କନକ ବ୍ୟୁରୋ : ପରାଜୟ ପରେ ବିଜେଡିରେ ଅସନ୍ତୋଷ ତେଜିଲାଣି, ଶୃଖଂଳାର ବେଢି ଭିତରେ ରହୁନାହନ୍ତି ନେତା । ପ୍ରତେକ ଦିନ ଗଣମାଧ୍ୟମରେ ଖୁଲମ ଖୋଲା ବୟାନ ରଖୁଛନ୍ତି । ଖାଲି ସେତିକି ନୁହେଁ,ମମତା ମହନ୍ତ ଦଳ ଛାଡିବା ପରେ ଦଳପତିଙ୍କର ଚିନ୍ତା ବଢିଯାଇଛି । ଆଉ କିଏ ମମତାଙ୍କ ପଦାଙ୍କ ଅନୁକରଣ କରିବେନି ତ? କେମିତି ସମସ୍ତଙ୍କୁ ନେଇ ଆଗକୁ ବଢିବେ? ଏଭଳି ସ୍ଥିତିରେ, ନିର୍ବାଚନର ୬ ମାସ ପରେ ମଇଦାନକୁ ଓହ୍ଲାଇେବ ବିଜେଡି ମୁଖିଆ । ଆସନ୍ତା ନଭେମ୍ୱର ମାସରୁ ପ୍ରତି ଜିଲ୍ଲାରେ ସମାବେଶ କରି ଦଳୀୟ କର୍ମୀ ଓ ନେତାଙ୍କ ଜୋସ ବଢାଇବେ ନବୀନ। ଦଳର ସଂଗଠନ କେମିତି ଆଗକୁ ବଢିବ, ଦଳର ଆଗାମୀ ଆଭିମୁଖ୍ୟ ସଂପର୍କରେ ଅବଗତ କରିବେ ।
ଦେଢ ମାସ ବିତଲାଣି, ହେଲେ ବିଜେଡିର ରାଜ୍ୟ ସ୍ତରୀୟ କମିଟି ଗଠନ ହୋଇପାରିଲାନି । କମିଟିରେ କାହାକୁ ସ୍ଥାନ ମିଳିବ, ବିଭିନ୍ନ ମୋର୍ଚା (ମହିଳା, ଯୁବ, ଛାତ୍ର)ର ନେତୃତ୍ୱ କାହାର କାନ୍ଧରେ ରହିବ । ଏସବୁକୁ ନେଇ ଅନେକ ଦ୍ୱନ୍ଦ୍ବ ରହିଛି । ତେଣୁ ନିଷ୍ପତି ନେବାରେ ବିଳମ୍ୱ ହେଉଛି । ଗୁରୁବାର ବସିଥିବା ପ୍ରଥମ ସମନ୍ୱୟ କମିଟି ବୈଠକରେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି। ଗଂଜାମକୁ ଦୁଇଟି ସାଂଗଠନିକ ଜିଲ୍ଲା ଗଠନ ପାଇଁ ସୁପ୍ରିମୋଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଦଳର ବରିଷ୍ଠ ନେତା।
ରାଜନୈତିକ ମହଲରେ ଚର୍ଚା ହୁଏ ୨୦୨୪ ନିର୍ବାଚନ ସମୟରେ ସବୁ ଜିଲ୍ଲା ବୁଲି ପ୍ରଚାର କରିନଥିଲେ ନବୀନ । ବିଜେଡି ସୁପ୍ରିମଙ୍କଠାରୁ ପାଣ୍ଡିଆନ ଅଧିକ ପ୍ରଚାର କରିଥିଲେ । ଏହାକୁ ନେଇ ଭୋଟରଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏଥିପାଇଁ ବିଜେଡି ପରାଜିତ ହେଲା । ତେଣୁ କୋର୍ସ କରେକ୍ସନ କରି ମୈଦାନକୁ ଓହ୍ଲଇବାକୁ ଚାହୁଁଛନ୍ତି ନବୀନ ।