ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ନୂଆପଡାରେ କିଛି ଏମିତି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

187

କନକ ବ୍ୟୁରୋ : ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନୂଆପଡାରେ ମୋଟ ୭୬୬ କୋଟି ଟଙ୍କାର ୧୮୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଯେଉଁଥିରେ ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ବିକାଶମୂଳକ ପ୍ରକଳ୍ପ ରହିଛି । ଆଉ ଏହାସହ ସିଲେଟପାଣିରେ ହୋଇଥିବା ସାଧାରଣ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ନବୀନ ।

ଏହି ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଛନ୍ତି, ଆଜି ଆମର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମଦିବସ । ବିଜୁ ବାବୁ ଥିଲେ ଓଡ଼ିଶାବାସୀଙ୍କ ଭରସା । ଏ ମାଟିର ମଣିଷଙ୍କ ସ୍ୱପ୍ନ ସହ ସେ ସବୁବେଳେ ଯୋଡି ହୋଇ ରହୁଥିଲେ । ଜଣେ ଓଡ଼ିଆ ଭାବେ ସେ ଗର୍ବ କରୁଥିଲେ । ତେଣୁ ତାଙ୍କ ଜନ୍ମଦିବସରେ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରି ମୁଁ ବହୁତ ଖୁସି । ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ । ବିଜୁ ଏକ୍ସପ୍ରେସ ୱେରେ ଘାଟିପଡା ଠାରୁ ଆମପାନି ପର୍ଯ୍ୟନ୍ତ ରାସ୍ତା ରେକର୍ଡ ବର୍ଷକ ମଧ୍ୟରେ ଶେଷ ହୋଇଛି ।

ବିଜୁ ଏକ୍ସପ୍ରେସ ୱେ ଏକ ରାସ୍ତା ନୁହେଁ, ଏହା ଏହି ଅଞ୍ଚଳର ଜୀବନରେଖା । ଏହି ରାସ୍ତା ବିକାଶର ନୂଆ ଇତିହାସ ଲେଖିବ । ଏହି ରାସ୍ତା ପାଇଁ ଚାଷୀ ଭାଇ, ସାଧାରଣ ଲୋକ ସୁବିଧା ପାଇବେ । ସ୍ୱାସ୍ଥ୍ୟସେବାରେ ଉନ୍ନତି ପରିଲିକ୍ଷିତ ହେବ । ଅର୍ଥନୈତିକ ସ୍ତରରେ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହେବ । ନୂଆ ଶିଳ୍ପ ଗଢି ଉଠିବ । ଏକ୍ସପ୍ରେସ ୱେର ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି । ଏହା ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସୁବିଧା ପାଇବେ । ଇକୋନୋମିକ କରିଡରରେ ପୁଞ୍ଜି ବିନିଯୋଗ ପାଇଁ ଅଧିକ ଇନସେନଟିଭ ଦିଆଯାଇଛି ।

ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ସଶକ୍ତ ଓଡ଼ିଶା । ସେ ଦିଗରେ ଆମେ ସଫଳତାର ସହ ଆଗକୁ ବଢୁଛୁ । ଏହାସହ ନୂଆପଡା ଜିଲ୍ଲାର ମା’ ମାନଙ୍କୁ ୨୫ କୋଟି ଟଙ୍କାର ଋଣ ସହାୟତା ରାଶି ପ୍ରଦାନ କରାଯାଇଛି । ନୂଆପଡା ଜିଲ୍ଲାର ବିକାଶକୁ ଆହୁରି ଆଗେଇ ନେବାକୁ ୭୫୦ କୋଟି ଟଙ୍କାର ଅଧିକ ପ୍ରକଳ୍ପକୁ ଆରମ୍ଭ କରି ଖୁସି ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।