ନବୀନଙ୍କୁ ସିବିଆଇ ଫାଶ ?

16

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଫେରିବ ସିବିଆଇ । ଚିଟଫଣ୍ଡ ଓ କୋଇଲା ଦୁର୍ନୀତିରେ ଅଡୁଆରେ ପଡିବେ ବିଜେଡି ସୁପ୍ରିମୋ । ଜେରା ହେବେ ଆଉ କେଳେଙ୍କାରୀର ପର୍ଦ୍ଦାଫାଶ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । କିଛି ଏଭଳି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ଦେବାପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ପୂର୍ବରୁ ଚିଟଫଣ୍ଡ ପ୍ରସଙ୍ଗରେ ନବୀନ ନିବାସ ଯାଏଁ ସିବିଆଇ ହାତ ପହଂଚିଥିବା ବେଳେ ହଠାତ ଅସମ୍ଭବ ନୀରବତା ଅବଲମ୍ବନ କରିଥିଲା । ହେଲେ ବର୍ଷ ଆରମ୍ଭରୁ ଜୁଏଲ କହିଥିଲେ, ସିବିଆଇ ଶିଥିଳ ହେଲା, ସେଥିପାଇଁ ବର୍ତିଗଲେ ନବୀନ । ଆଉ ଏବେ ଜୁଏଲ ନେଇଛନ୍ତି ୟୁ-ଟର୍ଣ୍ଣ । ଯାହାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ପର୍ବ ।

ପୂର୍ବରୁ ଚିଟଫଣ୍ଡ ଦୁର୍ନୀତି ମାମଲାରେ ଶାସକ ଦଳର ବହୁ ପ୍ରଭାବଶାଳୀ ନେତା ଓ ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଥିଲା । ଏପରିକି କିଛି ଜଣ ଜେଲ ଯାଇ ବେଲରେ ଆସିଥିବା ବେଳେ ଆଉ କିଛି ଏବେ ହାଜତରେ । ସେହିଭଳି ନବୀନ ନିବାସର ବିଶ୍ୱସ୍ତ ସରୋଜ ସାହୁ ଜେରା ହେବା ପରେ ନବୀନଙ୍କ ପାଳି ଆସିବାର ସମ୍ଭାବନାକୁ ନେଇ ଆରମ୍ଭ ହୋଇଥିଲା ଆକଳନ । ହେଲେ ନବୀନ ନିବାସ ଗେଟରୁ ଫେରିଗଲା ସିବିଆଇ । ନା ଖଣି ନା କୋଇଲା । ନବୀନଙ୍କ ଯାଏଁ ପହଂଚୁନଥିଲା ସିବିଆଇ ହାତ । ତେବେ ଜୁଏଲଙ୍କ କଥାକୁ ଯେଉଁଠି ରାଜ୍ୟ ବିଜେପି ନେତା ସମର୍ଥନ କରୁଛନ୍ତି, ବିଜେଡି ଏହାକୁ ଖାତିର୍ କରିନି ।

ସେପଟେ କଂଗ୍ରେସ କହିଛି, ଜୁଏଲ କହୁଛନ୍ତି, ତାକୁ ହୁଏତ ଦୁଇ ବର୍ଷ ତଳେ ବିଶ୍ୱାସ କରିବା ସମ୍ଭବ ଥିଲା । ହେଲେ ସରୋଜଙ୍କ ଜେରା ପରେ ଯେପରି ତଦନ୍ତ ଧିମେଇଲା ତାହା ବିଜେପି-ବିଜେଡିର ଭିତିରିଆ ସଂପର୍କକୁ ପଦାରେ ପକାଇଥିଲା ।

ପୂର୍ବରୁ ସିବିଆଇ ତଦନ୍ତ ନେଇ ଜୁଏଲ ଯେଭଳି ଆଭିମୁଖ୍ୟ ରଖିଥିଲେ, ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନବାଚୀ । ଯଦି ସିବିଆଇ ଠିକ ଭାବେ ତଦନ୍ତ କରିଥାନ୍ତା ତେବେ ବିଜେଡି ସଫା ହୋଇଯାଇଥାନ୍ତା ବୋଲି ମତ ରଖିଥିଲେ ଜୁଏଲ । ଯାହା ସେତେବେଳେ ଝଡ ଆଣିଥିଲା ।

ପ୍ରଧାନମନ୍ତ୍ରୀ ହେବା ପରେ ୪ ଥର ଓଡିଶା ଗସ୍ତରେ ଆସିଲେଣି ମୋଦି । ହେଲେ ଗୋଟିଏ ବି ବକ୍ତବ୍ୟ କୋଇଲା, ଖଣି କିମ୍ବା ଚିଟଫଣ୍ଡ ଦୁର୍ନୀତି ବାବଦରେ ଉଠାଇ ନାହାନ୍ତି । ଯାହା କର୍ମୀଙ୍କ ସହ ନେତାଙ୍କୁ ଦ୍ୱନ୍ଦ୍ୱରେ ପକାଉଥିଲା । ହେଲେ ଜୁଏଲଙ୍କ ବକ୍ତବ୍ୟ ରାଜନୀତିକୁ ରୋଚକ କରିଛି ।