ନବୀନ ପଟ୍ଟନାୟକଙ୍କ ଅହିଂସା ଥିଓରୀ ! ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ଦେଲେ ହିଂସାର ସଂଜ୍ଞା, କହିଲେ, ଧର୍ମ ଓ ଜାତି ଆଧାରରେ ବିଭେଦ ସୃଷ୍ଟି କାରୀଙ୍କ ପରାଜୟ ହେବା ଦରକାର

74

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ଅନୁଷ୍ଠିତ ଜାତୀୟ ସମିତି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ, ମହାତ୍ମା ଗାନ୍ଧୀଙ୍କ ସବୁଠାରୁ ବଡ ନୀତି ‘ଅହିଂସା’ ଉପରେ ଜୋରଦେଇ ସମ୍ବିଧାନର ମୁଖବନ୍ଧରେ ଏହାକୁ ସ୍ଥାନିତ କରିବାକୁ ଯୁକ୍ତି ବାଢ଼ିଛନ୍ତି । ନବୀନ କହିଛନ୍ତି-ଦାରିଦ୍ର୍ୟ ଏବଂ ସାମାଜିକ ଅନ୍ୟାୟ ହେଉଛି ସବୁଠୁ ବଡ ହିଂସା । ଯେ, ପର୍ଯ୍ୟନ୍ତ ଦେଶରେ ଦାରିଦ୍ର୍ୟ ରହିଛି ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ । ତେଣୁ ଦାରିଦ୍ର୍ୟ ଦୂରୀକରଣ ହେଉଛି ସରକାରଙ୍କ ପାଇଁ ଏକ ଗୁରୁଦାୟିତ୍ୱ । ଏବଂ ଏହା ଅହିଂସା ବିନା ହାସଲ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ।

ବିକାଶ ପାଇଁ ଶାନ୍ତି ଆବଶ୍ୟକ । ବିକାଶ ପାଇଁ ସେମାନଙ୍କୁ ପରାସ୍ତ କରିବାକୁ ହେବ ଯେଉଁମାନେ ସମାଜକୁ ଜାତି, ଶ୍ରେଣୀ ଏବଂ ଧର୍ମ ନାଁରେ ବିଭାଜିତ କରୁଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ କହିଛନ୍ତି- ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦକୁ ସ୍ଥାନିତ କରାଯାଉ । ଏହା ମହାତ୍ମାଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।ଏହାଦ୍ୱାରା କେବଳ ଭାରତର ନୁହେଁ, ସାରା ପୃଥିବୀର ଭବିଷ୍ୟତର ବଂଶଧର ମାନେ ଏହି ନୀତିର ବାସ୍ତବ ସତ୍ୟକୁ ମନେ ରଖିପାରିବେ ଓ ହୃଦୟଙ୍ଗମ କରିପାରିବେ।