କନକ ବ୍ୟୁରୋ : ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶା ରାଜନୀତିର ମଙ୍ଗ ଧରିଥିବା ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ୭୧ ତମ ଜନ୍ମ ଦିବସ। ଏଥିପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ, ରାଜନୈତିକ ଦଳ, ଅନୁଷ୍ଠାନ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିବା ସହିତ ତାଙ୍କ ରାଜନୈତିକ ଜୀବନରେ ସେ ଆହୁରି ଉନ୍ନତି କରନ୍ତୁ ବୋଲି କାମନା କରିଛନ୍ତି। ଆଜି ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହିତ ସୁସ୍ଥ ନିରୋଗ ଦୀର୍ଘ ଜୀବନ କାମନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସେ ହେଉଛନ୍ତି ସାନପୁଅ । ୧୭ ବର୍ଷର ରାଜନୀତିରେ ସେ ପାଲଟିଯାଇଛନ୍ତି ଅପ୍ରତିଦ୍ୱନ୍ଦୀ ନେତା । ଚାରି ଚାରି ଥର ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ସେ କେବଳ ରେକର୍ଡ ସୃଷ୍ଟି କରି ନାହାଁନ୍ତି, ଆଞ୍ଚଳିକ ଦଳର ଏହି ସୁପ୍ରିମୋ ଜାତୀୟ ଦଳ କଂଗ୍ରେସ ଓ ବିଜେପି ପାଇଁ ରାଜ୍ୟରେ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛନ୍ତି। ଅତ୍ୟନ୍ତ ସରଳ ଜୀବନ ଯାପନ କରୁଥିବା ନବୀନଙ୍କ ଜୀବନୀ ବିଷୟରେ ଜାଣିବାକୁ ସମସ୍ତଙ୍କର ଇଚ୍ଛା ରହିଛି । ଆସନ୍ତୁ ଜାଣିବା ନବୀନଙ୍କ ଓଡିଶା ରାଜନୀତି ଜୀବନର ପୂରା କାହାଣୀ ।
ଓଡ଼ିଶା ରାଜନୀତିରେ ନବୀନ :
୧୯୯୭ – ୨୦୧୭ । ୧୯୯୭ ମସିହାରେ ଜନନେତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ କଡ଼ ବଦଳାଇଥିଲା ରାଜ୍ୟ ରାଜନୀତିର ଇତିହାସ । ସାରା ଓଡ଼ିଶା ହୋଇଯାଇଥିଲା ସ୍ତବ୍ଧ । ସୃଷ୍ଟି ହୋଇଥିଲା ଏକ ଅପୂରଣୀୟ ଶୂନ୍ୟସ୍ଥାନ । ହୁଏତ ସେଦିନ କାହାକୁ ଜଣାନଥିଲା, ବିଜୁବାବୁଙ୍କ ମରଶରୀରକୁ କାନ୍ଧ ଦେଉଥିବା ନବୀନ, ଦିନେ ନିଜ କାନ୍ଧରେ ବୋହି ନେବେ ସାରା ଓଡ଼ିଶାର ଭାର । ଅତି ଆକସ୍ମିକ ଭାବେ ରାଜନୀତିରେ ସେଦିନ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ । ୨୦ ବର୍ଷ ତଳେ ଯେତେବେଳେ ରାଜନୀତିରେ ନବୀନ ପ୍ରବେଶ କଲେ, ସେତେବେଳେ ତାଙ୍କ ବିଷୟରେ ଜାଣିଥିଲେ ଖୁବ କମ୍ ଲୋକ । ସେଦିନ ହୁଏତ କେହି ଅନ୍ଦାଜ ଲଗାଇ ପାରିନଥିଲେ ଯେ ନବୀନ ଦିନେ ରାଜ୍ୟ ରାଜନୀତିରେ ଏକ ନୂଆ ଇତିହାସ ରଚିବାକୁ ଯାଉଛନ୍ତି । ରାଜନୀତିରେ ସେ ପ୍ରବେଶ କରିବା ପରେ ବଦଳି ଯାଇଥିଲା ରାଜନୀତିର ପୂରା ସମୀକରଣ । ୧୯୯୭ରେ ଆସ୍କା ଉପନିର୍ବାଚନରେ ଜିତି ସାଂସଦ ଭାବେ କ୍ୟାରିଅର ଆରମ୍ଭ କରିଥିବା ନବୀନ ପଟ୍ଟନାୟକଙ୍କ ହାତରେ ରହିଛି ୧୭ ବର୍ଷ ଧରି ରାଜ୍ୟ ଶାସନର ଡୋରି ।
ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ବିଜୁବାବୁଙ୍କ ସହଯୋଗୀ ଭାବୁଥିଲେ ନବୀନଙ୍କୁ ମୋହରା କରି ଅନୁକମ୍ପା ସାଉଁଟି ରାଜନୀତିର ସିଡି ଚଢିବେ । ମାତ୍ର ସେମାନଙ୍କୁ ଭୁଲ ପ୍ରମାଣିତ କରି ନବୀନ ଗଢିଲେ ନିଜର ଇମାରତ୍ । ରାଜନୀତିକୁ ପ୍ରବେଶ କରିବାର କିଛି ମାସ ମଧ୍ୟରେ ଗଢା ହେଲା ବିଜେଡି । ବିଜେଡିର ସଭାପତି ଭାବେ ନବୀନ ଖେଳି ଚାଲିଲେ ଗୋଟିକ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ୍ । ୧୯୯୭ରୁ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ଆରମ୍ଭ ହେଲା ତାଙ୍କର ରାଜନୈତିକ କ୍ୟାରିୟର । ୨୦୦୦ ମସିହାରେ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ ନବୀନ । ତାଙ୍କୁ ଅପେକ୍ଷା କରି ରହିଥିଲା ଓଡ଼ିଶାର ରାଜ ମୁକୁଟ । ଏହା ପୂର୍ବରୁ ସଫଳତାର ସହ ଗୋଟି ଚଳାଇ ଦଳ ମଧ୍ୟରେ ଥିବା ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କୁ ରାସ୍ତାରୁ ହଟାଇ ସାରିଥିଲେ ନବୀନ । ଏହି ଗୋଟିଏ ଚାଲ୍ ବିରୋଧୀଙ୍କ ଶିବିରରେ ଆତଙ୍କ ସୃଷ୍ଟି କରିଥିଲା । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଗୋଟିଏ ପରେ ଗୋଟିଏ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଳ ବାହାରର ରାସ୍ତା ଦେଖାଇ ଦେଇଥିଲେ ସେ । ବିରୋଧୀଙ୍କ ମୁହଁ ଉପରେ ଦୁର୍ନୀତିର କଳାଚାଦର ଢାଙ୍କି ଦେଇ ନବୀନ ନିର୍ମାଣ କଲେ ନିଜର ସ୍ୱଚ୍ଛ ଭାବମୂତି । ଏହା ସହ ବଢିଚାଲିଲା ତାଙ୍କର ଲୋକପ୍ରିୟତା ।
