ସୁବାସଙ୍କୁ ଚୌହାନଙ୍କୁ ନୂଆ ଦାୟିତ୍ୱ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ସୁବାସଙ୍କ ନାଁରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ । ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ରୀତା ସାହୁ!

732

କନକ ବ୍ୟୁରୋ : ସୁବାସ ଚୌହାନଙ୍କୁ ନୂଆ ଦାୟିତ୍ୱ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ସୁବାସଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ସାଧାରଣ ନିର୍ବାଚନରେ ପଦ୍ମକୁ ପର କରି ଶଙ୍ଖ ଧରିଥିବା ସୁବାସଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି ନବୀନ । ଆଉ ଏହାସହ ବିଜେପୁରରେ ବିଜେଡିର ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଧୀରେ ଧୀରେ ଫର୍ଚ୍ଚା ହେବାରେ ଲାଗିଛି । ସୁବାସଙ୍କୁ ନୂଆ ଦାୟିତ୍ୱ ଦେଇ ଥଇଥାନ କରିବା ପରେ ବିଜେପୁରରୁ ପୁଣିଥରେ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଗତ ସାଧାରଣ ନିର୍ବାଚନରେ ବିଜେପୁରରୁ ନବୀନ ନିଜେ ମୈଦାନକୁ ଓହ୍ଳାଇବାରୁ ରୀତାଙ୍କୁ ପୁଣିଥରେ ଲଢିବାକୁ ସୁଯୋଗ ମିଳିନଥିଲା । ତେବେ ନବୀନ ଏହି ଆସନରୁ ବିଜୟୀ ହେବା ଓ ପରବର୍ତ୍ତୀ ସମୟରେ ଇସ୍ତଫା ଦେବା ପରେ ବିଜେପୁର ଉପନିର୍ବାଚନରେ କିଏ ବିଜେଡିର ପ୍ରାର୍ଥୀ ହେବ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ଏହି ରେସରେ ରୀତା ସାହୁଙ୍କ ସହ ସୁବାସ ଚୌହାନ ଓ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ପ୍ରଣୟ ସାହୁଙ୍କ ନାଁ ସାମ୍ନାକୁ ଆସିଥିଲା । ତେବେ ସୁବାସଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଥଇଥାନ କରିବା ପରେ ଏବେ ବିଜେପୁର ପାଇଁ ବିଜେଡି ପ୍ରାର୍ଥୀ ଭାବେ ରୀତା ସବୁଠୁ ବଡ ଦାବିଦାର ଭାବେ ଉଭା ହୋଇଛନ୍ତି ।

ଏହାପୂର୍ବରୁ ହୋଇଥିବା ଉପ-ନିର୍ବାଚନରେ ରୀତା ପ୍ରଥମଥର ପାଇଁ ବିଜେପୁରରେ ବିଜେଡିର ବିଜୟ ବାନା ଉଡାଇଥିବାରୁ ସୁପ୍ରିମୋ ତାଙ୍କ ଉପରେ ପୁଣିଥରେ ଭରସା କରିପାରନ୍ତି । ସେହିଭଳି ବିଜେପିରୁ ପ୍ରଦୀପ ପୁରୋହିତଙ୍କ ନାଁ ସାମ୍ନାକୁ ଆସୁଥିବା ବେଳେ କଂଗ୍ରେସରୁ ରିପୁନାଥ ସେଠ୍ ବିଜେପୁର ମୈଦାନକୁ ଓହ୍ଲାଇପାରନ୍ତି ।