ମୋଦୀ ପରେ ନବୀନ ସେଲ୍ଫି ପଏଣ୍ଟ । ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ।

195

କନକ ବ୍ୟୁରୋ: ମୋଦୀ ପରେ ଏବେ ନବୀନ ସେଲ୍ଫି ପଏଂଟ । ନବୀନ ପଟ୍ଟନାୟକ ସେଲ୍ଫି ପଏଣ୍ଟ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ କୁହାଯାଇଛି । କ୍ୟାମ୍ପସର ପ୍ରମୁଖ ସ୍ଥାନରେ ସେଲ୍ଫି ପଏଂଟ ପ୍ରତିଷ୍ଠା କରିବା ସହ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ୟାମ୍ପସରେ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ରାଜ୍ୟ ସରକାର ନଭେମ୍ବରରେ ଆଇୱାଇଡିପିର ଶୁଭାରମ୍ଭ କରିଥିଲେ । ପରେ ପ୍ରୋଗ୍ରାମ ନାଁ ବଦଳାଇ ନୂତନ ଉନ୍ନତ ଅଭିଲାଷ ଓଡ଼ିଶା ବା ‘ନୂଆ-ଓ’କୁ ପରିବର୍ତନ କରାଯିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏବେ ଆଉ ଏକ ପରିବର୍ତନ ମଧ୍ୟ ହୋଇଛି । ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି ସେମାନଙ୍କୁ ଦିଆଯାଉଥିବା ପ୍ରଶ୍ନପତ୍ରର ଉପରି ଭାଗରେ ‘ହ୍ୟାସ୍ ଗ୍ୟାଗ୍ ନୂଆ-ଓ’ ଲୋଗୋ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରଖିବାକୁ କୁହାଯାଇଛି । ପ୍ରଶ୍ନପତ୍ରର ପଛପାଶ୍ୱର୍ରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଲେଖାଯିବା ସହ ଶଙ୍ଖ ଚିହ୍ନ ଥିବା ଲୋଗୋ ରଖିବାକୁ ଶିକ୍ଷାନୁଷ୍ଠାନ ଗୁଡିକୁ ପରାମର୍ଶ ଦିଆଯାଇଛି । ଗତ ସପ୍ତାହରେ ମୋଦୀ ସେଲ୍ଫି ପଏଂଟ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଥ୍ରୀ-ଡି ସେଲ୍ଫି ପଏଂଟ କ୍ୟାମ୍ପସର ପ୍ରମୁଖ ସ୍ଥାନରେ ପ୍ରତିଷ୍ଠା କରିବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା ।