କନକ ବ୍ୟୁରୋ : ରାଜ୍ୟରେ ଗତ କିଛି ଦିନ ଧରି ନିର୍ବାଚନୀ ମାହୋଲ ଦେଖିବାକୁ ମିଳୁଛି । ଘୋଷଣା ହେଉଛି ଗୋଟିଏ ପରେ ଗୋଟିଏ ପ୍ୟାକେଜ । କେତେବେଳେ ବସ୍ତିବାସିନ୍ଦାଙ୍କ ପାଇଁ ପୁଣି କେତେବେଳେ ସରକାରୀ କର୍ମଚାରୀଙ୍କ ପାଇଁ । ଆଗକୁ ଶିକ୍ଷକ ଆଉ କୃଷକଙ୍କ ପାଳି ବି ପଡିବାର ସମ୍ଭାବନା ରହିଛି । ଯାହାକୁ ନେଇ ନବୀନ ନିର୍ବାଚନୀ ମୁଡରେ ଅଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
୮ ଅଗଷ୍ଟ ୨୦୧୭ । ସଚିବାଳୟରେ ବସିଲା କ୍ୟାବିନେଟ ବୈଠକ । ଗୋଟିଏ ମାସରେ ତୃତୀୟ ଥର ପାଇଁ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଏକ ଘୋଷଣା ଆଚମ୍ବିତ କଲା ସମସ୍ତଙ୍କୁ । ସହରାଂଚଳର ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ନବୀନ ସରକାର ନେଲେ ଏକ ବଡ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ସହରାଂଚଳରେ ରହୁଥିବା ଭୂମିହୀନଙ୍କୁ ସରକାର ଯୋଗାଇବେ ଜମିପଟ୍ଟା ।
ଏନଏସିରେ ଛଅଶହ ଓ ମ୍ୟୁନିସିପାଲିଟିରେ ୩୫୦ ବର୍ଗଫୁଟ ଜମି ଯୋଗାଇଦେବାକୁ ଘୋଷଣା କଲେ ନବୀନ । ଏନେଇ ଦୁଇଟି ଅର୍ଡିନାନ୍ସ ଆଣି କେବଳ ବାସଗୃହ ଯୋଗାଇ ଦେବାକୁ ଜମି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ଓଡିଶାରେ ୫ଟି ମହାନଗର ନିଗମ, ୩୫ଟି ମ୍ୟୁନିସିପାଲ କାଉନସିଲ ଓ ୬୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ଯେଉଁଠି ବସ୍ତିିବାସିନ୍ଦା ଏହି ସୁବିଧାର ଫାଇଦା ନେଇ ପାରିବେ ।
ଆଉ ଏହାପରେ ଆରମ୍ଭ ହେଲା ଆଲୋଚନା । ପୌର ନିର୍ବାଚନକୁ ନଜରରେ ରଖି ଏଭଳି ଘୋଷଣା ହୋଇଥିବା କୁହାଗଲା । ଏହାକୁ ନେଇ ବିରୋଧୀ ଗୁଗଲୀ ଫିଙ୍ଗିଲେ । ବିଜେପି କହିଲା ୧୭ ବର୍ଷ ପରେ ହଠାତ କାହିଁକି ବସ୍ତିିବାସିନ୍ଦାଙ୍କ କଥା ମନେପଡିଲା । ପୁଣି ଉକ୍ରଳଭାରତ ସଭାପତି ଖାରବେଳ ସ୍ୱାଇଁ କହିଲେ ଦରକାର ପଡିଲେ ଏହାକୁ ନେଇ କୋର୍ଟକୁ ଯିବି । ସବୁରି ଭିତରେ କଥା ଉଠିଥିଲା ଏହା କେବଳ ନବୀନଙ୍କ ନିର୍ବାଚନୀ ମାଷ୍ଟର ଷ୍ଟ୍ରୋକ ।