୨୦୦୪ ନିର୍ବାଚନରେ ପୁଣି ଥରେ ଓଡ଼ିଶାବାସୀଙ୍କ ଭରସା ଓଜାଡି ହୋଇ ପଡିଥିଲା ତାଙ୍କ ଉପରେ । ତେବେ ୨୦୦୯ ନିର୍ବାଚନ ଥିଲା ତାଙ୍କ ପାଇଁ ଅଗ୍ନିପରୀକ୍ଷା । ପ୍ରଥମ ଥର ପାଇଁ ବିଜେପି ହାତ ଛାଡି ଏକାକୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ସେ । ପ୍ରଥମେ ତାଙ୍କ ବିଜୟର ବଡ ଶ୍ରେୟ ନେଉଥିଲା ବିଜେପି । ୨୦୦୯ରେ ସେ ପ୍ରମାଣ କରିଥିଲେ ବିଜେଡି ଓ ତାଙ୍କ ନେତୃତ୍ୱର ଏକକ ଲୋକପ୍ରିୟତା । ଆଉ ୨୦୧୪ରେ ସେ ଯାହା କରି ଦେଖାଇଥିଲେ, ତାହା ଥିଲା ଅନ୍ୟ ଏକ ଇତିହାସ । ଯେଉଁ ପ୍ୟାରୀମୋହନ ମହାପାତ୍ରଙ୍କ ସାଂଗଠନିକ କୌଶଳ ବିଜେଡି ସଫଳତାର ଚାବିକାଠି କୁହାଯାଉଥିଲା ତାକୁ ବି ଭୁଲ ପ୍ରମାଣିତ କରିଥିଲେ । ସାରା ଭାରତରେ ବହୁଥିବା ମୋଦିଙ୍କ ହାୱା ମଧ୍ୟ ଓଡ଼ିଶାରେ ପ୍ରଭାବହୀନ ହୋଇଥିଲା । ୧୨୦ ଆସନ ଜିତି ନବୀନ ଏକାକୀ ସରକାର ଗଢିଲେ । ନବୀନ ପ୍ରମାଣ କରିଥିଲେ, ଜନମାନସରେ ସେ ହିଁ ଏକମାତ୍ର ଜନନେତା । ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ଜାତୀୟ ଗଣମାଧ୍ୟମ ପତ୍ରିକା ‘ଆଉଟଲୁକ’ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନିତ କରାଯାଇଥିଲା ।
ନବୀନଙ୍କ ପାଇଁ ଚ୍ୟାଲେଞ୍ଜ :
ପଂଚାୟତ ନିର୍ବାଚନ ପରେ ରାଜ୍ୟ ରାଜନୀତିର ପାଣିପାଗ ସରଗରମ ହୋଇଛି । ୧୭ ବର୍ଷ ଧରି ଅପ୍ରତିଦ୍ୱନ୍ଦୀ ଭାବେ ରାଜ୍ୟ ଶାସନର ମଙ୍ଗ ଧରିଥିବା ନବୀନଙ୍କ ଆଗରେ ଏବେ ସୃଷ୍ଟି ହୋଇଛି ନୂଆ ଚ୍ୟାଲେଂଜ । ୨୦୧୭ ପଂଚାୟତ ନିର୍ବାଚନ ପରେ ହଠାତ ରାଜନୈତିକ ପାଣିପାଗ ବଦଳିଛି । ୨୦୧୯ ନିର୍ବାଚନ ପୂର୍ବରୁ ନୂଆ ରାଜନୈତିକ ସମୀକରଣ ସହ ପ୍ରସ୍ତୁତ ହେଉଛି ନିର୍ବାଚନ ମଇଦାନ । ପଂଚାୟତ ନିର୍ବାଚନରେ ଆଶାଠାରୁ ଅଧିକ ସଫଳତା ପାଇବା ପରେ ଉତ୍ସାହ ଖେଳିଯାଇଛି ବିଜେପି ଶିବିରରେ । ସେପଟେ ବିଜେଡିରେ ମଧ୍ୟ ନବୀନଙ୍କ ନେତୃତ୍ୱକୁ ନେଇ କିଛି ନେତା ପ୍ରଶ୍ନଚିହ୍ନ ଲଗାଇଛନ୍ତି । ଗୋଟିଏ ପଟେ ନିଷ୍କଂଟକ ଭାବେ ୧୭ ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ଶିବିରରେ ଜୋରଦାର ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ବଦଳୁଥିବା ପରିସ୍ଥିତିରେ ପୁନର୍ବାର କ୍ଷମତାକୁ ନିଜ ହାତମୁଠାରେ ରଖିବାକୁ ଉଦ୍ୟମ କରୁଛି