ଦେଶକୁ ନବୀନଙ୍କ ବଡ ବାର୍ତ୍ତା । ନିଜ ସମ୍ବଳରେ ବିପର୍ଯ୍ୟୟ ମୁକାବିଲା ।

୧୯୯୯ ମହାବାତ୍ୟା ପରେ ଯେତେବେଳେ ରାଜ୍ୟର ଆର୍ଥିକ ସ୍ଥିତି ଦୋହଲି ଯାଇଥିଲା, ତାପରେ କ୍ଷମତାକୁ ଆସିଥିବା ନବୀନ ପଟ୍ଟନାୟକ ପୁରା ଦେଶକୁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ, ରାଜ୍ୟ ଏବେ ଅନ୍ୟ କାହା ଉପରେ ନିର୍ଭରଶୀଳ ହେବାକୁ ଚାହୁଁନାହିଁ ।

649

କନକ ବ୍ୟୁରୋ : ମହାମାରୀ ସମୟରେ କେନ୍ଦ୍ର ସରକାର ଉପରେ ଓଡିଶା ଅତିରିକ୍ତ ଚାପ ପକାଇବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାତ୍ୟା ସମୀକ୍ଷା ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା, ଯାହା ଏକ ବଡ ସଂକେତ ସମସ୍ତଙ୍କ ପାଇଁ ସାମ୍ନାକୁ ଆଣିଛି । ବାତ୍ୟା ୟାସ୍ ଜନିତ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଁଚିବା ପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ପୂର୍ବଭଳି ଏଠି ରାଜ୍ୟ ସରକାର କୌଣସି ସହାୟତା ତୁରନ୍ତ ଦେବାକୁ ଦାବି କରିନଥିଲେ, ବରଂ ଦୀର୍ଘମିଆଦି ଭାବେ କଣ ସବୁ ପଦକ୍ଷେପ ଆପଣା ଯାଇପାରିବ, ସେନେଇ ଜୋର ଦେଇଥିଲେ । ଆଉ ଏହାପରେ ମୁଖ୍ୟମନ୍ତ୍ରୀ କରିଥିବା ତିନୋଟି ଟ୍ୱିଟ ଦର୍ଶାଇଥିଲା, ରାଜ୍ୟର ଆଭିମୁଖ୍ୟ କଣ ରହୁଛି ।

ପ୍ରଥମ ଟ୍ୱିଟରେ ମୁଖ୍ୟମନ୍ତ୍ରୀ କହିଥିଲେ, ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ଆସିଥିବାରୁ ତାଙ୍କୁ ଧନ୍ୟବାଦ । ବାତ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ମୁକାବିଲା ଓ ପୁନରୁଦ୍ଧାର ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ଜଣାଇଥିଲି ।

ଦ୍ୱିତୀୟ ଟ୍ୱିଟରେ ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶରେ କରୋନା ସଂକ୍ରମଣ ଶୀର୍ଷରେ ଥିବାରୁ ଏଭଳି ସମୟରେ କେନ୍ଦ୍ର ଉପରେ ଅତିରିକ୍ତ ବୋଝ ପକାଇବାକୁ ନଚାହିଁ, ଆମେ ହଠାତ୍ କୈାଣସି ଆର୍ଥିକ ସାହାଯ୍ୟ ଦେବାକୁ ଅନୁରୋଧ କଲୁନାହିଁ । ରାଜ୍ୟ ତାର ନିଜସ୍ୱ ସମ୍ବଳରେ ସ୍ଥିତିର ମୁକାବିଲା କରି ବିପଦରୁ ବାହାରିବ ।

ତୃତୀୟ ଟ୍ୱିଟରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିବର୍ଷ ପ୍ରକୃତିର କରାଳ ରୁପକୁ ରାଜ୍ୟ ସାମ୍ନା କରୁଥିବାରୁ ଦୀର୍ଘମିଆଦି ଭାବେ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରର ସହଯୋଗ ଲୋଡିଛୁ । ବାତ୍ୟା ନିରୋଧୀ ବିଦ୍ୟୁତ ବ୍ୟବସ୍ଥା ଏବଂ ଉପକୁଳକୁ ଜୁଆରରୁ ସୁରକ୍ଷା ଦେବାକୁ ବନ୍ଧ ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହି ତିନୋଟି ଟ୍ୱିଟ ମଧ୍ୟରେ ଯେଉଁ ଦିଗ ପ୍ରତି ସମସ୍ତଙ୍କର ଦୃଷ୍ଟି ଯାଉଛି, ତାହା ହେଉଛି କେନ୍ଦ୍ର ଉପରେ ଚାପ ନପକାଇ ନିଜ ସମ୍ବଳରେ ରାଜ୍ୟର ବିପର୍ଯ୍ୟୟକୁ ନିଜେ ମୁକାବିଲା କରିବା । ଏଥିରୁ ଅନେକ ଗୁଡିଏ ବାର୍ତ୍ତା ସାମ୍ନାକୁ ଆସୁଛି । ପ୍ରଥମଟି ହେଉଛି, ରାଜ୍ୟର ଆର୍ଥିକ ସ୍ଥିତି ଏବେ ଦୃଢ ରହିଛି । ୧୯୯୯ ମହାବାତ୍ୟା ପରେ ଯେତେବେଳେ ରାଜ୍ୟର ଆର୍ଥିକ ସ୍ଥିତି ଦୋହଲି ଯାଇଥିଲା, ତାପରେ କ୍ଷମତାକୁ ଆସିଥିବା ନବୀନ ପଟ୍ଟନାୟକ ପୁରା ଦେଶକୁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ, ରାଜ୍ୟ ଏବେ ଅନ୍ୟ କାହା ଉପରେ ନିର୍ଭରଶୀଳ ହେବାକୁ ଚାହୁଁନାହିଁ । ଯେତେବେଳେ କେନ୍ଦ୍ର ଉପରେ ଅତିରିକ୍ତ ଭାବେ କରୋନାର ଚାପ ରହୁଛି, ଠିକ ସେତିକି ବେଳେ ରାଜ୍ୟ ଆଉ ଅତିରିକ୍ତ ବୋଝ ନପକାଇ ନିଜେ ନିଜ ଗୋଡରେ ଆତ୍ମବିଶ୍ୱାସର ସହ ଠିଆ ହେବାକୁ ଚାହିଁଛି ।

ସେହିଭଳି କେନ୍ଦ୍ର-ରାଜ୍ୟ ଭିତରେ ଆରୋପ ପ୍ରତ୍ୟାରୋପର ରାଜନୀତିରୁ ବହୁ ଉପରକୁ ଉଠିବାକୁ ଚେଷ୍ଟା କରିଛି ରାଜ୍ୟ । ସ୍ୱାଭାବିକ ଭାବେ ଯେବେ ମଧ୍ୟ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଆସେ, ସେତେବେଳେ କେନ୍ଦ୍ର ନିକଟରୁ ରାଜ୍ୟ ଅଧିକ ଆର୍ଥିକ ସହାୟତା ଚାହିଁଥାନ୍ତି । ଆଉ ଦିଲ୍ଲୀ ସମାନ ପରିମାଣରେ ଅର୍ଥ ନଦେଲେ, ଆରମ୍ଭ ହୁଏ ଆରୋପ ପ୍ରତ୍ୟାରୋପର ରାଜନୀତି । ତେଣୁ ଏହି ରାଜନୀତିର ତୁତୁ ମେଁ ମେଁକୁ ପଶିବାକୁ ଉଚିତ ମଣିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଂ ଏକ ବଡ ବିପତ୍ତି ସମୟରେ କେନ୍ଦ୍ର ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିବା ବାର୍ତ୍ତା ଦେଇଛନ୍ତି ।

