ପାଂଚ ବର୍ଷ ପରେ ଶେଷ ପ୍ରଣାମ ! ବେଇମାନ ଶଦ୍ଦକୁ ଭୁଲି ପୂର୍ବତନ ପରାମର୍ଶଦାତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ନବୀନ

35

କନକ ବ୍ୟୁରୋ : ୫ ମିନିଟରେ ଶେଷ ହେଲା ୫ ବର୍ଷର ବିବାଦ । ପ୍ୟାରୀମୋହନଙ୍କ ଅନ୍ତିମ ଯାତ୍ରାରେ, ବିଜେଡି ସହ ବିବାଦର ଯବନିକା ପଡିଛି । ପରାମର୍ଶଦାତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦିବଙ୍ଗତ ସାଂସଦଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି । ଯାହାଙ୍କୁ ବେଇମାନ କହି ଦଳରୁ ବିଦା କରିଥିଲେ ତାଙ୍କ ସାଙ୍ଗଠନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି । ଓଡିଶା ରାଜନୀତିରେ ପ୍ୟାରୀ ମହାପାତ୍ରଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା କହିଛନ୍ତି ନବୀନ ।

କୁହାଯାଏ ନବୀନଙ୍କୁ ନିଷ୍କଂଟକ କରିବା ପାଇଁ ଗୋଟି ଚଳାଉଥିଲେ ପ୍ୟାରୀମୋହନ । ଆଉ ସେଥିପାଇଁ ସେ ପାଲଟି ଯାଇଥିଲେ ବିଜେଡିରେ ସର୍ବ ଶକ୍ତିମାନ, ଦ୍ୱିତୀୟ କ୍ଷମତାକେନ୍ଦ୍ର । ନବୀନ ସରକାର ଚଳାଉଥିଲେ, ଆଉ ପ୍ୟାରୀ ଦଳ । ଧିରେ ଧିରେ ସରକାର ଆଉ ଦଳ ଉପରେ ବି ପ୍ୟାରୀଙ୍କ ଅଖଣ୍ଡ ପ୍ରଭାବ ଦେଖିବାକୁ ମିଳିଲା । ତାଙ୍କ ବିନା ପାଦେ ଚାଲିବାକୁ ଅସମର୍ଥ ହୋଇପଡିଲେ ନବୀନ । ତାଙ୍କୁ କୁହାଗଲା ନବୀନଙ୍କ ପ୍ରମୁଖ ପରାମର୍ଶଦାତା ଓ ବିଜେଡିର ମାର୍ଗଦର୍ଶକ । ହେଲେ ୨୦୧୨ ମେ ୨୯ ମିଡନାଇଟ ଅପରେସନ ପରେ ବିଗିଡି ଗଲା ସଂପର୍କ । ତାଙ୍କ ବିରୋଧରେ ଲାଗିଲା କ୍ଷମତା ଅପହରଣ ଷଡଯନ୍ତ୍ରର ଅଭିଯୋଗ । ପ୍ୟାରୀଙ୍କୁ ବେଇମାନ କହି ବିଜେଡିରୁ ବିତାଡିତ କଲେ ନବୀନ ।

ବିଜେଡି ଓ ପ୍ୟାରୀଙ୍କ ଭିତରେ ବିଗିଡି ଯାଇଥିବା ସଂପର୍କ ଗଲା ୫ ବର୍ଷ ହେଲା ଆଉ ଯୋଡିହୋଇ ପାରିଲାନି । ପ୍ରତାରଣା ପରେ ଖୁବ ବିଷୋଦଗାର କରିଛନ୍ତି ପ୍ୟାରୀ । ଯେଉଁ ଦଳକୁ ଗଢିବାରେ ଲହୁ, ଲୁହ ଏକ କରିଥିଲେ ସେହି ଦଳ କାଢି ଫୋପାଡି ଦେବା ପରେ ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି । ହେଲେ ସୁଧୁରି ପାରିନି ବିଗିଡି ଯାଇଥିବା ସଂପର୍କ । ଏବେ ତାଙ୍କ ଅନ୍ତିମ ଯାତ୍ରା ସହ ଏହି ବିବାଦର ଜବନିକା ପଡିଛି ।