କନକ ବ୍ୟୁରୋ: ଭାରତ ଇତିହାସରେ ପ୍ରଥମ ଥର ପାଇଁ କୌଣସି ସରକାର ଲଗାତର ପଞ୍ଚମ ଥର କ୍ଷମତାକୁ ଆସିବା ବେଳେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ଜିତିନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କ୍ଷେତ୍ରରେ ରେକର୍ଡ କରିଛନ୍ତି। ପଞ୍ଚମ ଥରରେ ବିଜେଡି ୧୪୬ ଆସନରୁ ୧୧୨ଟି ଦଖଲ କରିଛି।

Advertisment

ସମସ୍ତ ୭ଟି ବିଧାନସଭା ଆସନ ବିଜେଡି ଜିତିଲା, ଭଲ ଭୋଟରେ। ମୁଖ୍ୟମନ୍ତ୍ରୀ ନିଜେ ବିଜେପୁରରେ ୫୭ହଜାର ୧୨୨, ବରଗଡରେ ଦେବେଶ ଆଚାର୍ଯ୍ୟ ୮ ହଜାର ୪୫୨, ଝାରସୁଗୁଡାରେ ନବ ଦାସ ୪୫ ହଜାର ୬୯୯, ବ୍ରଜରାଜନଗରରେ କଶୋର ମହାନ୍ତି ୧୧ ହଜାର ୬୩୪, ପଦ୍ମପୁରରେ ବିଜୟ ରଂଜନ ସିଂହ ବରିହା ୫ ହଜାର ୭୩୪, ଭଟଲିରେ ସୁଶାନ୍ତ ସିଂ ୨୩ ହଜାର ୨୩୨ ଓ ଅତାବିରାରେ ସ୍ନେହାଙ୍ଗିନି ଛୁରିଆ ୨୨ ହଜାର ୩୯୬ ଭୋଟରେ ବିଜୟୀ ହୋଇଛନ୍ତି। କିନ୍ତୁ ଲୋକସଭା ଆସନ ବିଜେପି ହାତକୁ ଗଲା, ପାଖାପାଖି ୬୩ ହଜାର ୯୩୯ ଭୋଟ ବ୍ୟବଧାନରେ। ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇ ଜିତିଲେ ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ।

୨୦୧୯ ଜନାଦେଶର ଏ ନିଷ୍କର୍ଷ ଜାତୀୟ ରାଜନୀତିରେ ଏବେ ବଡ଼ ବିତର୍କର ବିଷୟ ହେଲାଣି। ନବୀନଙ୍କ ମ୍ୟାଜିକ୍ ଓ ଜିତିବାର ରହସ୍ୟ ଉପରେ ଜାତୀୟ ଗଣମାଧ୍ୟମ ଚର୍ଚ୍ଚା କରିବା ସହିତ କେଉଁ ପରିସ୍ଥିତିରେ କୌଣସି ବିଧାନସଭା ଆସନ ନ ଜିତି ବିଜେପି ଏହି ଆସନକୁ ଦଖଲ କଲା (ସ୍ଲିପ୍ଟ ଭୋଟିଂ), ତାହା ରାଜନୈତିକ ବିଶେଷଜ୍ଞ ମହଲକୁ ଆଚମ୍ବିତ କରୁଛି।ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁସାରେ, ବିଜେଡି ୧୧୨ଟି ଆସନ ଦଖଲ କରିଥିବା ବେଳେ ୨୩ଟି ବିଜେପି, ୯ଟି କଂଗ୍ରେସ, ଗୋଟିଏ ସିପିଏମ୍ ଏବଂ ଆଉ ଗୋଟିଏ ଆସନରେ ସ୍ବାଧୀନ ସଭ୍ୟ ଜିତିଛନ୍ତି। ଲୋକସଭାରେ ବିଜେଡିକୁ ୧୨ଟି, ବିଜେପିକୁ ୮ଟି ଓ କଂଗ୍ରେସକୁ ଗୋଟିଏ ଆସନ ମିଳିଛି।