ଓଡିଶାରେ ସମୀକ୍ଷା ବୈଠକ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ପହଁଚିଥିଲେ ବାତ୍ୟା ସ୍ଥିତିର ଅନୁଧ୍ୟାନ ପାଇଁ । ହେଲେ ଏଠି ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଥିଲା । ଖବର ସରବରାହ ସଂସ୍ଥା ଟ୍ୱିଟ କରି କହିଥିଲା, ସମାନ ବିଲଡିଙ୍ଗରେ ଥାଇ ମଧ୍ୟ ମମତା ବାନାର୍ଜୀ ଏବଂ ମୁଖ୍ୟ ଶାସନ ସଚିବ ସମୀକ୍ଷା ବୈଠକକୁ ୩୦ ମିନିଟ ବିଳମ୍ବରେ ଆସିଥିଲେ । ବିଳମ୍ବରେ ଆସିବା ପରେ, ବୈଠକରେ ଅଳ୍ପ ସମୟ ଉପସ୍ଥିତ ରହି କିଛି କାଗଜପତ୍ର ପ୍ରଦାନ କରି ଅନ୍ୟ ବୈଠକ ଥିବା କଥା କହି ସେଠାରୁ ବାହାରି ଯାଇଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଉଭୟ ଓଡିଶା ଏବଂ ପଶ୍ଚିମବଙ୍ଗ ବାତ୍ୟା ୟାସ୍ ଦ୍ୱାରା ପ୍ରଭାବିତ ହୋଇଛି । ଉଭୟ ସ୍ଥାନକୁ ଆଜି ପ୍ରଧାନମନ୍ତ୍ରୀ ପହଁଚିଥିଲେ । ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା, ବିଦାୟ ଦେବା, ସମୀକ୍ଷା ବୈଠକ ସବୁଥିରେ ଉପସ୍ଥିତ ଥିଲେ । ହେଲେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ ମିନିଟ ବିଳମ୍ବରେ ସମୀକ୍ଷାକୁ ଆସିଲେ, ଅନ୍ୟ କାମ ଅଛି ବୋଲି କହି ବାହାରିଗଲେ । ଆସନ୍ତାକାଲି ସେ ଅଲଗା ଭାବେ ଆକଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ବୋଲି ମମତା କହିଛନ୍ତି । ଦୁଇ ରାଜ୍ୟ ଏବଂ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟ ସଂଘୀୟ ଢାଂଚାର ଅଲଗା ଅଲଗା କାହାଣୀ କହୁଥିବା ସ୍ପଷ୍ଟ ପ୍ରମାଣ ଦେଉଥିଲା ।

ଏହା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା, କରୋନା ମୁକାବିଲା ସମୟରେ କେନ୍ଦ୍ରକୁ ଦୋଷ ଦେବାର ଧାରାରୁ ନବୀନ ବିଚ୍ୟୁତ ଅଛନ୍ତି । ଅନ୍ୟ ରାଜ୍ୟ ଖାସ କରି ଦିଲ୍ଲୀ, ମହାରାଷ୍ଟ୍ର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଭଳି ରାଜ୍ୟ ଯେଉଁଭଳି କେନ୍ଦ୍ର ଉପରେ ଦୋଷ ଲଦିବାରେ ବ୍ୟସ୍ତ ଅଛନ୍ତି, ସେଥିରୁ ଓଡିଶା ବହୁ ଦୂରରେ । କରୋନା ମୁକାବିଲା କ୍ଷେତ୍ରରେ ଅନ୍ୟ ରାଜ୍ୟକୁ ସାହାଯ୍ୟ କରି ସାବାସୀ ଲୁଟିବା କିମ୍ବା କେନ୍ଦ୍ରର ଅସହଯୋଗକୁ ନେଇ ମୁଦ୍ଦା କରିବାକୁ ଆଗ୍ରହ ବି ପ୍ରକାଶ କରିନାହିଁ ଓଡିଶା ।

ଏକ ଅଦୃଶ୍ୟ ଭୂତାଣୁ ବିରୋଧରେ ଯେତେବେଳେ ସାରା ଦେଶ ଲଢୁଛି, ସେତେବେଳେ ମିଳିମିଶି ମୁକାବିଲା କରିବାର ଏକ ନଜିର ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ । ପାଖାପାଖି ଘଂଟାଏ ଧରି ଯେଉଁ ସମୀକ୍ଷା ବୈଠକ ବିମାନ ବନ୍ଦରରେ ହୋଇଥିଲା, ସେଥିରୁ ଓଡିଶା ସହାୟତା ଆଉ ସହଯୋଗର ଢେର ଉପରକୁ ଉଠି ଦୀର୍ଘମିଆଦି ଯୋଜନାକୁ ସାମ୍ନାକୁ ଆଣିବା ସହ କେନ୍ଦ୍ର-ରାଜ୍ୟ ମଧ୍ୟରେ ସଂପର୍କ କିଭଳି ରହିବା ଦରକାର, ତାର ଉଦାହରଣ ସୃଷ୍ଟି କରିଛନ୍ତି ।