ସାବାସ ଓଡ଼ିଶା ପୋଲିସ ! ପାସର୍ଲ ବୋମାର ସୈତାନକୁ ଧରିଥିବାରୁ ପୁଲିସର ପିଠି ଥାପୁଡାଇଲେ ନବୀନ । କହିଲେ, ଓଡ଼ିଶା ପୁଲିସ ପାଇଁ ଗୌରବର ମୁହୂର୍ତ୍ତ

24

କନକ ବ୍ୟୁରୋ : ପାଟଣାଗଡ ପାର୍ସଲବୋମା ଘଟଣାର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରଙ୍କୁ ଜେରା ଚଳାଇଛି କ୍ରାଇମବ୍ରାଂଚ । କୋର୍ଟରେ ହାଜର କରିବା ପୂର୍ବରୁ ତଥ୍ୟ ପ୍ରମାଣକୁ ଏକାଠି କରୁଛି ତଦନ୍ତକାରୀ ସଂସ୍ଥା । ସେପଟେ ଏହି ରହସ୍ୟମୟ ଘଟଣାର ଯେଭଳି ପଦାଫାସ କଲା କ୍ରାଇମବ୍ରାଞ୍ଚ ପୋଲିସ ତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

parcel bombଅଧ୍ୟାପକର ଅପରାଧ ପେଡି ଖୋଲିବାକୁ ଜେରା ଆରମ୍ଭ କରିଛି କ୍ରାଇମବ୍ରାଂଚ୍ । ମୃତ୍ୟୁର ସୌଦାଗର ପୁଞ୍ଜିଲାଲ୍ ମେହେରକୁ ଗିରଫ କରି ରିମାଣ୍ଡରେ ଆଣିବା ପରେ ଲୁଚି ରହିଥିବା ସତକୁ ପଦାକୁ ଆଣିବା ପାଇଁ ଚାଲିଛି ମାରାଥନ ଜେରା । ଆଉ କ୍ରାଇମବ୍ରାଂଚ୍ର ଫୋକସରେ ରହିଛି ।

– ପୁଞ୍ଜିଲାଲକୁ କୋର୍ଟରେ ହାଜର କରିବା ପୂର୍ବରୁ ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ କରିବା
– ପୂର୍ବରୁ ରଖିଥିବା ବୟାନ ଏବଂ ବର୍ତମାନର ବୟାନକୁ ଅନୁଧ୍ୟାନ କରିବା
– ପୁଞ୍ଜିଲାଲର ଲାପଟପ ଏବଂ ମୋବାଇଲ ତଥ୍ୟର ପୁନରୁଦ୍ଧାର କରିବା
– ଆବଶ୍ୟକ ପଡ଼ିଲେ ପୁଞ୍ଜିଲାଲ ଯାଇଥିବା ସ୍ଥାନକୁ ଯାଇ ପୁଣି ଥରେ ଜେରା କରିବା

PARCEL BOMB୬ ଦିନିଆ ରିମାଣ୍ଡ ଭିତରେ ପୁରା ଘଟଣାର ତଥ୍ୟ-ପ୍ରମାଣ ଯୋଗାଡ କରିବା ଉପରେ ଗୁରୁତ୍ୱ ଦେଇଛି କ୍ରାଇମବ୍ରାଂଚ । ରିମାଣ୍ଡ ସରିବା ପୂର୍ବରୁ ଯେମିତି ତଦନ୍ତକାରୀ ସଂସ୍ଥା ହାତରେ ସବୁ କିଛି ଉପଲବ୍ଧ ରହିବ । ଆଉ ପୁଞ୍ଜିଲାଲ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସହଜ ହେବ ।

ଆଉ ଅନ୍ୟପଟେ ପାଟଣାଗଡ଼ର ପାର୍ସଲ ବୋମା ଘଟଣାର ତଦନ୍ତ, କ୍ରାଇମବ୍ରାଂଚର ଛବିକୁ ପୁରା ବଦଳାଇ ଦେଇଛି । କ୍ରାଇମବ୍ରାଞ୍ଚର କାର୍ଯ୍ୟଶୈଳୀକୁ ପ୍ରଶଂସା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି-
-ପାର୍ସଲ ବୋମା ମାମଲାରେ କୁଶଳତାର ସହ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିଥିବାରୁ କ୍ରାଇମବ୍ରାଂଚକୁ ଧନ୍ୟବାଦ । ଏହା ଓଡ଼ିଶା ପୁଲିସ ପାଇଁ ଏକ ଗୌରବର ମୁହୁର୍ତ୍ତ । ମୃତକଙ୍କ ପରିବାର ଯାହା ହରାଇଛନ୍ତି ତା’ର ଭରଣା ସମ୍ଭବ ନୁହେଁ କିନ୍ତୁ ନ୍ୟାୟ ମିଳିବ ।

ମୁଖ୍ୟମନ୍ତ୍ରୀ ଏହି ଟ୍ୱିଟ୍ ପରେ ଓଡ଼ିଶା ପୁଲିସ୍ ଡିଜିଙ୍କ ଅଫିସିଆଲ ଟ୍ୱିଟରେ ଏକ ଜବାବ୍ ଆସିଥିଲା । ଯେଉଁଥିରେ ଲେଖାଥିଲା-
-ଧନ୍ୟବାଦ, ଆପଣଙ୍କ ଏହି କିଛି ଶବ୍ଦ ଆମକୁ ଦାୟିତ୍ୱ ତୁଳାଇବାରେ ପ୍ରେରଣାଦାୟୀ ହେବ । ଆପଣଙ୍କ ନେତୃତ୍ୱରେ ଓଡ଼ିଶା ପୁଲିସ, ପେଶାଦାର ଏବଂ ଲୋକାଭିମୁଖୀ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ପାଟଣାଗଡ଼ର ପାର୍ସଲ ବୋମାକୁ ନେଇ ଯେତିକି ରହସ୍ୟ ଥିଲା, ସେତିକି ଚତୁରତାର ସହ ଦାୟିତ୍ୱ ତୁଲାଇଥିଲା କ୍ରାଇମ୍ବ୍ରାଞ୍ଚ । ଯାହାର ଫଳ ସ୍ୱରୁପ ଆଜି ପୁଲିସ ପଞ୍ଝାରେ ମୁଖ୍ୟ ଖଳନାୟକ ପୁଞ୍ଜିଲାଲ୍ ମେହେର ।