ବିଜେଡି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପୂର୍ବ ଭାରତ ଅଭିଯାନ ଯୋଜନାରେ ଟାର୍ଗେଟ ରହିଛି ଓଡ଼ିଶା ଦଖଲ । ପଂଚାୟତ ନିର୍ବାଚନ ପରେ ଓଡ଼ିଶା ଦଖଲ ପାଇଁ ବିଜେପି ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଂଟ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ମିଶନ ୧୨୦ର ନାରା ଦେଇ ଓଡ଼ିଶାରେ ଶକ୍ତି ସଂଗ୍ରହ ପାଇଁ ଲାଗି ପଡିଛି ବିଜେପି । ସେପଟେ ଦଳର ଅଧ୍ୟକ୍ଷ ଅମିତ ଶାହା, ନବୀନଙ୍କ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ୨୦୧୭ ମସିହା ପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତାମାନେ ନବୀନଙ୍କ ପ୍ରତି ଏଭଳି ଆଭିମୁଖ୍ୟ କେବେ ବି ଦେଖାଇନଥିଲେ । ଗତ ୪ଟି ନିର୍ବାଚନରେ ବିରୋଧୀ ଦଳକୁ ଫୁ’ କରି ଉଡାଇ ଦେଇଥିବା ନବୀନଙ୍କ ପାଇଁ ଏହା ହେବ ପ୍ରକୃତ ଏସିଡ୍ ଟେଷ୍ଟ ।
ସାଧାରଣ ଜୀବନଯାପନ :
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନଶୈଳୀକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ଲାଗି ରହିଥାଏ ଉକ୍ରଣ୍ଠା । ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହ ଘନିଷ୍ଠ ସଂପର୍କ ରଖିଥିବା ନବୀନଙ୍କ ଜୀବନ ଶୈଳୀ କିନ୍ତୁ ବେଶ ସାଧାରଣ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଯେମିତି ଜୀବନ ଶୈଳୀ ଥିଲା ସାଧାରଣ, ମୁଖ୍ୟମନ୍ତ୍ରୀ ହେବା ପରେ ଠିକ୍ ସେହିପରି ନିରାଡମ୍ବର ଜୀବନ । ଏକଦମ୍ ସାଧାସିଧା ମଣିଷ । ପୋଷାକପତ୍ର କହିଲେ ଧଳା କୁର୍ତା ପାଇଜାମା, ହାୱାଇ କିମ୍ବା କୋହ୍ଲାପୁର ଚପଲ । ଅଫିସ ହେଉ କି’ ବାସଭବନ, ସବୁଠି ସାଧାରଣ ଆସବାବପତ୍ର । ଦିଲ୍ଲୀ ଡୁନ୍ ସ୍କୁଲରେ ପାଠପଢା, ବିଦେଶର ଆଭିଜାତ୍ୟ ମହଲରେ ବସାଉଠା, ହେଲେ ବ୍ୟକ୍ତିଗତ ଜୀବନଶୈଳୀ ଅତି ସାଧାରଣ ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ନବୀନ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ପୁଅ ସଂଜୟ ଗାନ୍ଧି ଓ ସେ ଡୁନ୍ ସ୍କୁଲରେ ଏକା କ୍ଲାସରେ ପାଠ ପଢୁଥିଲେ । ଏହାସହ ଭଉଣୀ ଗୀତା ମେହେଟା ମଧ୍ୟ ନବୀନଙ୍କ ଜୀବନୀ ବିଷୟରେ କିଛି ଗୁମର ଖୋଲିଥିଲେ । ନବୀନଙ୍କର କଳାପ୍ରତି ପ୍ରବଳ ଆଗ୍ରହ ରହିଥିଲା । କଳା ଓ ସଂସ୍କୃତି ପ୍ରତି ରୁଚି ରଖୁଥିବା ନବୀନଙ୍କ ସହ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଘନିଷ୍ଠ ସଂପର୍କ ଥିଲା । ଏମାନଙ୍କ ଭିତରେ ଥିଲେ ଆମେରିକାର ୩୫ତମ ରାଷ୍ଟ୍ରପତି ଜନ୍ ଏଫ. କେନେଡିଙ୍କ ପତ୍ନୀ ଜାକଲିନ୍ କେନେଡି ଓନାସିସ୍ । ସେ ମଧ୍ୟ ତାଙ୍କର ଦୁଇଟି ବହି- ‘ଏ ସେକେଣ୍ଡ ପାରାଡାଇଜ’ ଓ ‘ଦି ଗାର୍ଡେନ ଅଫ ଲାଇଫ’ର ସଂପାଦନା କରିଥିଲେ । ଏହାଛଡା ଗୀତା କହିଥିଲେ, ବାପା ବିଜୁବାବୁଙ୍କ ପରି ବିନା ଅସ୍ତ୍ରରେ ସିଂହର ଗୁମ୍ଫା ମଧ୍ୟକୁ ପ୍ରବେଶ କରିବାର କ୍ଷମତା ନବୀନଙ୍କର ରହିଛି ।
କେବଳ ଗୀତା ନୁହଁନ୍ତି ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦୀ ମଧ୍ୟ ନବୀନଙ୍କ ସାଧାରଣ ଜୀବନଶୈଳୀକୁ ବେଶ ପ୍ରଂଶସା କରନ୍ତି । ଓଡ଼ିଶାରେ ଏବେ ନବୀନଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦୀ ଥିବା ଧର୍ମେନ୍ଦ୍ର ମଧ୍ୟ ତାଙ୍କୁ ପ୍ରଂଶସା କରିବାକୁ ପଛାଇନଥିଲେ । ନବୀନଙ୍କ ସରଳ ଜୀବନ ଦ୍ୱାରା ସେ ପ୍ରେରଣା ପାଇଥିବା ଧର୍ମେନ୍ଦ୍ର କହିଥିଲେ । ଏହାସହ ନବୀନଙ୍କ ସହ ଏକ ଅନୁଭୂତି ମଧ୍ୟ ଧର୍ମେନ୍ଦ୍ର ଗଣମାଧ୍ୟମରେ କହିଥିଲେ । ଧର୍ମେନ୍ଦ୍ର କହିଥିଲେ, ‘ମୁଁ ତାଙ୍କ ସହ ଦିନେ ଗାଡ଼ିରେ ବସି ଯାଉଥିଲି । ଅନେକ ଦିନ ଧରି ତାଙ୍କର ମାରୁତି ଏଷ୍ଟିମ ଗାଡ଼ି ଥିଲା । ଗାଡ଼ିର ଉଚ୍ଚତା କମ, ସେ ଜଣେ ଲମ୍ବା ମଣିଷ । ମୁଁ ତାଙ୍କୁ କହିଲି, ସାର୍ ଟିକେ ବଡ଼ ଗାଡ଼ି ବ୍ୟବହାର କଲେ ଭଲ ହୁଅନ୍ତା । ନବୀନବାବୁ କିଛି କହିଲେ ନାହିଁ, କେବଳ ହସିଦେଲେ ।’ ବାସ୍ ଏଇଟା ହିଁ ସାଧାରଣ ଜୀବନଶୈଳୀକୁ ସୂଚାଉଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତି ଏବଂ ସରଳ ଜୀବନଯାପନ ହେଉଛି ତାଙ୍କ ଲୋକପ୍ରିୟତାର ମୂଳମନ୍ତ୍ର । ଏହିସବୁକୁ ପାଥେୟ କରି ପୁଣିଥରେ ବିରୋଧୀଙ୍କ ଆହ୍ୱାନର ସମ୍ମୁଖୀନ ହେବେ ନବୀନ । କିନ୍ତୁ ଏଥର ନବୀନଙ୍କୁ ସାଧାରଣ ଭୋଟର ଗ୍ରହଣ କରିବେ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।