ବିଜେଡିର ପ୍ରତିଷ୍ଠା ଦିବସରେ ନବୀନ ଖେଳିଲେ ମହିଳା କାର୍ଡ । ମହିଳାଙ୍କ ସଂରକ୍ଷଣ କଥା ଉଠାଇଲେ, ଜାତୀୟ ଦଳର ଅସଲ ଚେହେରାକୁ ପଦାରେ ପକାଇଲେ ।

189

କନକ ବ୍ୟୁରୋ : ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ନବୀନ ଜାତୀୟ ଦଳ ଗୁଡିକୁ ଟାର୍ଗେଟ କରିବା ସହ ଖେଳିଛନ୍ତି ମହିଳା କାର୍ଡ । ମାଆ ଆଗେଇଲେ ଦେଶ ଆଗେଇବ କହି ନବୀନ ବିରୋଧୀଙ୍କୁ କଡା ଜବାବ ମଧ୍ୟ ଦେଇଛନ୍ତି । ମହିଳା ସଶକ୍ତୀକରଣର କଥା ଉଠାଇ ନବୀନ କହିଛନ୍ତି, ମାଆ ମାନେ ହେଉଛନ୍ତି ସମାଜର ରଥର ଅଖ । ସେମାନଙ୍କ ବିନା ଏହି ରଥ ଆଗକୁ ବଢିପାରିବ ନାହିଁ । ଏହାଛଡା ମହିଳାଙ୍କୁ ବିଜେଡି କେତେ ଗୁରୁତ୍ୱ ଦିଏ ତାହା ନିଜର ଅଭିଭାଷଣରେ କହିଛନ୍ତି ନବୀନ । ପଞ୍ଚାୟତସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ବିଜେଡି ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି । ଏପରିକି ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳ ଟିକେଟ ଦେଇଛି । କିନ୍ତୁ ଜାତୀୟ ଦଳ ମହିଳାଙ୍କୁ ନେଇ ନିଜର ଇସ୍ତାହାରରେ ବହୁତ ବଡ ବଡ଼ କଥା କୁହନ୍ତି । କିନ୍ତୁ ନିର୍ବାଚନ ସରିବା ପରେ ସବୁ ଭୁଲି ଯାଆନ୍ତି । ଏଭଳି କହି ଜାତୀୟ ଦଳର ମହିଳାଙ୍କ ଉପରେ ଫୋକସ ନଥିବା ବାର୍ତ୍ତା ଦେଇଛନ୍ତି ନବୀନ ।

ବିଜେଡି ଆଞ୍ଚଳିକ ଦଳ ହେଲେ ମଧ୍ୟ ମହିଳାଙ୍କ ସଂରକ୍ଷଣ ଦେବାକୁ ସଂସଦରେ ଦାବି ଜୋର କରିବ । ବିଧାନସଭା, ରାଜ୍ୟସଭା, ଲୋକସଭାର ପ୍ରତି ଅଧିବେଶନରେ ମହିଳାଙ୍କ ସଂରକ୍ଷଣ କଥା ଜାତୀୟ ଦଳକୁ ମନେପକାଇଦେବ । ମହିଳାଙ୍କୁ ହକ୍ ମିଳିବା ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଲଢାଇ ଜାରି ରଖିବ ବିଜେଡି । ଭାରତର ସବୁ ମହିଳାଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବୁ ଓ ଗାଁ ଗାଁରେ ମହିଳାଙ୍କୁ ସଚେତନ କରାଇବୁ ବୋଲି କହିଛନ୍ତି ନବୀନ । ଏପରିକି ଏହାକୁ ଆମେ ଏକ ଆନ୍ଦୋଳନର ରୂପ ଦେବୁ ବୋଲି କହି ନବୀନ ମହିଳା ଭୋଟବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ଜୋରଦାର ଉଦ୍ୟମ କରିଛନ୍ତି ।

ବିଶ୍ୱର ଆଗୁଆ ଦେଶ ମାନଙ୍କ ସହ ପ୍ରତିଯୋଗିତା କରିବାକୁ ହେଲେ ମାଆ ମାନଙ୍କୁ ହକ ଦେବାକୁ ପଡିବ । ଯେଉଁଥିରେ ବିଜେଡି ଆଗରେ ରହିଛି ଓ ଆଗକୁ ମଧ୍ୟ ରହିବ । ମହିଳା ସଶକ୍ତିକରଣ ହେଲେ ଦେଶ ସଶକ୍ତ ହେବ । ଓଡ଼ିଶାବାସୀଙ୍କ ବିଶ୍ୱାସ ଓ କର୍ମୀଙ୍କ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ବିଜେଡି ଏବେ ଆଉ ଦଳ ନୁହେଁ ବରଂ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ମାଆ ମାନେ ହିଁ ଏହି ସାମାଜିକ ଆନ୍ଦୋଳନର ଆତ୍ମା । ସବୁଠୁ ବଡ କଥା ହେଉଛି ମାଆ ମାନେ ହିଁ ସଶକ୍ତ ଓଡ଼ିଶା ଗଠନ କରିପାରିବେ । ତେଣୁ ମାଆ ମାନଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଲେ ନବୀନ । ଏଭଳି କହି ନବୀନ ମହିଳାଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରିଥିବା ବେଳେ ଜାତୀୟ ଦଳର ଅସଲ ଚେହେରାକୁ ପଦାରେ ପକାଇଛନ୍ତି ।