ପରେ ପରେ ଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଇଓସିଏଲ ବିବାଦରେ ଯବନିକା ପକାଇଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ବିରୋଧୀଙ୍କ ମୁହଁକୁ ଚୁପ କରାଇବାରେ ସେ ସମର୍ଥ ହୋଇଥିବା କୁହାଯାଉଛି । ଆଇଓସିଏଲର ବିବାଦ ଧିରେଧିରେ ଜଟିଳ ହେଉଥିବା ବେଳେ ଅତି ଚତୁରତାର ସହ ବିବାଦର ଅନ୍ତ ଘଟାଇଥିଲେ ନବୀନ । ଜାତୀୟ ସ୍ତରରେ ମଧ୍ୟ ନବୀନ- ଧର୍ମେନ୍ଦ୍ର ଭେଟଘାଟକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହେଲା । ନିର୍ବାଚନ ପୂର୍ବରୁ କିମ୍ବା ପରେ ଶଙ୍ଖ-ପଦ୍ମ ଏକାଠି ହେବେ ବୋଲି ରାଜନୈତିକ ଆକଳନ କରାଗଲା ।
ପୁଣି ଆଉ ଏକ ମାହୋଲ ଦେଖି ନବୀନଙ୍କ ନିର୍ବାଚନୀ ମୁଡକୁ ପରୀକ୍ଷାନିରୀକ୍ଷା କରିଥିଲେ ସମସ୍ତେ । ଆଉଟଲୁକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଶ୍ରେଷ୍ଠ ପ୍ରଶାସକ ସମ୍ମାନ । ଜାତୀୟ ସ୍ତରର ଏହି ସମ୍ମାନ ହାତେଇବା ପରେ ରାଜ୍ୟରେ ଯେମିତି ଉତ୍ସବର ପର୍ବ ଆରମ୍ଭ ହୋଇଥିଲା । ଦଳ ଦଳ ହୋଇ ସବୁ ବର୍ଗର ଲୋକଙ୍କୁ ଧରି ବିଜେଡି ନେତାଏ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବଡବଡ ଫୁଲମାଳ ଗଦା ହେଲା ନବୀନ ନିବାସ ଆଉ ସଚିବାଳୟରେ । ବିଭିନ୍ନ ସଂଗଠନ ବି ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ । ମୁଖ୍ୟମନ୍ତ୍ରୀଙ୍କୁ ବିରାଟ ପଟୁଆରରେ ବିମାନବନ୍ଦରରୁ ନବୀନ ନିବାସ ଯାଏଁ ନେଇ ଯିବାକୁ ବି ବ୍ୟବସ୍ଥା ହୋଇଥିଲା । ଯାହାକୁ ଦେଖି ଲାଗୁଥିଲା ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଆଳରେ ନିର୍ବାଚନର ମାହୋଲ ସୃଷ୍ଟି କରାଯାଉଛି ।
ହେଲେ ଏହାକୁ ହାଲୁକା ଭାବେ ନେଇ ନଥିଲେ ବିରୋଧୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜ୍ଞାପନ ଦେଲେ ପୁରସ୍କାର ମିଳେ ବୋଲି କହିଥିବା ବେଳେ ବିରୋଧୀ କହିଥିଲେ ସବୁ କିଛି ପ୍ରାୟୋଜିତ । କିନ୍ତୁ ବିଜେଡି କହିଥିଲା ନବୀନ ଅପରାଜିତ ।
ପୁଣି ସେହି ଅଗଷ୍ଟରେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦୂର୍ଗାପୂଜା ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସପ୍ତମ ବେତନ କମିଶନ ଲାଗୁ କରି ସରକାରୀ କର୍ମଚାରୀଙ୍କୁ ଖୁସ କରିଛନ୍ତି ନବୀନ । ୨୦୧୬ ଜାନୁଆରୀରୁ ପିଛିଲା ଭାବେ ଏହାକୁ ଲାଗୁ କରି ନବୀନ ଖେଳିଛନ୍ତି ଗେମକାର୍ଡ । ସେପ୍ଟେମ୍ବର ୨୬ରେ ହିଁ କର୍ମଚାରୀ ଓ ପେନସନ ଭୋଗୀ ଏହି ବର୍ଦ୍ଧିତ ଦରମା ଓ ପେନସର ଲାଭ ଉଠାଇବେ । ଯାହା ବିଜେଡି ପ୍ରତି ସରକାରୀ କର୍ମଚାରୀଙ୍କ ଭୋଟବ୍ୟାଙ୍କ ବଢ଼ାଇବ ବୋଲି କୁହାଯାଉଛି ।
ଏହି ଘଟଣାମାନ ରାଜ୍ୟରେ ନିର୍ବାଚନୀ ହାୱାକୁ ଉଷ୍ଣ କରିଛି । ଗୋଟିଏ ମାସରେ ଦୁଇଟି ବଡ ଘୋଷଣା ଆଉ ଆଉଟଲୁକ ଆୱାର୍ଡକୁ ଦେଖି ରାଜେନ÷ତିକ ବିଶେଷଜ୍ଞ ମାନେ ୨୦୧୮ରେ ନିର୍ବାଚନ ପାଇଁ ଶାସକ ଦଳ କ୍ଷେତ୍ର ପ୍ରସ୍ତୁତ କରୁଥିବା ଅନୁମାନ କରୁଛନ୍ତି । ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଏ କଥାକୁ ସ୍ୱୀକାର ବି କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଯେ କୌଣସି ସମୟରେ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଅଛି । ତେଣୁ ୨୦୧୯ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ୨୦୧୮ରେ ନିର୍ବାଚନ କରାଇବାକୁ ନବୀନ ନିଷ୍ପତି ନେଇଥିବା ଆଲୋଚନା ହେଉଛି ।
କେବଳ ଏତିକି ନୁହେଁ ଗତ କିଛି ଦିନ ଧରି ଲଗାତର ଭାବେ ନବୀନଙ୍କ ମୁଡରେ ପରବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଲୋକଙ୍କ ସହ ମିଶିବାକୁ ପସନ୍ଦ କରୁନଥିବା ସିଏମ ବଜାରରେ ଗୁପଚୁପ ଖାଇଛନ୍ତି । ଭଉଣୀ ଗୀତାଙ୍କ ସହ ମିଶି ବୁକ୍ ଷ୍ଟଲରେ ବହି କିଣିଛନ୍ତି । ଇଫତାର ପାର୍ଟି ଠୁ ଆରମ୍ଭ କରି ଦଳୀୟ କାର୍ଯ୍ୟକ୍ରମରେ ବି ସେଲଫି ନେଇଛନ୍ତି । ସାଧାରଣ ଲୋକଙ୍କ ସହ ମିଶିବାକୁ ଯେ ନବୀନ ଚେଷ୍ଟା କରିଛନ୍ତି ତାହାର ବି ପ୍ରମାଣ ଅଛି । ଫେସବୁକ, ଟୁଇଟର ଭଳି ସୋସିଆଲ ମିଡିଆରେ ସକ୍ରିୟ ହୋଇଛନ୍ତି ନବୀନ ।
ଭଦ୍ରକ ହିଂସା ବେଳେ ଭଦ୍ରକ ଗସ୍ତରେ ଯାଇଥିବା ନବୀନ କିଭଳି କାରରୁ ଓହ୍ଲାଇ ସାଧାରଣ ଲୋକଙ୍କ ସହ କଥା ହୋଇଥିଲେ ତାହା ସମସ୍ତେ ଦେଖିଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେପିର ଶକ୍ତି ବୃଦ୍ଧି ଓ ବିଜେଡି ଭୋଟହାର ହ୍ରାସ ଦେଖିବା ପରେ ବାଧ୍ୟରେ ହେଲେ ବି ନିଜ ମୁଡରେ ପରିବର୍ତ୍ତନ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଅନେକଙ୍କୁ ତାଜୁବ କରିଛି ।
ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ଆଉ ସପ୍ତମ ବେତନ କମିାନ ଲାଗୁ କରି ଭୋଟବ୍ୟାଙ୍କ ବଢ଼ାଇବାକୁ ପଲିଟିକାଲ ଗେମପ୍ଲାନ କରିଥିବା ନବୀନ ଖୁବଶୀଘ୍ର ବ୍ଳକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ସମସ୍ୟାର ସମାଧାନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ଶିକ୍ଷକଙ୍କୁ ନାଖୁସ କରିବାକୁ ଚାହୁଁନାହାଁନ୍ତିି ମୁଖ୍ୟମନ୍ତ୍ରୀ । ନିର୍ବାଚନୀ ମୁଡରେ ଥିବା ନବୀନ ଶିକ୍ଷକଙ୍କୁ ସରପ୍ରାଇଜ ଗିଫ୍ଟ ଦେଇ ସେମାନଙ୍କ ଭୋଟ ପାଇବାକୁ ବି ରଣନୀତି ପ୍ରସ୍ତୁତ କରିପାରନ୍ତି । ଯଦି ଏମିତି ହୁଏ ତେବେ ଶିକ୍ଷକ ଓ ଅଧ୍ୟାପକ ନିର୍ବାଚନରେ ଶାସକ ଦଳ ପ୍ରତି ଭିତିରିଆ ଆଉଜିବେ ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କରୁଛନ୍ତିି ।
ତେବେ କେବଳ ଶିକ୍ଷକ ସମସ୍ୟା ସମାଧାନ ନୁହେଁ ବରଂ ଖୁବଶୀଘ୍ର ଓଡିଶାରେ କୃଷିଋଣ ଛାଡ ମଧ୍ୟ ହୋଇପାରେ । ଚାଷୀମୂଲିଆଙ୍କ ଉନ୍ନତି ପାଇଁ ଶାସକ ଦଳ ସର୍ବଦା ଚେଷ୍ଟିତ ବୋଲି କହୁଥିବା ବିଜେଡି କୃଷୠଣ ଛାଡ କରି ଫାଇଦା ହାସଲ କରିବା ମୁଡରେ ରହିଥିବା ଆଲୋଚନା ହେଉଛି । କାରଣ ରାଜ୍ୟରେ ବିଜେଡି ଭୋଟବ୍ୟାଙ୍କର ଅଧାରୁ ଅଧିକ ଭୋଟ ଚାଷୀଙ୍କର । ତେଣୁ କୃଷିଋଣ ଛାଡ ବିଜେଡିକୁ ଫାଇଦା ଦେବ ବୋଲି ଜାଣିଛନ୍ତି ମୁଖିଆ । ଅନ୍ୟାନ୍ୟ ରାଜ୍ୟରେ କୃଷିଋଣ ଛାଡ ହୋଇଥିବା ବେଳେ ଓଡିଶାରେ ନବନିର୍ମାଣ କୃଷକ ସଙ୍ଗଠନ ଓ ବିଜେପି ମଧ୍ୟ ଋଣଛାଡ ପାଇଁ ଦାବୀ କରି ଆସୁଛି । ତେଣୁ କୃଷିଋଣ ଛାଡ କେବଳ ଦଳର ଭୋଟବ୍ୟାଙ୍କ ବଢ଼ାଇବ ତାହା ନୁହେଁ ବରଂ ବିରୋଧୀଙ୍କୁ ମଧ୍ୟ ଧକ୍କା ଦେବ । ତେଣୁ ଏନେଇ ଚିନ୍ତା କରୁଛନ୍ତି ନବୀନ ।
ଏସବୁ ଭିତରେ କିନ୍ତୁ ରାଜ୍ୟରେ ରାଜସ୍ୱ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ସରକାର ଶିକ୍ଷକଙ୍କ ଦାବୀକୁ ମାନି ନିଅନ୍ତି, ତେବେ ବାର୍ଷିକ ୮୦୫ କୋଟି ଆବଶ୍ୟକତା ରହିବ । ସେହିଭଳି କୃଷିଋଣ ଛାଡ କରାଯାଏ ତେବେ ପାଖାପାଖି ୧୯ହଜାର କୋଟି ଟଙ୍କାର ଆବଶ୍ୟକତା ରହିବ । ନିର୍ବାଚନକୁ ଯେନତେନ ଜିତିବା ପାଇଁ ମାଇଣ୍ଡ ସେଟଅପ୍ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ବୋଝ ଲଦି ଦଳୀୟ କ୍ଷତିକୁ ଭରଣା କରିବେ ନା ସମସ୍ତଙ୍କୁ ବିସ୍ମିତ କଲାଭଳି ଆଉ କିଛି ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କର ନଜର ରହିବ ।