ରାଜନୈତିକ ପର‌୍ୟ୍ୟବେକ୍ଷକ ନିର୍ବାଚନ ଫଳାଫଳକୁ ନେଇ ପୋଷ୍ଟମର୍ଟମ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଲୋକସଭାରେ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ। ଏ ମଧ୍ୟରୁ ୫ଜଣ ନିର୍ବାଚନ ଜିତିଛନ୍ତି। ହେଲେ ସଂଯୋଗବଶତଃ ବିଜେପିରୁ ୨ଜଣ ସାଂସଦ ଜିତିଥିବା ପରିପ୍ରେକ୍ଷୀରେ ଏବେ ଓଡ଼ିଶାରୁ ଲୋକସଭାକୁ (ନବୀନଙ୍କ ପ୍ରସ୍ତାବ କ୍ରମେ ବିଧାନସଭାରେ ହୋଇଥିବା ସଂକଳ୍ପ ଆଧାରରେ) ୩୩% ମହିଳା ପ୍ରତିନିଧିତ୍ବ କରିବେ। ସେହିଭଳି ଏଥର ୧୩ଜଣ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପୂର୍ବଥର ଏହା ୧୨ ଥିଲା। ଟିକେଟ ପାଇଁ ଢେର୍ ଲଢାଇ କରି ଲୋକସଭା ଟିକେଟ୍ ହାତେଇଥିବା ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଏଥର ଲୋକସଭାରେ ସର୍ବାଧିକ (୨ଲକ୍ଷ ୭୧ହଜାର ୬୫୫) ବ୍ୟବଧାନରେ ବିଜୟୀ େହାଇଛନ୍ତି। ଏପଟେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ସର୍ବାଧିକ ୮୧ହଜାର ୪୩୦ ହଜାର ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିବା ବେଳେ ଏଠାରେ ବିେଜପିକୁ ମାତ୍ର ୧୦.୪୧% ଭୋଟ ମିଳିଛି।

ରାଜନୈତିକ ମହଲର ତଥ୍ୟ ଅନୁସାରେ, ମାତ୍ର ୭୭ ହଜାର ଭୋଟ ହୋଇଥିଲେ, ପୁରୀ, ଭଦ୍ରକ, ଢେଙ୍କାନାଳ ଲୋକସଭା ଆସନ ବିଜେପି ଖାତାକୁ ଚାଲିଯାଇଥାନ୍ତା। ୨୦୧୪ ବିଧାନସଭାରେ ମାତ୍ର ୧୦ଟି ଆସନ ଜିତିଥିବା ବିଜେପି କିନ୍ତୁ ଏଥର ୧୦୪ଟି ଆସନରେ ବିଜେଡି ସହିତ ମୁହାଁମୁହିଁ ସ୍ଥିତିକୁ ଚାଲିଆସିଥିଲା। ଦଳ ସେଥିରୁ ୨୩ଟି ଆସନରେ ଜିତିଛି। ବାକି ୮୧ଟି ଆସନରେ ଦ୍ବିତୀୟ ସ୍ଥାନରେ ରହି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ହାସଲ କରିଛି। କୌତୂହଳର କଥା ହେଲା, ମାତ୍ର ଲକ୍ଷେ ଲୋକଙ୍କ ସମର୍ଥନ ମିଳିଥିଲେ, ବିଜେପି ଆଉ ୨୧ ଆସନ ଦଖଲ କରିଥାନ୍ତା। କଣ୍ଟାବାଞ୍ଝି, ପର୍ଜଙ୍ଗ, ବଡଚଣା,ଗୋପାଳପୁର ଆଦିକୁ ହିସାବ କଲେ ଏ ସୂଚନା ମିଳୁଛି।

ଏପଟେ ବିଜେଡି ଚିତ୍ରକୁ ଦେଖିଲେ, ମୟୂରଭଂଜ ଓ ସୁନ୍ଦରଗଡର ବିପର୍ଯ୍ୟୟ କାରଣରୁ ବିଜେଡି ବିଧାନସଭାରେ ବିଜୁ ବାବୁଙ୍କ ସରକାରର ରେକର୍ଡ ଭାଙ୍ଗିବାରେ ଅସମର୍ଥ ହୋଇଛି। ଏହି ଦୁଇ ଜିଲ୍ଲାର ୧୬ ଆସନ ମଧ୍ୟରୁ ୧୧ଟିରେ ହାରିଛନ୍ତି ବିଜେଡି ପ୍ରାର୍ଥୀ। ୨୦୧୪ରେ ମୟୂରଭଂଜରେ ଏକପାଖିଆ ନିର୍ବାଚନ ଜିତିଥିଲା ଶାସକ ଦଳ। ହେଲେ ପଞ୍ଚାୟତ ନିର୍ବାଚନରେ ବିପର‌୍ୟ୍ୟୟର ସୂଚନା ମିଳିଥିଲା। ହେଲେ, ବିଜେଡିର ମୁଖ୍ୟ କାର୍ପଟଦାରମାନଙ୍କ ଅଙ୍କ ଓ ରଣନୀତି ପରିସ୍ଥିତିରେ ସୁଧାର ଆଣିପାରିନାହିଁ। କ୍ଷତି କେବଳ ସେତିକିରେ ସୀମିତ ନାହିଁ। ମୟୂରଭଂଜରେ ଖରାପ ଫଳ କାରଣରୁ ମୟୂରଭଂଜ ଓ ବାଲେଶ୍ବର ଲୋକସଭା ଆସନରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡିଛି।

