ଚତୁର୍ଥ ପର୍ଯ୍ୟାୟ ପାଇଁ ନବୀନଙ୍କ ମାରାଥନ ପ୍ରଚାର । ବାଲେଶ୍ୱରରୁ ବାରିପଦା ନବୀନ କଲେ ରୋଡ ସୋ’ । ନିର୍ବାଚନ ସଭାରୁ କେନ୍ଦ୍ରକୁ କଲେ ଟାର୍ଗେଟ

306
କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ନିର୍ବାଚନୀ ପ୍ରଚାର । ଆଉ ବିଜେଡି ଶିବିରରୁ ପ୍ରଚାର ମଙ୍ଗ ଧରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା କ୍ଷେତ୍ରରେ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ । ଏକ ବିଶାଳ ରୋଡ୍ ସୋ ଜରିଆରେ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଶାଳ ଜନସମାବେଶ, ହଜାର ହଜାର ଲୋକଙ୍କ ସମାଗମ । ଆଉ ତାରି ଭିତରେ ଆଗକୁ ବଢ଼ି ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ସ୍ଥାନେ ସ୍ଥାନେ ଅଟକି ଜନତାଙ୍କୁ ସମ୍ବୋଧିତ କରୁଥିଲେ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା କ୍ଷେତ୍ରର ବିଭିନ୍ନ ଅଂଚଳରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ରୋଡ ସୋ’ ରେ ସୀମିତ ନଥିଲା ନବୀନଙ୍କ ପ୍ରଚାର । ବିଭିନ୍ନ ନିର୍ବାଚନ ସଭାରେ ମଧ୍ୟ ଯୋଗ ଦେଇ ମୋଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ନବୀନ ।
ବାଲେଶ୍ୱର ପରେ ବାରିପଦା ଅଭିମୁଖେ ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇବା ପାଇଁ ଏବଂ ପଦେ କଥା ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବେଶ ଉତ୍ସାହ । ଆଉ ଏସବୁ ଭିତରେ ଭୋଗରାଇ, ବସ୍ତା, ରେମୁଣା ଆଦି ଅଚଂଳରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ହେଉଥିବା ବେଳେ ଏହି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଲଗାଇ ଦେଇଛି ବିଜେଡି ।