ବଢିଲା ନବୀନଙ୍କ ଦ୍ୱନ୍ଦ୍ୱ । ଉପରାଷ୍ଟ୍ରପତି ପଦବୀ ପାଇଁ କାହାକୁ କରିବେ ସମର୍ଥନ । ଏନଡିଏର ପ୍ରାର୍ଥୀ ଭେଙ୍କେୟା ନାଇଡୁଙ୍କୁ ନା ବିରୋଧୀ ଦଳ ପ୍ରାର୍ଥୀ ଗୋପାଳକ୍ରିଷ୍ଣ ଗାନ୍ଧିଙ୍କୁ । କାହାକୁ ସମର୍ଥନ କରିବ ବିଜେଡି? ଏନଡିଏ ନା କଂଗ୍ରେସ ନେତୃତ୍ୱରେ ଥିବା ବିରୋଧୀ ମେଂଟ? ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁଙ୍କ ସହ ରହିଛି ନବୀନଙ୍କ ଭଲ ସମ୍ପର୍କ । ଅନ୍ୟପଟେ ଗୋପାଳକ୍ରିଷ୍ଣ ଗାନ୍ଧିଙ୍କୁ ନିଜ ବନ୍ଧୁ ବୋଲି କହିଛନ୍ତି ନବୀନ । ଏଭଳି ସ୍ଥିତିରେ କାହା ଆଡକୁ ଢଳିବେ ନୀବନ ।

Advertisment

ଯଦି ଏନଡିଏ ପ୍ରାର୍ଥୀ ଭେଙ୍କେୟାଙ୍କୁ ନବୀନ ସମର୍ଥନ କରନ୍ତି ତେବେ, ଧରାଯିବ ବିଜେପି ଆଡକୁ ଢଳୁଛନ୍ତି ନବୀନ । ଆଉ ଯଦି ଗୋପାଳକ୍ରିଷ୍ଣ ଗାନ୍ଧିଙ୍କୁ ସମର୍ଥନ କରନ୍ତି ତେବେ କୁହାଯିବ ଯେ, କଂଗ୍ରେସକୁ ସମର୍ଥନ କଲେ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରି ଭୋଟ୍ ଦେଇସାରିଛି ବିଜେଡି । ଏବେ ସାମ୍ନାରେ ଉପରାଷ୍ଟ୍ରପତି ନିର୍ବାଚନ । ଆଉ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ନବୀନ ।

ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁଙ୍କୁ ଅନେକ ଥର ଭେଟିଛନ୍ତି ନବୀନ । ରାଜ୍ୟ ବିକାଶ ନେଇ ଆଲୋଚନା କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ରହିଛି ଭଲ ସମ୍ପର୍କ । ସେହିପରି ଗୋପାଳକ୍ରିଷ୍ଣ ଗାନ୍ଧିଙ୍କ ସହ ବି ରହିଛି ନବୀନଙ୍କ ଉତ୍ତମ ସମ୍ପର୍କ । ୨୦୧୨ରେ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କରିଥିଲେ ମହାତ୍ମା ଗାନ୍ଧିଙ୍କ ନାତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକ୍ରିଷ୍ଣ ଗାନ୍ଧି । ଆଉ ସେତେବେଳେ ଉଭୟେ ଉଭୟଙ୍କୁ ଭଲ ବନ୍ଧୁ ଭାବେ ଅଭିହିତ କରିଥିଲେ ।

ଏବେ ନଜର ପକାନ୍ତୁ ନବୀନଙ୍କ ସାମ୍ନାରେ କଣ ରହିଛି ରାସ୍ତା?

ରାସ୍ତା – ୦୧ : ଏନଡିଏ ପ୍ରାର୍ଥୀଙ୍କ ସହ ଯିବେ କି?

naidu୨୦୦୦ ମସିହାରେ ଯେତେବେଳେ ମେଂଟ ସରକାର କ୍ଷମତାକୁ ଆସିଥିଲା, ସେହି ସମୟରେ ଭେଙ୍କେୟା ନାଇଡୁ ମେଂଟର ଚେହେରା ଭାବେ ନବୀନଙ୍କୁ ଉପସ୍ଥାପନ କରିବାକୁ ଭୁବନେଶ୍ୱର ଆସିଥିଲେ । ଉଭୟଙ୍କ ମଧ୍ୟରେ ବେଶ ଉତ୍ତମ ସଂପର୍କ ରହିଛି । ଦିଲ୍ଲୀ ଦରବାରରେ ଯେଉଁ ନେତା ମାନଙ୍କ ସହ ନବୀନଙ୍କ ଭଲ ସଂପର୍କ ରହିଛି,ସେମାନଙ୍କ ମଧ୍ୟରୁ ଭେଙ୍କେୟା ଅନ୍ୟତମ ।

ରାସ୍ତା – ୦୨ : ମିଳିତ ବିରୋଧୀ ଦଳକୁ ସମର୍ଥନ?

Gopalkrishna Gandhi ଏହି ରାସ୍ତା ନବୀନଙ୍କ ପାଇଁ ବେଶ ଘାତକ ହୋଇପାରେ । ରାଜ୍ୟ ରାଜନୀତିରେ ଏହାର ସୁଦୁର ପ୍ରସାରୀ ପ୍ରଭାବ ରହିବାର ଯଥେଷ୍ଟ ସମ୍ଭାବନା ରହିବ । କାରଣ ବାର୍ତ୍ତା ଯିବ, ନବୀନ କଂଗ୍ରେସ ଆଡକୁ ଢଳିଲେଣି । ପୁଣି ୨୦୧୯ରେ ମେଂଟ କଥାକୁ ନେଇ ସମୀକ୍ଷା ଆରମ୍ଭ ହେବ । ତେଣୁ ମିଳିତ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ନବୀନ ସମର୍ଥନ କରିବା ସମ୍ଭାବନା ବହୁତ କମ ।

ରାସ୍ତା – ୦୩ : ସମଦୂରତ୍ୱ ଫର୍ମୁଲା 

naveen pattanaikଅନୁମାନ କରାଯାଉଛି, ଉଭୟ ୟୁପିଏ ଓ ଏନଡିଏ ପ୍ରାର୍ଥୀଙ୍କ ଠାରୁ ନବୀନ ସମାନ ଦୂରତା ଆପଣାଇ ପାରନ୍ତି । ଆଉ ଏହା ହିଁ ବିଜେଡି ପାଇଁ ଦେଶ ଉପଯୋଗୀ ବୋଲି ରାଜନୈତିକ ସମୀକ୍ଷକ ମତ ଉପସ୍ଥାପନ କରିଛନ୍ତି । ୨୦୧୨ରେ ଯେତେବେଳେ ଉପ-ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ସେତେବେଳେ ମଧ୍ୟ ନବୀନ ନିଜକୁ ଏଥିରୁ ଦୂରେଇ ରଖିଥିଲେ । ଯଦିଓ ସେତିକି ବେଳେ ରାଷ୍ଟ୍ରପତି ନିର୍ବାଚନରେ ପି. ଏ. ସାଙ୍ଗମାଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ନିଜ ଦବଦବା ଜାହିର କରିଥିଲେ ।

ଏହି ସବୁ ଫର୍ମୁଲାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ସମୀକ୍ଷା । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋ ଏବାବଦରେ ଆଲୋଚନା କରି ନିଷ୍ପତ୍ତି ନେବେ । ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଆଗରୁ ଗଣମାଧ୍ୟମରେ କହିବା ଶୋଭନୀୟ ନୁହେଁ । ଅନ୍ୟପଟେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି କହିଛନ୍ତି, ବିଜେପି ସବୁବେଳେ ଚାହେଁ ସହମତି ଭିତ୍ତିରେ ନିର୍ବାଚନ ହେଉ । ତେଣୁ ଆଶା କରୁଛୁ ରାଜନୀତିରୁ ଉଦ୍ଧ୍ୱର୍କୁ ଉଠି ବିଜେଡି ଏକ ନିଷ୍ପତ୍ତି ନେବ ।

ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ରଣଜିତ ଗୁରୁଙ୍କ ହିସାବରେ, ନବୀନ ପଟ୍ଟନାୟକଙ୍କ ପାଇଁ ଏହି ନିଷ୍ପତ୍ତି ଏତେ ସହଜ ହେବନି । କାରଣ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ ବାର୍ତ୍ତା ଯିବ, ଯେଉଁ ଧର୍ମନିରପେକ୍ଷତାକୁ ଆଧାର କରି ବିଜେଡି-ବିଜେପି ମେଂଟ ଭାଙ୍ଗିଥିଲା ତାହା କେବଳ ଏକ ବାହାନା ଥିଲା । ଏହାରି ଭିତରେ ନଜର ରହୁଛି, କଣ ନିଷ୍ପତ୍ତି ନେଉଛନ୍ତି ବିଜେଡି ସୁପ୍ରିମୋ ।