ବିଧାୟକ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ । ବିଧାନସଭାରେ ଶପଥପାଠ କରାଇଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

1,208

କନକ ବ୍ୟୁରୋ : ବିଧାୟକ ଭାବେ ବିଧାନସଭାରେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନଙ୍କୁ ବିଧାୟକ ଭାବେ ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବିଧାୟକ ଭାବେ ଶପଥ ଗ୍ରହଣ କରିଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ବିଧାୟକ ମାନେ ଶପଥ ନେଇଛନ୍ତି । ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିବା ପରେ ବିଜେଡିର ଅନ୍ୟ ବିଧାୟକ ମାନେ ତାଙ୍କୁ ପାଛୋଟି ନେଇଥିଲେ ।ଚଳିତଥର ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢିଥିଲେ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜିରେ ନବୀନ ପରାଜିତ ହୋଇଥିବା ବେଳେ ହିଞ୍ଜିଳି ଆସନରେ ଅଳ୍ପ ଭୋଟରେ ବିଜୟୀ ହୋଇଥିଲେ ନବୀନ ପଟ୍ଟନାୟକ ।

ବିଧାନସଭାରେ ସନ୍ଧ୍ୟା ୫ଟା ଯାଏଁ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ । ଏହାପରେ ୨୦ରେ ରହିଛି ବାଚସ୍ପତି ନିର୍ବାଚନ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତିନି ଦିନିଆ ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ପାସଧାରୀ ବ୍ୟକ୍ତିଙ୍କୁ ବିଧାନସଭାକୁ ପ୍ରବେଶ ଅନୁମତି ଦିଆଯିବ । ସୁରକ୍ଷା ଦାୟିତ୍ୱରେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ନିଜେ ପୋଲିସ କମିଶନର ସୁରକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି ।