କନକ ବ୍ୟୁରୋ: ବିଜେଡିର ବଡ ପରାଜୟର କାରଣ କଣ? ଏନେଇ ନବୀନ ନିବାସରେ ୩ ଦିନ ହେଲା ବିଚାରବିମର୍ଷ ଚାଲିଛି । ପାଣ୍ଡିଆନଙ୍କୁ ନେଇ ଅସନ୍ତୋଷ ବି ବଢୁଛି । ଏହାରି ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । କହିଛନ୍ତି, ପାଣ୍ଡିଆନ ତାଙ୍କ ଉତରାଧିକାରୀ ନୁହନ୍ତି । ଏ ସମ୍ପର୍କରେ ଓଡିଶାବାସୀ ନିଷ୍ପତ୍ତି ନେବେ ।

କାହିଁକି ବିଜେଡି ବଡ ବିପର୍ଯ୍ୟୟକୁ ସାମ୍ନା କଲା? ପରାଜୟ ପଛରେ କଣ ରହିଛି କାରଣ? ଏହାକୁ ନେଇ ତର୍ଜମା ଚାଲିଥିବା ବେଳେ ଦଳ ଭିତରେ ପାଣ୍ଡିଆନଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଫଳାଫଳ ଆସିବାର ୪ ଦିନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ । ଉତରାଧିକାରୀ ପ୍ରସଙ୍ଗରେ ନବୀନ ପୁଣି ଥରେ ଦୋହରାଇଛନ୍ତି,

ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି
ଓଡିଶାବାସୀ ଉତ୍ତରାଧିକାରୀ ବାଛିବେ
କେବଳ ଏତିକି ନୁହେଁ, ପାଣ୍ଡିଆନଙ୍କ ସଂପର୍କରେ ମଧ୍ୟ ମତ ରଖିଛନ୍ତି ନବୀନ । କହିଛନ୍ତି -
ପାଣ୍ଡିଆନ କୌଣସି ପଦବୀରେ ନାହାନ୍ତି କି’ ସେ ନିର୍ବାଚନ ଲଢ଼ି ନାହାନ୍ତି
ପାଣ୍ଡିଆନଙ୍କ ସଂପର୍କରେ ଯେଉଁ ମନ୍ତବ୍ୟ ପ୍ରକାଶ ପାଉଛି ତାହା ଦୁର୍ଭାଗ୍ୟଜନକ

ଅନ୍ୟପଟେ ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକାଇ ଆଗାମୀ ରଣନୀତି ବାବଦରେ ଆଲୋଚନା କରାଯାଇଛି । କିଭଳି ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବିଜେଡି, ଏସଂପର୍କରେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଛନ୍ତି ସୁପ୍ରିମୋ ।

ପରାଜୟ ପରେ ଦଳକୁ ଏକାଠି ରଖିବାକୁ ନବୀନ ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଦଳର କିଛି ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏପଟେ ଶଙ୍ଖଭବନରେ ଯୁବ ଓ ଛାତ୍ର ବିଜେଡି ନେତା ଯେପରି ଅସନ୍ତୋଷ ଝାଡ଼ିଲେ, ତାହା ନବୀନଙ୍କ ନିକଟରେ ପହଁଚୁଛି କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି ।