ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ଦାବି ଦୋହରାଇଲେ ନବୀନ । କହିଲେ, ମହିଳା ଆଗେଇଲେ ଦେଶ ଆଗେଇବ । ଜାତୀୟ ଦଳଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ । ସେପଟେ ଜବାବ ରଖିଲେ ଧର୍ମେନ୍ଦ୍ର ।

128

କନକ ବ୍ୟୁରୋ : ଅବସର ଥିଲା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ । ଦଳର ଜନ୍ମ ଦିନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ବିଧାନସଭା, ଲୋକସଭା, ରାଜ୍ୟସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ନବୀନ । ନବୀନ କହିଛନ୍ତି, ୧୯୯୨ ମସିହାରେ ବିଜୁବାବୁ ମହିଳାଙ୍କ ପାଇଁ ପଂଚାୟତ ଓ ପୌର ନିର୍ବାଚନରେ ଏକ-ତୃତୀୟାଂଶ ଆସନ ସଂରକ୍ଷଣ ରଖି ଦେଶରେ ଆଲୋଡନ ସୃଷ୍ଟି କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ଟିକେଟ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ବିଜେଡି । ମହିଳା ସଂରକ୍ଷଣ ନେଇ ଜାତୀୟ ଦଳଗୁଡିକ ନିର୍ବାଚନ ଇସ୍ତାହାରରେ ରଖିଥିଲେ, ହେଲେ ପରେ ଏହାକୁ ଭୁଲି ଯାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ନବୀନ ।

ରାଜ୍ୟରେ ୮୦ ଲକ୍ଷ ମହିଳା ରହିଛନ୍ତି, ଗାଁକୁ ଗାଁ ଯାଇ ମହିଳା ସଂରକ୍ଷଣର ଗୁରୁତ୍ୱ ଉପରେ ବୁଝାଇବା ସହ ଏହାକୁ ଜନଆନ୍ଦୋଳନରେ ପରିଣତ କରାଯିବ ବୋଲି କହିଛନ୍ତି ନବୀନ । ମହିଳାମାନଙ୍କୁ ସେମାନଙ୍କ ହକ୍ ଦେବାକୁ ପଡ଼ିବ ବୋଲି ନବୀନ କହିଥିବା ବେଳେ ଏହାକୁ ଧୁଆଁବାଣ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ।

୨୩ ବର୍ଷ ଧରି ନବୀନଙ୍କ ସୁନାମ କାହିଁକି ଅତୁଟ ରହିଛି, ପ୍ରତିଷ୍ଠା ଦିବସ ଅବସରରେ ତା’ର ସିକ୍ରେଟ କହିଛନ୍ତି ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀଙ୍କ ସରଳ ଜୀବନଯାପନ ସଂପର୍କରେ ଉଦାହରଣ ଦେବାକୁ ଯାଇ ପ୍ରଣବ କହିଛନ୍ତି, ନବୀନ ନିବାସ ପଛପଟେ ୱାନ୍ ବି-ଏଚ୍-କେ ଘରେ ରୁହନ୍ତି ନବୀନ, ସେହିଠାରୁ ଚାଲେ ଦଳ ଓ ସେଇଠୁ ଚାଲେ ରାଜ୍ୟର ଶାସନ ।  ସରଳ ଜୀବନଯାପନ ଓ ଅନୁଶାସନ ଭିତରେ ରହି ଲୋକଙ୍କ ସେବା କରିବା ସହ ଦଳ ପାଇଁ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବାକୁ ନେତା ଓ କର୍ମୀଙ୍କୁ ପ୍ରତିଷ୍ଠା ଦିବସରେ ଆହ୍ୱାନ ଦିଆଯାଇଛି ।