କାହିଁକି କଠୋର ହେଲେ ନବୀନ ? ସୁପ୍ରିମୋ କହିଲେ, ସୀମା ଟପି ଯାଇଥିଲେ ଦାମ

38

କନକ ବ୍ୟୁରୋ : ଦିଲ୍ଲୀରୁ ଭୁବନେଶ୍ୱର ଦାମଙ୍କ ବହିଷ୍କାରକୁ ଯଥାର୍ଥ କହିଲେ ନବୀନ । ଦାମ ଦଳବିରୋଧୀ କାମ କରୁଥିଲେ ଓ ମନ୍ତବ୍ୟ ଦେଉଥିବାରୁ କାର୍ଯ୍ୟାନୁଷ୍ଠାନ ନେଲେ ବୋଲି ନବୀନ କହିଛନ୍ତି । ଏପଟେ ସୁତାଖିଅରେ ଝୁଲୁଛି ଦାମଙ୍କ ପରିବାରର ରାଜନୈତିକ ଭବିଷ୍ୟତ । ବିଜେଡିରେ ରହି ବିରୋଧୀଙ୍କୁ ସୁହାଇଲା ଭଳି କଥା କହୁଥିବା ଦାମ ବିଦା ହେବା ପରେ ଛୁଟିଛି ସମବେଦନାର ସୁଅ । ଏପରିକି ବିରୋଧୀ କ୍ୟାମ୍ପରେ ସାମିଲ ହେବା ପାଇଁ ଆସିଛି ଆହ୍ୱାନ ।

ଦାମୋଦର ରାଉତ ଦଳ ବିରୋଧୀ କାମ କରୁଥିଲେ । ବାରମ୍ବାର ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଆସୁଥିଲେ ଏବଂ ସେ ଆଣିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ କିଛି ଏହିଭଳି ପ୍ରତିକ୍ରିୟା ରଖି ନବୀନ ନେଇଥିବା ନିଜ ନିଷ୍ପତିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି । ନବୀନଙ୍କ ହାବଭାବରୁ ବେଶ ବାରି ହେଉଥିଲା ଯେ, ଦାମଙ୍କ ବିରୋଧରେ କଠୋର ନିଷ୍ପତି ନେବାଛଡା ତାଙ୍କ ନିକଟରେ ଆଉ କୌଣସି ବିକଳ୍ପ ନଥିଲା ।

ବିଭିନ୍ନ ବିଭାଗରେ ଦୁର୍ନୀତି ଅଭିଯୋଗ ଆଣି ସରକାରଙ୍କୁ ସମାଲୋଚନା କରିବା ସହ ଜଗତସିଂପୁର ଜିଲ୍ଲା ବିଜେଡିରେ ଦଳ ବିରୋଧୀ କାର୍ଯ୍ୟକଳାପ ନେଇ ନବୀନଙ୍କ ନିକଟରେ ଅଭିଯୋଗ ଥିଲା । ହେଲେ ମଙ୍ଗଳବାର ଦାମ ଦେଇଥିବା ବୟାନ ସବୁ ସୀମା ଟପିଗଲା । ଯେତେବେଳେ ଦଳର ପରିଚାଳନା ନେଇ ପ୍ରଶ୍ନ କଲେ ଦାମ । ପରୋକ୍ଷରେ ନବୀନଙ୍କ କ୍ଷମତାକୁ ଚ୍ୟାଲେଞ୍ଜ କଲେ । ସରକାରୀ ବିଭାଗରେ ଦୁର୍ନୀତିର କଥା ଉଠାଇ ବିରୋଧୀ ଭୂମିକା ନିଭାଉଥିବା ଦାମ ବାବୁ ଦଳରୁ ବିଦା ହେବା ପରେ ସ୍ୱାଭାବିକ ଭାବେ ବିରୋଧୀ ଶିବିରରୁ ଲମ୍ବିଆସିଛି ସମବେଦନାର ହାତ ।

ଦୀର୍ଘ ୪୦ ବର୍ଷ କାଳ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ଥିବା ଦାମ ବିଜେଡିରୁ ବିଦାହେବା ପରେ ନିର୍ବାଚନ ଲଢିବା ପାଇଁ ତାଙ୍କୁ କୌଣସି ଦଳର ଆବଶ୍ୟକ ନଥିବା ଦମ୍ଭ ଦେଖାଉଛନ୍ତି । ହେଲେ ତାଙ୍କୁ ବିତାଡିତ କରିଥିବା ବିଜେଡିରେ ନିଜ ରାଜନୈତିକ ଭବିଷ୍ୟତ ଅପେକ୍ଷାରେ ଅଛନ୍ତି ପୁଅ ଓ ଝିଅ । ଦାମଙ୍କ ଦମ୍ଭ ଏମାନଙ୍କ ଭବିଷ୍ୟତ ନେଇ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଦଳ ଭିତରେ ଥାଇ ଯେଉଁକଥାକୁ ଖୋଲାଖୋଲି ପ୍ରକାଶ କରିପାରୁ ନଥିଲେ ଦାମ ଏବେ ତାକୁ ଉଜାଗର କରିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହା ବିଜେଡି ପାଇଁ ଆଗକୁ ଅଡୁଆ ବଢାଇବା ଅନୁମାନ କରାଯାଉଛି ।