କନକ ବ୍ୟୁରୋ : ଆକ୍ରମଣ ମୁଦ୍ରାରେ ନବୀନ । ସାରାଦେଶରେ ଅନିଶ୍ଚତତାର ବାତାବରଣ ସୃଷ୍ଟି ହୋଇଛି । ଏଥିପାଇଁ ଜାତୀୟ ରାଜନୈତିକ ଦଳ ଦାୟୀ । ଆଜି ମଧ୍ୟ ଭୁବନେଶ୍ୱରରେ ଆୟୋଜିତ ଦଳୀୟ ପଦଯାତ୍ରାରେ ଦଶମ ଦିନରେ ଭାଗ ନେଇ ଏଭଳି କଡା ଭାଷାରେ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୌଣସି ଦଳର ନାଁ ନନେଇ ବର୍ଷିଛନ୍ତି ବିଜେଡି ସଭାପତି । ପରୋକ୍ଷରେ ଏହି ସମାଲୋଚନା ମାଧମରେ ବିଜେପି ଓ କେନ୍ଦ୍ରସରକାରଙ୍କୁ ଇସାରା କରିଛନ୍ତି ।
ଦେଶବାସୀଙ୍କ ପାଇଁ ଅନିଶ୍ଚତତାର ମାନେ କଣ ? କାହିଁକି ବିଜେଡି ସୁପ୍ରିମୋ ନବୀନ ବାବୁ ଅନିଶ୍ଚିତତା ପ୍ରସଙ୍ଗ ଉଠାଇଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରାକରଣରେ ଦେଶର ଜନସାଧାରଣ ଅନେକ ମାତ୍ରାରେ ହଇରାଣ ହରକତ ହେଲେ । ଟଙ୍କା ବଦଳ କରିବା ପାଇଁ ଲୋକଙ୍କୁ ବ୍ୟାଙ୍କ ସାମ୍ନାରେ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡିଲା । ଜିଏସଟି ଦ୍ୱାରା ପ୍ରଭାବିତ ହେଲେ ଗରିବ ଲୋକ । ଦରଦାମ ବୃଦ୍ଧି ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି । ତୈଳଦର ବାରମ୍ବାର ବୃଦ୍ଧି ଦ୍ୱାରା ଲୋକ ଛଟପଟ ହେଉଛନ୍ତି । ଏହି ଅବସରରେ ସରକାରଙ୍କ ଆର୍ଥିକ ନୀତିକୁ କଡା ସମାଲୋଚନା କରୁଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା । ଦେଶରେ ଧନୀ ଅଧିକରୁ ଧନୀ ହେଉଛି । ସେପଟେ ଅସହିଷ୍ଣୁତା ବଢିଚାଲିଛି । ଜମ୍ମୁ ଓ କାଶ୍ମୀର ସହ ବିଭିନ୍ନ ରାଜ୍ୟର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ସାଂପ୍ରଦାୟିକ ହିଂସା, ଦଂଗା ପରିସ୍ଥିତି ଦେଖିବାକୁ ମିଳୁଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟର ବାସ୍ତବତା ଠିକ୍ ମନେହୁଏ ।
ବୁଲେଇ ବଙ୍କେଇ ନବୀନ ବିଜେପିକୁ ଟାର୍ଗେଟ କରିବା ଆରଂଭ କରିଛନ୍ତି । ନବୀନଙ୍କ ଏହି ପରିବର୍ତିତ ରଣନୀତି ବିଜେଡି ପଦଯାତ୍ରା ସମୟରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। କର୍ମୀ ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି, ନେତାମାନେ ବି। ପଦଯାତ୍ରା ଶୁଭାରମ୍ଭ କରିବା ଅବସରରେ ଗତ ୨ ତାରିଖ ଦିନ ବିଜେପି ଉଦ୍ଦେଶ୍ୟରେ ନବୀନ କହିଥିଲେ, ବର୍ତ୍ତମାନ କିଛି ଦଳ ଓଡ଼ିଶା ସରକାରଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି। ସେମାନେ ଶୂନ୍ୟରେ ମହଲ ତୋଳୁଛନ୍ତି। ଓଡ଼ିଶାବାସୀ ସବୁବେଳେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଆସିଛନ୍ତି। ସେମାନଙ୍କ ସହ କେବେ ନଥିଲେ, ରହି ନାହାନ୍ତି କି ଆଗକୁ ମଧ୍ୟ ରହିବେ ନାହିଁ ।
ସାଲିଆସାହିରେ ପୁଣିଥରେ କହିଛନ୍ତି, ଓଡିଶା ବିକାଶ ମଡେଲକୁ ସାରା ଦେଶରେ ପ୍ରଶଂସା କରାଯାଉଛି। ମାତ୍ର ଜାତୀୟ ରାଜନୈତିକ ଦଳ ଓଡ଼ିଶାକୁ ବାରମ୍ବାର ନିରାଶ କରିଛନ୍ତି। ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରି ଦଳୀୟ ସ୍ୱାର୍ଥରେ କାମ କରୁଛନ୍ତି। ବିକାଶର ନକଲି ଚିତ୍ରକୁ ପ୍ରଦର୍ଶିତ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି, ଭୁଆଁ ବୁଲାଉଛନ୍ତି। ଓଡ଼ିଶାବାସୀ ସେମାନଙ୍କ ମିଛକୁ କେବେ ବି ଗ୍ରହଣ କରି ନାହାନ୍ତି, ଆଗକୁ ମଧ୍ୟ ଗ୍ରହଣ କରିବେ ନାହିଁ । ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ହେଲାଣ. କେନ୍ଦ୍ର କଡା ଆଭିମୁଖ୍ୟ ରଖୁଥିବା ବେଳେ ବିଜେଡି ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିବା ଛଡା ଅନା କିଛି ବାଟ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/NAVEEN-PADA-JATRA-.jpg)