ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଡାକ୍ତରମାନଙ୍କୁ ନିଃସ୍ୱାର୍ଥପର ଜନସେବା କରି ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ଆହ୍ଵାନ ଦେଇଛନ୍ତି। ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଗାନ୍ଧୀ ଜୟନ୍ତୀ ଦିନ ଆରମ୍ଭ ହେଉଥିବା ‘ମୋ ସରକାର’ କାର୍ୟ୍ୟକ୍ରମ ସମ୍ପର୍କରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ଏହି ଆହ୍ଵାନ ଦେଇଛନ୍ତି।

Advertisment

୨୦୦୧ ମସିହାରେ ରାୟଗଡ଼ା ଜିଲ୍ଲାର କାଶୀପୁରଠାରେ ଆମ୍ବଟାକୁଆ ଭକ୍ଷଣରୁ ବହୁ ଲୋକ ଅପପୁଷ୍ଟିର ଶିକାର ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ଏହା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣା ପ୍ରସଙ୍ଗ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେତେବେଳେ ଏହି ଦୁଃଖଦ ଘଟଣାବଳୀ ମଧ୍ୟରେ ସେ ଜଣେ ଡାକ୍ତରଙ୍କଠାରେ ଆଲୋକର ରେଖା ଦେଖିଥିଲେ। ସେ ଡାକ୍ତର ଜଣକ ତାଙ୍କର ନିଷ୍ଠାପର ସେବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ଥିଲେ। ତାଙ୍କ ପ୍ରତି ଲୋକମାନଙ୍କର ଶ୍ରଦ୍ଧା ଓ ସମ୍ମାନ ଥିଲା। ସେତେବେଳେ କାଶୀପୁରକୁ ପଠାଯାଇଥିବା ୪ ଜଣ ଆଇଏଏସ୍ ଶିକ୍ଷାନବୀଶଙ୍କୁ ସେହି ଡାକ୍ତରଙ୍କ ପଥ ଅନୁସରଣ କରିବାକୁ ଏବଂ ସେ କରୁଥିବା ଭଲ କାମ ଶିଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗତ କେତେ ବର୍ଷ ଧରି ମୁଁ ଏଭଳି ବହୁ ଡାକ୍ତରଙ୍କୁ ଦେଖିଛି ଯେଉଁମାନେ ସେମାନଙ୍କର ଜନସେବା ପାଇଁ ଦୃଷ୍ଟାନ୍ତକାରୀ ବ୍ୟକ୍ତିତ୍ୱ ପାଲଟିଛନ୍ତି। ରାଜ୍ୟ ସାରା ଏଭଳି ଆହୁରି ଅନେକ ଦୃଷ୍ଟାନ୍ତକାରୀ ଡାକ୍ତର ସୃଷ୍ଟି ହୁଅନ୍ତୁ, ‘‘ଏହା ମୁଁ ଚାହେଁ’’ ବୋଲି ନବୀନ କହିଥିଲେ।