ ମହାରଥୀଙ୍କ ବେପରୁଆ ବୟାନ ସବୁ କିଛି ଭଣ୍ଡୁର କରି ଦେଉଥିଲା । ଆଉ ଏହାକୁ ମୁଖିଆ କିଭଳି ସମ୍ଭାଳନ୍ତେ କହିଲ?

ଯଦି ଏଥର ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହୁଏ ଆଉ ମହାରଥୀ ବାଦ ପଡନ୍ତି ତେବେ ଉଭୟ ଜାନୁଆରୀ ମାସ ଓ କୃଷି ବିଭାଗକୁ ପିପିଲି ବିଧାୟକ ସାବଧାନ ହେବା ଆବଶ୍ୟକ । ନଚେତ ସବୁବେଳେ ବିବାଦୀୟ ହେଉଥିବେ ଆଉ ହଟହଟା ହୋଇ ମନ୍ତ୍ରୀ ମଣ୍ଡଳରୁ ବାଦ ପଡୁଥିବେ । ଆମ କାମ ଆମେ ଖଟିରୁ ପାଉଥିବା ଖବରଟିକୁ ପରାମର୍ଶ ଛଳରେ ମନ୍ତ୍ରୀଙ୍କ ଦୃଷ୍ଟିକୁ ନେଇ ଆସିଲୁ, ତାପରେ ମହାରଥୀ ଆଜ୍ଞା ଯାହା କରିବେ, ଯେମିତି ସତର୍କ ରହିବେ ଆମେ ବା ଆଉ କଣ କରିପାରିବୁ ।