କେନ୍ଦ୍ରାପଡା ସଭାରେ ବୈଜୟନ୍ତଙ୍କ ମୁଖା ଖୋଲିଲେ ନବୀନ । କହିଲେ, କେନ୍ଦ୍ରାପଡାବାସୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି ବୈଜୟନ୍ତ । ଜିଲ୍ଲାର ବିକାଶ ବଦଳରେ ନିଜ ଶିଳ୍ପର ବିକାଶ କରିବାକୁ ଚାହୁଁଥିଲେ ।
କନକ ବ୍ୟୁରୋ : କେନ୍ଦ୍ରାପଡା ନିର୍ବାଚନୀ ସଭାରେ ବୈଜୟନ୍ତଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସିଧା ନିଶାନା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବୈଜୟନ୍ତଙ୍କ ମୁଖା ଖୋଲିଛନ୍ତି ନବୀନ । ବୈଜୟନ୍ତ କିଭଳି କେନ୍ଦ୍ରାପଡାବାସୀ ଓ ମୋର ବିଶ୍ୱାସ ଭାଙ୍ଗିଛନ୍ତି ତାହାର ଉଦାହରଣ ଲୋକଙ୍କ ସାମ୍ନାରେ ରଖିଛନ୍ତି ନବୀନ । ସ୍ୱାଧୀନତାର ୭୦ ବର୍ଷ ପରେ କେନ୍ଦ୍ରାପଡାକୁ ରେଳ ଯୋଗାଯୋଗ ନାହିଁ । ଏଥିପାଇଁ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଥିବା ବେଳେ ବିଶ୍ୱାସ ଭାଙ୍ଗିଥିଲେ ବୈଜୟନ୍ତ ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରାପଡାରେ ରେଳ ସଂଯୋଗ ନେଇ ଦିଲ୍ଲୀରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେଲା ବେଳେ ହିଁ ବୈଜୟନ୍ତଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା । କେନ୍ଦ୍ରର ବରିଷ୍ଠ ମନ୍ତ୍ରୀ କହିଥିଲେ, ଆପଣ କେନ୍ଦ୍ରାପଡାରେ ରେଳ ଲାଇନ କଥା କହୁଛନ୍ତି କିନ୍ତୁ କେନ୍ଦ୍ରାପଡା ସାଂସଦ ସବୁବେଳେ ତାଙ୍କ ଶିଳ୍ପର ପ୍ରସାର ପାଇଁ ରେଳ ଯୋଗାଯୋଗ କଥା ଚିନ୍ତା କରୁଛନ୍ତି । ଏପରିକି କେନ୍ଦ୍ରାପଡାରେ କିଭଳି ଶିଳ୍ପ ପ୍ରତିଷ୍ଠା ହେବ ତାହା ପାଇଁ ବୈଜୟନ୍ତଙ୍କର ଚିନ୍ତା ନଥିଲା । ସବୁବେଳେ ନିଜର ଶିଳ୍ପର ବିକାଶ ପାଇଁ ଚିନ୍ତା କରୁଥିଲେ ବୈଜୟନ୍ତ । ଏଭଳି କହି ବୈଜୟନ୍ତଙ୍କୁ ଡାଇରେକ୍ଟ ଆଟାକ କରିଛନ୍ତି ନବୀନ ।
ନବୀନ କହିଛନ୍ତି, ମୋ ଅନୁରୋଧରେ ଆପଣ ମାନେ ତାଙ୍କୁ ୨ ଥର ଭୋଟ ଦେଇଥିଲେ । କିନ୍ତୁ ସେ କେନ୍ଦ୍ରାପଡାବାସୀ ଓ ମୋ ବିଶ୍ୱାସ ଭାଙ୍ଗିଛନ୍ତି । ଆପଣମାନଙ୍କ ବିଶ୍ୱାସ ସହ ଖେଳିଛନ୍ତି । ଏହା ବିଜୁ ବାବୁଙ୍କ ପ୍ରତି ଅସମ୍ମାନ । ଏଥର କେନ୍ଦ୍ରାପଡାବାସୀ ତାଙ୍କୁ ନିର୍ବାଚନରେ ଉଚିତ ଜବାବ ଦେବେ । ଏଭଳି କହି ବୈଜୟନ୍ତଙ୍କ ଅସଲ ମୁଖା ଖୋଲିଛନ୍ତି ନବୀନ । ଏପରିକି କେନ୍ଦ୍ରାପଡାର ବିକାଶ ପାଇଁ ବୈଜୟନ୍ତଙ୍କର କେତେ ଆନ୍ତରିକତା ରହିଛି ତାହାର ପ୍ରକୃତ ଚିତ୍ର ସାମ୍ନାକୁ ଆଣିଛନ୍ତି ବିଜେଡି ସୁପ୍ରିମୋ ।
ଏହାବାଦ୍ କେନ୍ଦ୍ରାପଡାର ବିକାଶର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇଛନ୍ତି ନବୀନ । କେନ୍ଦ୍ରାପଡାର ବିକାଶ ଏଥର ମୁଁ ନିଜେ ଦେଖିବି ବୋଲି କହିବା ସହ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଆର୍ଶୀବାଦ କରିବା ସହ ବିଜୟୀ କରିବାକୁ କହିଛନ୍ତି ନବୀନ ।