ଆଶ୍ବାସନାର କଥା ହେଉଛି, ଜଗତସିଂହପୁର, ବରଗଡ, ଯାଜପୁର, କେନ୍ଦ୍ରାପଡା, କନ୍ଧମାଳ ଓ ବିଜେପିର ଗଡ ବୋଲି କୁହାଯାଉଥିବା ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। ଆସ୍କା, କଟକ, କେନ୍ଦୁଝର, ଭୁବନେଶ୍ବର ଭଳି ଲୋକସଭା ଆସନରେ ବିଜେଡି ଗୋଟିଏ ଲେଖାଏଁ ଆସନରେ ପରାସ୍ତ ହୋଇଛି ଓ ଅନ୍ୟ ୬ଟିକୁ ଦଖଲ କରିଛି।

ନିର୍ବାଚନ ଗଣିତକୁ ଆଉ ଟିକିଏ ତର୍ଜମା କରି ଦେଖିଲେ ଜଣାପଡୁଛି ଯେ ୨୦୧୪ ନିର୍ବାଚନରେ ବିଜେଡି ୪୩.୯% ଭୋଟ ପାଇଥିବା ବେଳେ ୨୦୧୯ରେ ଅର୍ଥାତ୍ ପଞ୍ଚମ ଥରରେ ଅଧିକ ଭୋଟର ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଛନ୍ତି। ସେବେ ୯୭ଲକ୍ଷ ୬୩ ହଜାର ଭୋଟର ବିଜେଡି ସପକ୍ଷରେ ଥିଲେ, ଏବେ ତାହା ୪୪.୮%ଅର୍ଥାତ୍ ୧କୋଟି ଡେଇଁଯାଇଛି। ହେଲେ ମୋଦୀ ଝଡ଼ ସତ୍ତ୍ବେ ପାଖାପାଖି ୧ ପ୍ରତିଶତରୁ ଅଧିକ ଭୋଟର ନବୀନଙ୍କୁ ବିଧାନସଭାରେ ଭୋଟ ଦେଇଥିଲେ ହେଁ, ଲୋକସଭାରେ ବିଜେପି ସପକ୍ଷରେ ନିଜ ରାୟ ଶୁଣାଇଛନ୍ତି। ଏ କ୍ଷେତ୍ରରେ ବିଜେଡିର ଭୋଟ ପ୍ରତିଶତ ୪୪.୮% ପ୍ରତିଶତ ଥିଲା, କମି ୪୩.୭%ରେ ପହଞ୍ଚିଛି।

ସେହିଭଳି ବିରୋଧୀ ଦଳ କଂଗ୍ରେସ ବିଧାନସଭାରେ ୨୦୧୪ରେ ୫୮ଲକ୍ଷ ୧୩ ହଜାର ଭୋଟ ପାଇଥିଲା। କିନ୍ତୁ ପାଖାପାଖି ୨୦ଲକ୍ଷ ୫୦ ହଜାର ଭୋଟର ହାତରୁ ମୁହଁ ଫେରାଇ ନେଇଛନ୍ତି ୨୦୧୯ରେ। ପରିଣାମ ହେଲା, ବିଧାନସଭାରେ କଂଗ୍ରେସ ଭୋଟ ପ୍ରତିଶତ ୧୬.୧୫ ପ୍ରତିଶତକୁ ଖସିଆସିଛି। ଲୋକସଭା କ୍ଷେତ୍ରରେ ଏକ ବଡ଼ ବିଲକ୍ଷଣ ହେଲା, ଯେଉଁ କଂଗ୍ରେସ ଭୋଟର ବିଧାନସଭାରେ ଦଳ ସପକ୍ଷରେ ଭୋଟ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ପାଖାପାଖି ୩%ରୁ ଅଧିକ ରାହୁଲ ଗାନ୍ଧୀଙ୍କ ନେତୃତ୍ବକୁ ପ୍ରତ୍ୟାଖ୍ୟାନ କରି ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଭୋଟ ପକାଇଛନ୍ତି। କଂଗ୍ରେସର ଭୋଟ ପ୍ରତିଶତ ଲୋକସଭାରେ କମି ୧୩.୩୬% ହୋଇଛି।