କନକ ବ୍ୟୁରୋ: ନବୀନ ଜଣେ ବିଚକ୍ଷଣ ରାଜନେତା । ଦେଶର ଅନେକ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ସବୁବେଳେ ସମସ୍ତଙ୍କ ମନଜିଣିପାରୁଥିବା ମୁଖ୍ୟମନ୍ତ୍ରୀ । ୧୯୯୭ରୁ ୨୦୨୧ ଗତ ୨୪ ବର୍ଷର ତାଙ୍କ ରାଜନୈତିକ ଚିତ୍ରପଟ୍ଟରେ ସେ ଲେଖିଚାଲିଛନ୍ତି ଅନେକ ଐତିହାସିକ ପୃଷ୍ଠା । ତାଙ୍କର ଗୋଟିଏ ଫୋନ୍ କଲ୍ ବି ଜାତୀୟ ରାଜନୀତିରେ ଉଠୁଥିବା ଝଡ଼ ତୋଫାନକୁ ଅଟକାଇବାରେ ଯଥେଷ୍ଟ । ଯେଉଁଥି ପାଇଁ କେହି କେହି ତାଙ୍କୁ କେନ୍ଦ୍ର ରାଜନୀତିରେ ଗେମ୍ ଚେଞ୍ଜର ବୋଲି କୁହନ୍ତି ।
ନିର୍ବାଚନଠୁ ଆରମ୍ଭ କରି ସଙ୍ଗଠନ, ଦଳୀୟ ବ୍ୟାପାରଠୁ ସରକାରୀ ବ୍ୟବସ୍ଥା । ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆଞ୍ଚଳିକ ରାଜନୀତି ଆକାଶରୁ କେନ୍ଦ୍ରୀୟ ରାଜନୀତିରେ ନବୀନଙ୍କ ପତିଆରା ଏକାଧିକବାର ଦେଖିବାକୁ ମିଳିଛି । ଯେମିତି କି, ପିଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ଦବଦବା ଜାହିର କରିଥିଲା ବିଜେଡି । ଆଉ ନବୀନଙ୍କ ନିଷ୍ପତ୍ତିକୁ ସେତେବେଳେ ଦେଶର ବଡ଼ ବଡ଼ ରାଜନୈତିକ ଦଳ ସମର୍ଥନ କରିବାକୁ ଆଗେଇ ଆସିଥିଲେ ଆଉ ନବୀନଙ୍କ ହଁ ରେ ହଁ ଭରିଥିଲେ । କେନ୍ଦ୍ରୀୟ ରାଜନୀତିରେ ମଝିରେ ମଝିରେ ଏମିତି କିଛି ମାଷ୍ଟ୍ରର ଷ୍ଟ୍ରୋକ୍ ମାରି ସମସ୍ତଙ୍କୁ ଚମକାଇ ଦିଅନ୍ତି ନବୀନ ।
ଠିକ୍ ସେହିଭଳି ୨୦୧୯ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣର ମହିଳା କାର୍ଡ ଖେଳି ଜାତୀୟ ରାଜନୀତିରେ ନବୀନ ଆରମ୍ଭ କରିଥିଲେ ଏକ ନୂଆ ବିପ୍ଳବ । କଥା ଦେଇ କଥା ରଖି ସାଧାରଣ ନିର୍ବାଚନରେ ସଂସଦ ପାଇଁ ୭ ମହିଳାଙ୍କୁ ପ୍ରାର୍ଥୀ କରି ମହିଳା ଭୋଟରଙ୍କ ମନଜିଣି ଅନ୍ୟ ଆଞ୍ଚଳିକ ଦଳ ପାଇଁ ବନିଗଲେ ଉଦାହରଣ । ଖାଲି ଏତିକି ନୁହେଁ ନବୀନଙ୍କ ବ୍ୟକ୍ତିତ୍ୱ ଯେମିତି ତାଙ୍କ ସ୍ୱଳ୍ପଭାଷୀ ଫଣ୍ଡା ଆଉ କାମ କରିବାର ତରିକା ଅନ୍ୟ ରାଜନୈତିକ ଦଳକୁ ଅନୁପ୍ରାଣିତ କରିଛି । ଯେଉଁଥିପାଇଁ ଅନେକ ସମୟରେ ନବୀନଙ୍କୁ ପ୍ରଶଂସା କରିଛନ୍ତି ଅନେକ ଦଳର ଶୀର୍ଷ ରାଜନେତା ।
ସବୁଠାରୁ ବଡ଼କଥା ହେଲା, ନବୀନ ସବୁବେଳେ ସବୁ ଦଳ ସହ ସୁ-ସମ୍ପର୍କ ରଖିବା ସହ ସମଦୂରତ୍ୱକୁ ଗୁରୁତ୍ୱ ଦିଅନ୍ତି । ୟୁପିଏ ସରକାର ହେଉ ଅବା ଏନଡିଏ ସରକାର, ସସ୍ତଙ୍କ ଗୁଡଲିଷ୍ଟରେ ନବୀନ ର୍ନିବିବାଦୀୟ, । ଯେତେବେଳେ କେଉଁ ବଡ଼ ବିଲ୍ କିମ୍ବା କେଉଁ ଆଇନକୁ ନେଇ ସଂସଦରେ ସହାୟତ ଲୋଡ଼ାଯାଏ, ବିପକ୍ଷ ପ୍ରତିଦ୍ୱନ୍ଦିଙ୍କ ମୁହଁରେ ପ୍ରଥମ ନାଁ ନବୀନଙ୍କର ହିଁ ଆସେ । କେନ୍ଦ୍ରରେ ଯିଏ କେହି ବି କ୍ଷମତାକୁ ଆସନ୍ତି ସଭିଏଁ ନବୀନଙ୍କ ସମର୍ଥନ ଲୋଡିବାକୁ ଘନ ଘନ ଫୋନ୍ କରନ୍ତି । ଆଉ ନବୀନ ହାତେ ମାପି ଚାଖଣ୍ଡେ ଭଳି ଚାଣକ୍ୟ ପାଲଟି ନିଷ୍ପତ୍ତି ଜଣାନ୍ତି । ଯାହାର ଅନେକ ଉଦାହରଣ ପୂର୍ବରୁ ସାରା ଦେଶ ଦେଖିଛି ।
ନିର୍ବାଚନରେ ସଫଳ ଗୋଟିଚାଳନା ହେଉ କି ବିରୋଧୀଙ୍କୁ ମାତ୍ ଦେବାର କୌଶଳ । ଅବା ଲୋକଙ୍କ ବିଶ୍ୱାସ ଓ ଭରସା ଜିତିବା ନବୀନଙ୍କୁ ବେଶ୍ ଭଲଭାବେ ଜଣା । ଖୁବ୍ କମ୍ କଥା କହୁଥିବା ନବୀନଙ୍କ କାମ କିନ୍ତୁ ରାଜ୍ୟରୁ ଦେଶ ବିଦେଶ ଯାଏଁ କଥା କୁହେ । ଯାହା କି ତାଙ୍କ ଶାସନ ଗାଦିର ସୁରକ୍ଷା କବଚ ସାଜିବା ସହ ଜାତୀୟ ରାଜନୀତିରେ ଆଞ୍ଚଳିକ ଦଳ ଭାବେ ଗୋଟିଏ ପରେ ଗୋଟିଏ ସଫଳତାର ପୃଷ୍ଠା ଓଲଟାଇ ଚାଲିଛନ୍ତି ।
Follow Us