ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । କରୋନା ବିରୋଧରେ ସତର୍କ ଓ ସଚେତନ ରହି ଲଢେଇ କରିବାକୁ ପରାମର୍ଶ ଦେଲେ ନବୀନ

97

କନକ ବ୍ୟୁରୋ: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସମସ୍ତଙ୍କ ସହଯୋଗରେ ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଓଡିଶା ଆଜି ଭଲ ସ୍ଥିତିରେ ରହିଛି । ଏଦିଗରେ ଆମେ ନେଇଥିବା ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛନ୍ତି । ଆମର ଦୈନିକ ସଂକ୍ରମଣ ଏବେ ୧୦୦ ତଳେ ରହୁଛି । ହେଲେ ସଂକ୍ରମଣକୁ ଶୂନରେ ରଖିବା ଆମର ଲକ୍ଷ୍ୟ । କିନ୍ତୁ ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ । କାରଣ ବିପଦ ଏବେ ବି ଟଳିନାହିଁ ।

ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ଆଜି ସ୍ଥିତି ବିଗିଡିବାରେ ଲାଗିଛି । ମହାରାଷ୍ଟ୍ରରେ କେତେକ ଅଂଚଳରେ ଲକଡାଉନ ଏବେ ପୁଣି ଫେରିଛି । ଲକଡାଉନ ସମୟର କଷ୍ଟ ଏବେ ବି ଆମ ସ୍ମୃତିରେ ତାଜା ହୋଇ ରହିଛି । ଆମର ଅର୍ଥନୀତି, ଆମର ସାମାଜିକ ଜୀବନ ଏବଂ ପିଲାମାନଙ୍କ ପାଠପଢା ଆଦି ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି । ତେବେ ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ଆମ ରାଜ୍ୟ ଏବେ ସ୍ୱାଭାବିକ ଅବସ୍ଥାକୁ ଫେରିଛି । ଆମେ କେହି ଲକଡାଉନକୁ ଫେରିବାକୁ ଚାହୁଁନାହୁଁ । ଲକଡାଉନକୁ ନଫେରିବାର ଏକମାତ୍ର ବାଟ ହେଉଛି ସତର୍କତା । ଆମେ ସତର୍କ ରହିଲେ ଲକଡାଉନ ଭଳି ସ୍ଥିତି ଉପୁଜିବ ନାହିଁ ।

ତେବେ କରୋନା ସଂକ୍ରମଣକୁ ନେଇ ରାଜ୍ୟବାସୀଙ୍କ ମୁଖ୍ୟମନ୍ତ୍ରୀ ଅନୁରୋଧ କରି କହିଛନ୍ତି କି, ଆମେ ସମସ୍ତେ ପୂର୍ବଭଳି କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିଚାଲିବା । ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇ କରି ରଖିବା ନାହିଁ, ନାକ ଓ ପାଟିକୁ ଘୋଡାଇ ପିନ୍ଧିବା । ଘରକୁ ଫେରିଲେ ସାବୁନରେ ଭଲକରି ହାତ ଧୋଇବା । ମୁହଁ, ନାକ ଓ ପାଟିରେ ବାରମ୍ବାର ହାତ ମାରିବା ନାହିଁ । ସାମାଜିକ ଦୂରତା ରକ୍ଷା କରି ହାଟ, ବଜାରକୁ ଯିବା । ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ । ବର୍ତ୍ତମାନ କରୋନା ପାଇଁ ଟିକାକରଣ ଆମ ରାଜ୍ୟରେ ସଫଳ ଭାବରେ ଚାଲିଛି । ଏ ଦିଗରେ ଆପଣମାନଙ୍କ ସହଯୋଗ ମୁଁ କାମନା କରୁଛି ।

କରୋନା ଲଢେଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ । ସେମାନଙ୍କ ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖିନାହିଁ । ସେହି ଯୋଦ୍ଧାମାନଙ୍କ ବଳିଦାନକୁ ଆମେ କେବେ ବ୍ୟର୍ଥ ଯିବାକୁ ଦେବାନାହିଁ । ସତର୍କ ରହିବା ହିଁ ସହିଦ କରୋନା ଯୋଦ୍ଧାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । କରୋନା ନିୟମାବଳୀର ଅନୁପାଳନକୁ କଡାକଡି ଭାବରେ ତଦାରଖ କରିବାକୁ ମୁଁ ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ ଦେଇଛି । ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ । ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି । ଆପଣମାନେ ମୋର ଅନୁରୋଧ ରକ୍ଷା କରିବେ ଏବଂ ସତର୍କ ରହିବେ । ଆମେ ସମସ୍ତେ ମିଶି ଶୂନ ସଂକ୍ରମଣ ଲକ୍ଷ୍ୟ ହାସଲ କରିପାରିବା ବୋଲି ରାଜ୍ୟବାସୀଙ୍କୁ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।