କନକ ବ୍ୟୁରୋ: ଶେଷରେ ମହିଳାଙ୍କୁ ଧନ୍ୟବାଦ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୧୯ ଯୁଦ୍ଧରେ ବାଜିମାତ୍ କରିବା ପଛରେ ଏଥର ବିଜେଡି ପାଇଁ ମହିଳାମାନେ ଥିଲେ ପ୍ରମୁଖ ଅସ୍ତ୍ର, ଆଉ ଏହି ଅସ୍ତ୍ରକୁ ନବୀନ ସଠିକ୍ ସ୍ଥାନ ଏବଂ ସଠିକ ସମୟରେ ଉପଯୋଗ କରି ବିରୋଧୀଙ୍କୁ ଚେକ୍ ଦେବାରେ ସକ୍ଷମ ହୋଇଥିଲେ । ଯାହାର ଫଳାଫଳ ୧୧୨ ବିଧାୟକ ସହ ୧୨ ସାଂସଦ ସିଟ୍ ହାତେଇ ପୁଣି ବହୁମତ ପାଇଛି ବିଜୁ ଜନତା ଦଳ । ଆଉ ୫ ଥର ପାଇଁ ନବୀନ ପଟ୍ଟନାୟକ ରାଜ୍ୟର କ୍ଷମତା ଡ଼ୋରୀ ନିଜ ହାତକୁ ନେବାକୁ ଯାଉଛନ୍ତି ।
ଚଳିତ ନିର୍ବାଚନରେ ରାଜ୍ୟର ମହିଳାମାନେ ଆମକୁ କରିଥିବା ଆଶୀର୍ବାଦ ନିକଟରେ ମୁଁ କୃତଜ୍ଞ। ଓଡ଼ିଶାର କୋଣଅନୁକୋଣରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ନବୀନ ନିବାସ ଠାରେ ଭେଟି ମୁଁ ଆନନ୍ଦିତ। ନାରୀ ସଶକ୍ତିକରଣର ନିରବ ବିପ୍ଳବ ସାଜିଥିବା ମିଶନ ଶକ୍ତିକୁ ଆହୁରି ଆଗକୁ ନେବା ପାଇଁ ଆମେ ସମସ୍ତେ ଏକାଠି କାମ କରିବା। #ଧନ୍ୟବାଦଓଡ଼ିଶାpic.twitter.com/aNPkIggsfK
— Naveen Patnaik (@Naveen_Odisha) May 26, 2019
ସବୁଠାରୁ ବଡ଼ କଥା ହେଲା କି, ଚଳିତ ନିର୍ବାଚନରେ ରାଜ୍ୟରେ ମୋଟ୍ ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ ଜଣ ମହିଳା ଭୋଟର ରହିଥିଲେ ଏବଂ ସେମାନଙ୍କ ମନଜିଣିବାରେ ସଫଳ ହୋଇଥିଲେ ନବୀନ । ଏପରିକି ନବୀନ ଜାଣିଥିଲେ ରାଜ୍ୟର ମୋଟ୍ ଭୋଟରଙ୍କ ୪୮.୬୨ ପ୍ରତିଶତ ଭୋଟ୍ ମହିଳାଙ୍କ ହାତରେ ରହିଛି ତେଣୁ ମହିଳା ହିଁ ନିର୍ବାଚନରେ ଗେମଚେଞ୍ଜର ସାଜିବେ । ସେଥିଲାଗି ମହିଳା ଭୋଟବ୍ୟାଙ୍କକୁ ନିଜ ସପକ୍ଷକୁ ନେବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସଫଳ ହୋଇଥିଲେ । ଆଉ ଯାହାର ପରିଣାମ ନବୀନ ଏବେ ୫ଥର ପାଇଁ ରାଜ୍ୟର ମଙ୍ଗ ଧରିବାକୁ ଯାଉଛନ୍ତି ।
ଅନ୍ୟପଟେ ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ସଂସଦ ଏବଂ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିବା କଥା ରଖି ମହିଳାଙ୍କ ହୃଦୟ ଜିଣିଛନ୍ତି ନବୀନ । ଏହାପରେ ବିଜେଡିର ଇସ୍ତାହାର ପତ୍ର ଏବଂ ନିର୍ବାଚନୀ ମୈଦାନରେ ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା, ଅନେକ ପ୍ରତିଶ୍ରୁତି ନୂଆ ସରକାର ଗଢ଼ିଲେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ । ତେବେ ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ବଡ଼ ବିଜୟ ଆଣିପାରିଛି ବିଜେଡି ତେଣୁ ରାଜ୍ୟର ମହିଳା ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।