କନକ ବ୍ୟୁରୋ: କିଏ ହେବ ବିରୋଧୀ ଦଳ ନେତା? ଦୀର୍ଘଦିନ ଧରି ଚାଲିଥିବା ଏଭଳି ଚର୍ଚ୍ଚାର ଅନ୍ତ ଘଟିଛି । ଦୀର୍ଘ ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ଥର ଲାଗି ହେବେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ଆୟୋଜିତ ବୈଠକରେ ଦଳର ନବନିର୍ବାଚିତ ବିଧାୟକ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି ।
ନୂଆ ଭୂମିକାରେ ନଜର ଆସିବେ ନବୀନ । ବିଜେଡିର ପରାଜୟ ପରଠାରୁ, ନବୀନଙ୍କ ଭୂମିକାକୁ ନେଇ ଉକ୍ରଣ୍ଠା ବଢ଼ିବାରେ ଲାଗିଥିଲା । ଆଶା କରାଯାଉଥିଲା, ନବୀନଙ୍କ ନେତୃତ୍ୱରେ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ଭୂମିକା ନେବ ବିଜେଡି । ଆଉ ତାହା ହିଁ ହୋଇଛି । ବିଜେଡି ବିଧାୟକ ଦଳ ନେତା ନିର୍ବାଚନ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାନସଭାରେ ବିରୋଧୀ ଦଳ ନେତା ହୋଇଛନ୍ତି । ସର୍ବସମ୍ମତିରେ ବିିଜେଡି ବିଧାୟକମାନେ ତାଙ୍କ ନାଁରେ ମୋହର ମାରିଛନ୍ତି ।
ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନରେ ଏହି ଚିତ୍ର ଆଉ ଦେଖିବାକୁ ମିଳିବ ନାହିଁ । ବିଧିବ୍ୟବସ୍ଥା ଅନୁସାରେ, ବିଧାନସଭା ପ୍ରକୋଷ୍ଠରେ ବାଚସ୍ପତିଙ୍କ ଡାହାଣ ପଟକୁ ସଭା ଆଗରେ ବସନ୍ତି ମୁଖ୍ୟମନ୍ତ୍ରୀ, ତାଙ୍କ ପାଖରେ ଦୁଇ ନମ୍ବର ମନ୍ତ୍ରୀ ଓ ଶାସକ ଦଳ ମୁଖ୍ୟ ସଚେତକଙ୍କ ଆସନ ରହିଥାଏ । ଆଗାମୀ ଅଧିବେଶନରେ କିନ୍ତୁ ସମାନ ଆସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଦେଖିବାକୁ ମିଳିବ । ନବୀନ ଆଟ୍ ଟ୍ରେଜେରୀ ମଙ୍ଗଳବାର ହିଞ୍ଜଳି ବିଧାୟକ ଭାବେ ଶପଥ ନେବା ପରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯେତେବେଳେ ବିଧାନସଭା ଟ୍ରେଜରୀ ବେଂଚକୁ ଯାଇଥିଲେ, ଏହାର ଆଭାସ ମିଳିଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଭେଟି, ଶୁଭେଚ୍ଛା ଜଣାଇଥିଲେ ନବୀନ । ଏବେ ବିରୋଧୀ ବସୁଥିବା ଆସନର ସବା ଆଗରେ ବସିବେ ନବୀନ ପଟ୍ଟନାୟକ । ତାଙ୍କ ପାଖରେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପ-ମୁଖ୍ୟ ସଚେତକ ପ୍ରତାପ ଦେବ ବସିବେ ।
୨୪ ବର୍ଷ ନିରଙ୍କୁଷ ଖମତା ଉପଯୋଗ କରିବା ପରେ ୨୦୨୪ ନିର୍ବାଚନ ବିଜେଡି ପାଇଁ ଯେଉଁ ବିପର୍ଯ୍ୟୟ ଆଣି ଦେଇଛି, ତାହା ନବୀନଙ୍କ ଆଗରୁ ମୁଖ୍ୟମନ୍ତ୍ରୀ ଟ୍ୟାଗ୍କୁ ହଟାଇଦେଇଛି । ନବୀନ ପଟ୍ଟନାୟକଙ୍କୁ ବିଧାସଭାରେ ବିରୋଧୀ ଦଳ ନେତା ଭାବରେ ଦେଖିବାକୁ କେବଳ ବାକି ରହିଛି । ନବୀନଙ୍କ ପଛରେ ୫୦ ବିଧାୟକଙ୍କ ସମର୍ଥନ ରହିଥିବାରୁ ବିଧାନସଭାରେ ଏକ ସଶକ୍ତବିିରୋଧୀ ଭାବେ ବିଜେପି ଅଡୁଆରେ ପକାଇବାରେ ସମର୍ଥ ହୋଇପାରେ ବିଜେଡି ।