କାହିଁକି ହାରିଲେ ବିଜେଡି ପ୍ରାର୍ଥୀ ? ନବୀନ ନିବାସରେ ପରାଜୟର ପୋଷ୍ଟମର୍ଟମ୍, ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ।

195

କନକ ବ୍ୟୁରୋ : ବିଧାନସଭାରେ ବିପୁଳ ବିଜୟ, ହେଲେ ହାତରୁ ଖସିଗଲା ୮ ଲୋକସଭା ଆସନ । କାହିଁକି ଏସବୁ କ୍ଷେତ୍ରରେ ହେଲା ପରାଜୟ, ଆରମ୍ଭ ହୋଇଛି ପୋଷ୍ଟମର୍ଟମ୍ । ବିଶେଷ କରି ପ୍ରାର୍ଥୀଙ୍କ ପରାଜୟ ପଛର କାରଣ ଜାଣିବାକୁ ନବୀନ କରୁଛନ୍ତି ସମୀକ୍ଷା । ନବୀନ ନିବାସକୁ ଛୁଟିଛନ୍ତି ପରାଜିତ ପ୍ରାର୍ଥୀ । ଆଜି ବରଗଡ, ବଲାଙ୍ଗୀର, ସୁନ୍ଦରଗଡ ଓ କଳାହାଣ୍ଡି ଲୋକସଭା ଆସନରେ ଦଳର ବିପର୍ଯ୍ୟୟ ପାଇଁ ନେତାଙ୍କଠୁ ରିପୋର୍ଟ ନେଇଛନ୍ତି ନବୀନ । ପରାଜୟର କାରଣ ଖୋଜି ସେହି ଅନୁସାରେ ଆଗାମୀ ପଦକ୍ଷେପ ନେବେ ସୁପ୍ରିମୋ ।

କାହିଁକି ହାରିଲେ ବିଜେଡି ପ୍ରାର୍ଥୀ ? ପରାଜୟର ପୋଷ୍ଟମର୍ଟମ୍ ଆରମ୍ଭ । ବିପୁଳ ବିଜୟ ସତ୍ୱେ କେତେକ ସ୍ଥାନରେ ବିଜେଡିର ଚର୍ଚ୍ଚିତ ଚେହେରାଙ୍କ ପରାଜୟକୁ ନେଇ ଆରମ୍ଭ ହୋଇଛି ପୋଷ୍ଟମର୍ଟମ । ସଂସଦୀୟ କ୍ଷେତ୍ର ଗୁଡିକର ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ । ଡକରା ପାଇ ଦଳର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ନବୀନ ନିବାସରେ ପହଂଚୁଛନ୍ତି ନେତା ।

ଆଜି ବରଗଡ, ବଲାଙ୍ଗୀର, ସୁନ୍ଦରଗଡ ଓ କଳାହାଣ୍ଡି ଲୋକସଭା ଆସନରେ ଦଳର ବିପର୍ଯ୍ୟୟ ପାଇଁ ନେତାଙ୍କଠୁ ରିପୋର୍ଟ ନେଇଛନ୍ତି ନବୀନ । ଏହିସବୁ ଲୋକସଭା କ୍ଷେତ୍ର ଅନ୍ତର୍ଗତ କେତେକ ବିଧାନସଭା ଆସନରେ ମଧ୍ୟ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡିଛି । କଂଟାବାଞ୍ଜିରେ ପରାଜୟ ପାଇଁ କଳିକେଶ ସିଂଦେଓଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ପୂର୍ବତନ ବିଧାୟକ ଆୟୁବ ଖାଁ । ନବୀନ ନିବାସରେ ପହଂଚିଥିବା ଅନଙ୍ଗ ଉଦୟ ସିଂଦେଓଙ୍କୁ ଏନେଇ ପ୍ରଶ୍ନ କରିବାକୁ ସେ ଗଣମାଧ୍ୟମକୁ ଏଡାଇ ଯାଇଛନ୍ତି ।

ବରଗଡର ସମସ୍ତ ୭ଟି ବିଧାନସଭା ଆସନ ଉପରେ ବିଜେଡି କବଜା କରିଥିବାବେଳେ ଲୋକସଭାରେ ପରାଜୟର ମୁହଁ ଦେଖିଛନ୍ତି ଦଳର ହେଭିୱେଟ୍ ନେତା ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟସଭାରୁ ଆଣି ତାଙ୍କୁ ବିଜେପିର ଶକ୍ତିଶାଳୀ ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଥିଲା ଦଳ । ପରାଜୟ ପରେ ଏବେ କାରଣ ଖୋଜାଯିବ ବୋଲି କହିଛନ୍ତି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ।

ସୁନ୍ଦରଗଡରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଚେକ୍ ଦେବାଲାଗି ବିଜେଡି ଖେଳିଥିଲା ମହିଳା କାର୍ଡ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ତାଙ୍କୁ ଜୁଏଲଙ୍କ ବିରୋଧରେ ସୁଯୋଗ ଦେଇଥିଲେ ନବୀନ । ହେଲେ ସୁନୀତାଙ୍କ ସଂସଦ ଯିବା ସ୍ୱପ୍ନ ପୂରଣ ହୋଇପାରିଲାନି । ସେହିପରି କଂଗ୍ରେସ ଛାଡି ବିଜେଡି ଟିକେଟରେ ସୁନ୍ଦରଗଡ ବିଧାନସଭା ଆସନରୁ ଲଢିଥିବା ଆଉ ଜଣେ ନେତା ଯୋଗେଶ ସିଂଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି । ଆଉ ଦୁଇ ନେତା ଏବେ ବିଫଳତା ନେଇ ଆତ୍ମସମୀକ୍ଷା କରିବେ ବୋଲି କହିଛନ୍ତି ।

ନୂଆପଡାରୁ ଯାଇ କଳାହାଣ୍ଡି ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରିଥିବା ବିଜେପି ରାଜ୍ୟ ସଭାପତି ବିଜେଡି ହାତରୁ ଛଡାଇ ଆଣିଛନ୍ତି ଆସନ । ଖରିଆର ଓ ଭବାନୀପାଟନାରେ ମଧ୍ୟ ବିଜେଡିର ହାତ ଖାଲି ରହିଛି । ଆଉ ପରାଜୟର ସମୀକ୍ଷା ନେଇ ମାପିଚୁପି ମନ୍ତବ୍ୟ ରଖିଛନ୍ତି ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର ।

କୁହାଯାଉଛି ଗୋଟିଏ ନିର୍ବାଚନ ସରିବା ପରେ ପରବର୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବିଜେଡି ସୁପ୍ରିମୋ । ଯେଉଁଥିପାଇଁ ବାରମ୍ବାର ନବୀନଙ୍କ ରଣନୀତି ଆଗରେ ଫେଲମାରୁଛି ବିରୋଧୀଙ୍କ ସବୁ କୌଶଳ । ସେହି କ୍ରମରେ ଦଳ କାହିଁକି ୮ଟି ଲୋକସଭା ଆସନ ହରାଇଲା ତାର ପୋଷ୍ଟମର୍ଟମ ଆରମ୍ଭ କରିଦେଇଛନ୍ତି ନବୀନ ।