ବିଜେପିର ନିମନ୍ତ୍ରଣଙ୍କୁ ଗ୍ରହଣ କଲେ ନବୀନ । ବାଜପେୟୀଙ୍କ ପ୍ରାର୍ଥନା ସଭାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

23

କନକ ବ୍ୟୁରୋ : ଆସନ୍ତାକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ହେବାକୁ ଥିବା ସର୍ବଦଳୀୟ ପ୍ରାର୍ଥନାସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆସନ୍ତାକାଲି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା । ଏହି ପ୍ରାର୍ଥନା ସଭାରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବରିଷ୍ଠ ନେତା ସମୀର ମହାନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବା ପାଇଁ ନବୀନ ନିବାସ ପହଂଚିଥିଲେ । ଆଉ ନିମନ୍ତ୍ରଣ ପାଇ ନବୀନ ମଧ୍ୟ ସବୁଜ ସଂକେତ ଦେଇଛନ୍ତି । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ନିମନ୍ତ୍ରଣ ଦେବା ପାଇଁ ତାଙ୍କ ପାଖରେ ପହଂଚିଥିଲେ ବିଜେପି ଟିମ୍ । ଏହା ବ୍ୟତୀତ ଉକ୍ରଳ ଭାରତ, ସିପିଆଇ ଏବଂ ସିପିଆଇ ସମେତ ବିଭିନ୍ନ ରାଜନୈତିକ ଦଳ ନେତାଙ୍କୁ ଏହି ପ୍ରାର୍ଥନା ସଭାରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରାଯାଇଛି ।

ସର୍ବଦଳୀୟ ପ୍ରାର୍ଥନାସଭା ପୂର୍ବରୁ ଆଜି ବାଜପେୟୀଙ୍କ ଚିତାଭସ୍ମ ଏକ ବିରାଟ ଶୋଭଯାତ୍ରାରେ ନିଆଯାଇ ପୁରୀ ମହୋଦଧିରେ ବିସର୍ଜନ କରାଯାଇଥିଲା । ଏଥିରେ ବିଜେପିର ଅନେକ ରାଜ୍ୟସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ ।

ତେବେ ଆସନ୍ତାକାଲି ହେବାକୁ ଥିବା ପ୍ରାର୍ଥନାସଭାରେ ରାଜନୀତିରୁ ଉଦ୍ଧ୍ୱର୍କୁ ଉଠି ବିଭିନ୍ନ ଦଳର ନେତା ସାମିଲ ହେବେ ବୋଲି ଜଣାପଡିଛି । କାରଣ ବାଜପେୟୀଙ୍କ ସହ ସବୁ ରାଜନୈତିକ ଦଳର ନେତାଙ୍କ ଭଲ ସର୍ମ୍ପକ ରହିଥିଲା । ଖାସକରି ଓଡିଶା ବିଜେଡି ନେତାଙ୍କ ସହ ବାଜପେୟୀଙ୍କର ଭଲ ସର୍ମ୍ପକ ରହିଥିଲା । କାରଣ କେନ୍ଦ୍ରରେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏନଡିଏ ସରକାରରେ ସାମିଲ ଥିଲା ବିଜେଡି । ଏପରିକି ବିଜେଡି ଗଠନ ପଛରେ ମଧ୍ୟ ବାଜପେୟୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତେଣୁ ଦଳମତ ନିର୍ବିଶେଷରେ ବାଜପେୟୀଙ୍କ ପ୍ରତି ବିଜେଡି ନେତାଙ୍କ ଯଥେଷ୍ଟ ସମ୍ମାନ ରହିଥିଲା ।