ଗତ ୧୦ ଦିନରେ ବିଶ୍ୱରେ କେମିତି କାୟା ମେଲାଇଛି କରୋନା? ଭିଡ଼ିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ନବୀନ ଦେଲେ ସୂଚନା ।

602

କନକ ବ୍ୟୁରୋ : କରୋନା ମୁକାବିଲା କରୁଛି ଓଡ଼ିଶା । ରାଜ୍ୟ ସରକାରଙ୍କ ସମୟ ଉପଯୋଗୀ ନିଷ୍ପତି ଓ ରାଜ୍ୟବାସୀଙ୍କ ତ୍ୟାଗ ବଳରେ କରୋନା ବିରୋଧରେ ଲଢେଇ ଜାରି ରଖିଛି ଓଡ଼ିଶା । ଆଉ ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କ ନିକଟରେ ବଡ ବାର୍ତ୍ତା ରଖିଛନ୍ତି ଓ ଏହାସହ ଏହି ଲମ୍ବା ଲଢେଇ ପାଇଁ ଅଧିକ ସାବଧାନ ହେବାକୁ ପଡିବ ବୋଲି କହିଛନ୍ତି ।

ଗତ ୧୦ ଦିନ ମଧ୍ୟରେ ପୂରା ବିଶ୍ୱରେ କରୋନା କିଭଳି କାୟା ବିସ୍ତାର କରିଛି ସେ ବାବଦରେ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ନବୀନ । ନିଜ ବାର୍ତ୍ତାରେ ନବୀନ କହିଛନ୍ତି, ଗତ ୧୦ ଦିନରେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷରୁ ବଢି ୨୩ ଲକ୍ଷରେ ପହଞ୍ଚିଲାଣି । ଏହି ସମୟ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଗୁଣ ବଢି ୧୫ ହଜାରରେ ପହଞ୍ଚିଲାଣି । ମୃତ୍ୟୁସଂଖ୍ୟା ୨ ଗୁଣରୁ ଅଧିକ ହୋଇ ୨୦୦ରୁ ୫୦୦ରେ ପହଞ୍ଚିଲାଣି ।

ସେହିଭଳି ଗତ ୯ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଥିଲା । ଏବେ ଏହା ୬୧ରେ ପହଞ୍ଚିଛି । ଏବେ ରାଜ୍ୟରେ ନମୁନା ପରୀକ୍ଷଣ ୩ ଗୁଣା ବଢାଯାଇଛି । ଏହି ସମୟରେ ଆକ୍ଟିଭ କେସ୍ ମଧ୍ୟ କମିଛି । ପ୍ରତିଟି ଲୋକଙ୍କର ତ୍ୟାଗ ପାଇଁ ଏହା ସମ୍ଭବ ହୋଇପାରିଛି । ଏହି ଲଢେଇ ଲମ୍ବା ଲଢେଇ । ତେଣୁ ଏଥିପାଇଁ ଅଧିକ ସାବଧାନ ହେବାକୁ ପଡିବ ।