ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । ୬ଟି ପ୍ରସଙ୍ଗରେ ଖୁସି ହେଲେ, ୬ଟି ପ୍ରସଙ୍ଗରେ ଚିନ୍ତା ପ୍ରକଟ କଲେ ।

876

କନକ ବ୍ୟୁରୋ : ବଜେଟ ଘୋଷଣା ପରେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି ବୟାନବାଜି । ଆଉ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟକୁ ନେଇ ବଡ ବୟାନ ଦେଇଛନ୍ତି । ବଜେଟକୁ ନେଇ ନବୀନ ଟିକିଏ ଖୁସି ପ୍ରକଟ କରିଥିବା ବେଳେ ଚିନ୍ତାବ୍ୟକ୍ତ ମଧ୍ୟ କରିଛନ୍ତି । ୬ଟି ପ୍ରସଙ୍ଗକୁ ନବୀନ ସ୍ୱାଗତ କରିବା ସହ ୬ଟି ପ୍ରସଙ୍ଗକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଏପରିକି ବଜେଟର ରୂପରେଖ କିଭଳି ହୋଇଥାନ୍ତା ତାହା ମଧ୍ୟ ଦର୍ଶାଇଛନ୍ତି ନବୀନ ।

କୃଷି ରେଳ, କୃଷି ଉଡାଣ, ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ, ବ୍ୟାଙ୍କ ଜମା ଗ୍ୟାରେଣ୍ଟି, ଶିକ୍ଷାରେ ଏଫଡିଆଇ ଓ ନୂଆ ଶିକ୍ଷାନୀତିକୁ ପ୍ରଂଶସା କରିଛନ୍ତି ନବୀନ । ଏହାବାଦ୍ ୬ଟି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଅନୁଦାନ ବଢିନାହିଁ ବୋଲି କହିଛନ୍ତି ନବୀନ । ଏହାବାଦ ନୂଆ ବଜେଟରେ କେନ୍ଦ୍ରୀୟ ଟିକସରେ ୩ ହଜାର କୋଟି ଟଙ୍କା କ୍ଷତି ସହିବ ଓଡ଼ିଶା । ଚଳିତ ବଜେଟରେ ଓଡ଼ିଶାର ଐତିହ୍ୟସ୍ଥଳୀର ଉନ୍ନତି ପାଇଁ ପ୍ରସ୍ତାବ ନାହିଁ, ଜାତୀୟ ଆଦିବାସୀ ମ୍ୟୁଜିୟମର ହକଦାର ଓଡ଼ିଶା ଥିବା ବେଳେ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି ।

ସେହିଭଳି ପାନୀୟ ଜଳ ପାଇଁ ଆବଣ୍ଟିତ ଅର୍ଥ ଖୁବ କମ ରହିଛି । ଓଡ଼ିଶାର ବଜେଟ ୩୬୦୦ କୋଟି ଥିବା ବେଳେ କେନ୍ଦ୍ରର ୧୧୫୦୦ କୋଟି ଟଙ୍କା ରହିଛି । ତେଣୁ ଏହା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ବଜେଟ ପରେ ସେନସେକ୍ସ ଖସିବା ଚିନ୍ତାଜନକ ବିଷୟ । ବଜେଟରେ ଆଉ କିଛି ପଦକ୍ଷେପ ନେବାର ସୁଯୋଗ ରହିଥିଲା । ଏବେ ନିବେଶକଙ୍କ ବିଶ୍ୱାସ ଜିତିବା ସବୁଠାରୁ ବଡ ଚ୍ୟାଲେଞ୍ଜ, କାରଣ ନୂଆ ନିବେଶ ଆସିଲେ ହିଁ ଚାକିରି ସୃ୍ଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଉ ଏସବୁ ଭିତରେ ରାଜ୍ୟ ବଜେଟରେ ସାଧାରଣ ଲୋକଙ୍କ ପାଇଁ ନବୀନ ସରକାର କଣ ଘୋଷଣା କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।