କେନ୍ଦ୍ରାପଡା କୁରୁକ୍ଷେତ୍ରରୁ ବୈଜୟନ୍ତଙ୍କୁ ସିଧା ନିଶାନା କଲେ ନବୀନ । ନିଜ ସ୍ୱାର୍ଥ ପାଇଁ କେନ୍ଦ୍ରାପଡାବାସୀଙ୍କ ସ୍ୱାର୍ଥକୁ ବଳି ପକାଇଛନ୍ତି ବୈଜୟନ୍ତ, କ୍ଷମା ଦେବେନି ଲୋକେ ।

273

କନକ ବ୍ୟୁରୋ : କେନ୍ଦ୍ରାପଡା କୁରୁକ୍ଷେତ୍ରରୁ ବୈଜୟନ୍ତଙ୍କୁ ସିଧା ନିଶାନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୯ ତାରିଖରେ ହେବାକୁ ଥିବା ଶେଷ ଲଢେଇ ପାଇଁ ବିଜେଡି ସୁପ୍ରିମୋ ଆଜି କେନ୍ଦ୍ରାପଡାରେ ମେଗା ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବୈଜୟନ୍ତଙ୍କୁ ଟାର୍ଗେଟ କରିବାକୁ ପଛାଇନାହାନ୍ତି । ବିଜୁ ବାବୁଙ୍କ କର୍ମଭୂମି ଥିବା କେନ୍ଦ୍ରାପଡାର ଦାୟିତ୍ୱ ସେ ଜଣେ ଯୁବ ଓ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କ ହାତରେ ଦେଇଥିଲେ । କେନ୍ଦ୍ରାପଡାବାସୀଙ୍କ ସେବା କରିବା ସହ ବିକାଶକୁ ଆଗେଇ ନେବେ ବୋଲି ଧାରଣା ଥିଲା । କେନ୍ଦ୍ରାପଡାବାସୀ ମଧ୍ୟ ମୋ ଭରସାରେ ବୈଜୟନ୍ତଙ୍କୁ ବିଶ୍ୱାସ କରିଥିଲେ ଓ ୨ ଥର ଲୋକସଭାକୁ ପଠାଇଥିଲେ ।

ନିଜର ରାଜନୈତିକ ଅଭିଳାଷା ପାଇଁ ବୈଜୟନ୍ତ କିନ୍ତୁ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ୱାସଘାତକତା କରିବାକୁ ପଛାଇନଥିଲେ । ନିଜ ସ୍ୱାର୍ଥ ପାଇଁ କେନ୍ଦ୍ରାପଡାର ସ୍ୱାର୍ଥକୁ ବଳି ପକାଇଥିଲେ । ଯେଉଁଥିପାଇଁ କେନ୍ଦ୍ରାପଡାବାସୀ ତାଙ୍କୁ କେବେ କ୍ଷମା ଦେବେ ନାହିଁ । କେନ୍ଦ୍ରାପଡାବାସୀ ବେଶ ସ୍ୱାଭିମାନୀ । କେନ୍ଦ୍ରାପଡାର ସ୍ୱାଭିମାନରେ ଆଞ୍ଚ ଆଣୁଥିବା ଲୋକଙ୍କୁ ସେମାନେ କଦାପି ବରଦାସ୍ତ କରିବେ ନାହିଁ । ଯାହାର ଉଚିତ ଜବାବ ଲୋକ ଚଳିତ ନିର୍ବାଚନରେ ତାଙ୍କୁ ଦେବେ ।

ଏହାସହ ନବୀନ କହିଛନ୍ତି ଚଳିତ ଥର ପୁଣିଥରେ ସେ ଜଣେ ଉଚ୍ଚଶିକ୍ଷିତ ଓ ଲୋକପ୍ରିୟ ବ୍ୟକ୍ତିଙ୍କୁ କେନ୍ଦ୍ରାପଡାର ପ୍ରତିନିଧିତ୍ୱ କରିବାପାଇଁ ମନୋନୀତ କରିଛନ୍ତି । ତେଣୁ ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ନବୀନ । ଏହାଛଡା ବିଜୁବାବୁଙ୍କ କର୍ମଭୂମି ପାଲଟିଥିବା କେନ୍ଦ୍ରାପଡାର ବିକାଶ ଦାୟିତ୍ୱ ନିଜେ ଦେଖିବି ବୋଲି କହିଛନ୍ତି ନବୀନ । ଏଭଳି କହି କେନ୍ଦ୍ରାପଡାବାସୀଙ୍କ ମନ ଜିଣିବା ସହ ଭୋଟ ହାତେଇବାକୁ ଉଦ୍ୟମ କରିଛନ୍ତି ନବୀନ ।