ମେଣ୍ଟ ନିଷ୍ପତ୍ତି ନବୀନ ନେବେ, ଆସନ ବୁଝାମଣାକୁ ନେଇ ଚାଲିଛି ତର୍ଜମା । ବିଜେପି-ବିଜେଡି ମେଣ୍ଟକୁ ନେଇ ବଡ ବୟାନ ରଖିଲେ ବିଧାୟକ ପର୍ଶୁରାମ ଧଡ଼ା ।

825

କନକ ବ୍ୟୁରୋ : ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନଥିବା ବେଳେ କୌଣସି ସ୍ପଷ୍ଟ ଚିତ୍ର ମଧ୍ୟ ଏଯାଏଁ ସାମ୍ନାକୁ ଆସିନି । ମେଣ୍ଟ  ହେବ କି ନାହିଁ ଏବଂ ମେଣ୍ଟ ହେଲେ ଏହାର ରୂପରେଖ କଣ ହେବ ତାହାକୁ ନେଇ ଉଭୟ ଦଳର ନେତା ସେଭଳି ସ୍ପଷ୍ଟ ସଂକେତ ଦେଇନାହାନ୍ତି । କିନ୍ତୁ ଏହା ଭିତରେ ବିଜେଡି ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱାର୍ଥ ପାଇଁ ସବୁବେଳେ ପଦକ୍ଷେପ ନେଇଥାନ୍ତି ଏବଂ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଆମ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ସମସ୍ତେ ମାନିଛନ୍ତି ଆଉ ଆଉ ମାନିବେ ।  ମେଣ୍ଟ କିଛି ନୂଆ କଥା ନୁହେଁ । ବିଗତ ଦିନରେ ବି ଆମର ମେଣ୍ଟ ହୋଇଥିଲା  । ଆସନ ବୁଝାମଣାକୁ ନେଇ ତର୍ଜମା ଚାଲିଛି । ବର୍ତ୍ତମାନ ସୁଦ୍ଧା ଆକଳନ ହୋଇନି । ମୁଖ୍ୟମନ୍ତ୍ରୀ ତାହା ଉପରେ ଭଲ ଭାବେ ନଜର ରଖିଛନ୍ତି । ଉଭୟ ଦଳର ବିଚାର ବିମର୍ଷ ଚାଲିଛି । ତାହା ପରେ ନିଷ୍ପତ୍ତି ନିଆଯିବ । ମେଣ୍ଟ ହେଲେ ବିଜେଡିର କିଛି କ୍ଷତି ହେବାର ନାହିଁ ବୋଲି କହିଛନ୍ତି ପର୍ଶୁରାମ ଧଡା ।

ସେହିଭଳି ବିଜେଡି ସାଂସଦ ରମେଶ ମାଝୀ କହିଛନ୍ତି, ମେଣ୍ଟ ନେଇ ରାଜ୍ୟର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶାର ସ୍ୱାର୍ଥକୁ ପ୍ରାଥମିକତା ଦେଇ ଆସିଛନ୍ତି । କଣ ହେବ ଶୀର୍ଷ ନେତୃତ୍ୱ କହିବେ । ଉଚିତ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବ ଦଳ ।