ସୋସିଆଲ୍ ହେଲେ ନବୀନ୍ ! ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବିନା ଓୟୁଏଟି ଛାତ୍ର ଛାତ୍ରୀଙ୍କୁ ଭେଟିଲେ

42

କନକ ବ୍ୟୁରୋ : ପୁଣି ସମସ୍ତଙ୍କୁ ଚମକାଇ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓୟୁଏଟିରେ ବିଭିନ୍ନ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯାଇ, ହଠାତ ଛାତ୍ରଛାତ୍ରୀଙ୍କ ମେଳରେ ନଜର ଆସିଥିଲେ ନବୀନ । ଦାର୍ଘ ସମୟ ଧରି ଏମାନଙ୍କ ସହ ଆଲୋଚନା କରିଥିଲେ । ସରକାରୀ କାର୍ଯ୍ୟକ୍ରମ ବାହାରେ, ଓୟୁଏଟି ପରିସରରେ ଥିବା ଅର୍ଗାନିକ ଫାର୍ମ ବୁଲି ଦେଖିଲେ । ବିଶେଷ କରି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଜୈବିକ ଛତୁ କେନ୍ଦ୍ର ବୁଲିଥିଲେ ।

ଏପରିକି ଓୟୁଏଟିର ଜଣେ ଛାତ୍ରୀ ତାଙ୍କୁ ଉପହାର ଦେଇଥିବା ଜୈବିକ ଛତୁ ପ୍ୟାକେଟକୁ ଗ୍ରହଣ କରିଥିଲେ । ଆଉ ମଧ୍ୟାହ୍ନ ଭୋଜନରେ ଏହି ଛତୁ ତରକାରୀ ଖାଇ ପ୍ରଶଂସା ବି କରିଛନ୍ତି । ବିଏସସି ଏଗ୍ରୀ ଛାତ୍ରୀ ନୀକିତା ଓ ତାଙ୍କ ବନ୍ଧୁମାନେ ସ୍ନେହରେ ଦେଇଥିବା ଛତୁ ଖାଇବା ପରେ ଏହାର ସ୍ୱାଦ ବହୁଗୁଣିତ ହୋଇଯାଇଥିବା ମୁଖ୍ୟମନ୍ତ୍ରୀ କହିିଛନ୍ତି । ଏଥିପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓୟୁଏଟି ଛାତ୍ରଛାତ୍ରୀଙ୍କ ସହ ନବୀନ ଅନେକ ଫଟୋ ବି ଉଠାଇଛନ୍ତି ।

ସବୁବେଳେ କଡା ସୁରକ୍ଷା ଭିତରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱଭାବରେ ଏଭଳି ପରିବର୍ତନକୁ ନେଇ ଅନେକ ଚର୍ଚ୍ଚା । କାରଣ କିଛିଦିନ ତଳେ ଭାଉଣୀ ଗୀତା ମେହଟାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ମଲରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଯେଉଁଠି ସେ ସାଧାରଣ ଲୋକଙ୍କ ସହ ସେଲ୍ଫି ନେଇଥିଲେ ।